ରାଜନୀତି ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା

ଜୟପୁର: ରାଜସ୍ଥାନ ପହଂଚିବା ପରେ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି କି ‘ମୁଁ ଖୁବ୍ ଶୀଘ୍ର ରାଜନୀତିରେ ଯୋଗ ଦେବି’ ।

ଶୁକ୍ରବାର ଦିନ ଶ୍ରୀ ଭଦ୍ରା ରାଜସ୍ଥାନରେ ପହଂଚିବା ପରେ ସେଠାରେ ଭଗବାନ ଗଣେଶଙ୍କୁ ଦର୍ଶନ କରିଥିଲେ । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ଲୋକଙ୍କ ସେବା କରିବାକୁ ସେ ରାଜନୀତିରେ ଯୋଗ ଦେବେ । ‘କେହି ପରାମର୍ଶ ଦେଉଛନ୍ତି କି ମୁଁ ମୁରାଦାବାଦରୁ ରାଜନୀତି ଆରମ୍ଭ କରେ ତ କେହି ପରାମର୍ଶ ଦେଉଛନ୍ତି ମୁଁ ଗାଜିଆବାଦରୁ ରାଜନୀତି ଆରମ୍ଭ କରେ’ ବୋଲି ସେ କହିଥିଲେ।

ଏହାସହ ଦେଶରେ ଅପ୍ରତ୍ୟାଶିତ ଭାବେ ଦରବୃଦ୍ଧିକୁ ନେଇ ବି ସେ ମତ ରଖିଛନ୍ତି । ଏବେ ସାଧାରଣ ଜନତା ଜୀବନଜୀବିକା ସହ ଲଢେଇ କରୁଛନ୍ତି । ତାହାରି ମଧ୍ୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦର ଯେଭଳି ଭାବେ ବୃଦ୍ଧି ପାଉଛି ତାହା ସରକାରଙ୍କ ଅପରାଗତାକୁ ପଦାରେ ପକାଇଛି । ସେ ଆହୁରି କହିଥିଲେ କି ଏହା ଉପରେ ଅଧିକ କିଛି କହିବାକୁ ହେଲେ ତାଙ୍କୁ ଲୋକଙ୍କ ସହ ସିଧାସଳଖ ମିଶିବାକୁ ପଡିବ । ଲୋକମାନେ ଆଜି ଭାବିବାକୁ ବାଧ୍ୟ ହେଉଛନ୍ତି କି ସେମାନେ ନିଜ ସ୍ୱାସ୍ଥ୍ୟ ପାଇଁ ଔଷଧ କିଣିବେ ନା ଗାଡିରେ ପେଟ୍ରୋଲ ପକାଇବେ । ଏହା ସହ ସାଧାରଣ ଲୋକମାନେ ଗାଡି ଚଢ଼ିବା ଛାଡିବା ଆରମ୍ଭ କରିଥିବା କଥା ସେ କହିଛନ୍ତି ।

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ବି ମତ ରଖିଛନ୍ତି ରବର୍ଟ ଭଦ୍ରା । ଭାରତର ଲୋକମାନେ ଶିକ୍ଷିତ ଅଟନ୍ତି । ସମସ୍ୟା ଅଛି ମାନେ ସେମାନେ ସରକାରଙ୍କୁ ପ୍ରଶ୍ନ ପଚାରିବେ । ତାହା ତାଙ୍କର ଗଣତାନ୍ତ୍ରିକ ଅଧିକାର । କିନ୍ତୁ ସରକାର ଯେଭଳି ସେମାନଙ୍କ ସ୍ୱରକୁ ଚାପି ଦେବାକୁ ଚାହୁଁଛନ୍ତି ତାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ସରକାର ପାଇଁ ଶୋଭନୀୟ ନୁହେଁ । ଅନ୍ୟପଟେ ତାଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଥିବା ମାମଲାକୁ ନେଇ ସେ କହିଥିଲେ କି ପୁଣିଥରେ ପଚରା ଉଚରା କରିବାର କୌଣସି ଆବଶ୍ୟକତା ନଥିଲା । କେନ୍ଦ୍ର ସରକାର କ୍ଷମତାର ଅପବ୍ୟବହାର କରିଛନ୍ତି।

ସମ୍ବନ୍ଧିତ ଖବର