ବିଜେପି ୨୦୧୯ ନିର୍ବାଚନ ଜିଣିଲେ ଭାରତ ହେବ ‘ହିନ୍ଦୁ ପାକିସ୍ତାନ’: ଶଶି ଥରୁର

ତିରୁବନନ୍ତପୁରମ: ଯଦି ଭାରତୀୟ ଜନତା ପାର୍ଟି ୨୦୧୯ ଲୋକସଭା ନିର୍ବାଚନ ଜିଣେ, ଏହା ‘ହିନ୍ଦୁ ପାକିସ୍ତାନ’ ଗଠନ ନିମନ୍ତେ ବାଟ କଢ଼େଇବା ପରିସ୍ଥିତି ସୃଷ୍ଟି କରିବ ବୋଲି ମଙ୍ଗଳବାର ଦିନ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି।

ତିରୁବନନ୍ତପୁରମ ଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଥରୁର ଆହୁରି କହିଛନ୍ତି ଯେ ବିଜେପି ଗୋଟାଏ ନୂଆ ସମ୍ବିଧାନ ଗଢ଼ିବ ଯାହା ପାକିସ୍ତାନ ଭଳି ଦେଶ ଗଠନ ପାଇଁ ବାଟ ଫିଟାଇବ। ଯେଉଁଠି ସଂଖ୍ୟାଲଘୁମାନଙ୍କ ଅଧିକାରକୁ ସମ୍ମାନ ମିଳିବ ନାହିଁ।

ସେ କହିଛନ୍ତି: ଯଦି ସେମାନେ ପୁଣି ଥରେ ଲୋକସଭାରେ ବିଜୟଲାଭ କରନ୍ତି, ଆମେ ଯାହା ଗଣତାନ୍ତ୍ରିକ ସମ୍ବିଧାନ ବୋଲି ବୁଝୁଛୁ, ତାହା ତିଷ୍ଠିବ ନାହିଁ। ସେମାନେ ଯାହା ଆବଶ୍ୟକ କରିବେ ତାହା ଭାରତୀୟ ସମ୍ବିଧାନରୁ ଫାଡ଼ି ନେବା ପରେ ଗୋଟାଏ ନୂଆ ସମ୍ବିଧାନ ଲେଖିବେ।

ନୂଆ ସମ୍ବିଧାନଟି ହିନ୍ଦୁ ରାଷ୍ଟ୍ରର ନୀତି ବହନ କରିବ। ତାହା ସଂଖ୍ୟାଲଘୁମାନଙ୍କ ପାଇଁ ସମାନତା ଉଠାଇ ଦେବ। ତାହା ଗଠନ କରିବ ହିନ୍ଦୁ ପାକିସ୍ତାନ। ମହାତ୍ମା ଗାନ୍ଧୀ, ନେହେରୁ, ସର୍ଦାର ପଟେଲ, ମୌଲାନା ଆଜାଦ ଏବଂ ସ୍ୱାଧୀନତା ସଂଗ୍ରାମର ମହାନ୍‌ ବୀରମାନେ ଲଢ଼ିଥିବା କାରଣ ଠାରୁ ଏହା ଭିନ୍ନ ହେବ।

ଥରୁରଙ୍କ ମନ୍ତବ୍ୟକୁ ସମାଲୋଚନା କରି ବିଜେପି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କ୍ଷମାଯାଚନା କରିବାକୁ କହିଛି।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି: ଶଶି ଥରୁର ଯାହା କହିଲେ ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମା ଯାଚନା କରିବା କଥା। ପାକିସ୍ତାନର ସୃଷ୍ଟି ପାଇଁ କଂଗ୍ରେସ ଦାୟୀ। ଏହାବାଦ କଂଗ୍ରେସ ଭାରତକୁ ଅପମାନିତ କରି ହିନ୍ଦୁମାନଙ୍କୁ ବଦନାମ କରିବାରେ ପଛାଇ ନାହିଁ।

ସମ୍ବନ୍ଧିତ ଖବର