ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରହିବ, ଲାଞ୍ଚ କାରବାର ରୋକିବାକୁ ଟୋଲ୍ ଫ୍ରି ନମ୍ବର ଆରମ୍ଭ କରିବି : ବିଧାୟକ ସରୋଜ ମେହେର 

ସାକ୍ଷାତକାର/ ବୌଦ୍ଧାୟନ ଆଚାର୍ଯ୍ୟ

ବିଧାୟକ ଭାବେ ନିର୍ବାଚିତ ହେବାକୁ ନେଇ ଯେତିକି ଚର୍ଚ୍ଚା ହୋଇ ନ ଥିଲା କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ନୀତି ଅଭିଯୋଗ ଆଣି ଉଠବସ କରାଇ ତା’ଠାରୁ ଚର୍ଚ୍ଚିତ ହୋଇଥିଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର | ଯନ୍ତ୍ରୀଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ମାମଲା ଚାଲିଥିଲା ଓ ଜେଲ ମଧ୍ୟ ଯାଇଥିଲେ ସେ | ଏସବୁ ପରେ ବି ନିଜ ଅଞ୍ଚଳରୁ ଦୁର୍ନୀତି ଦୂର ପାଇଁ ଏବେ ନୂଆ ଫଣ୍ଡା ଆପଣେଇବାକୁ ଯାଉଛନ୍ତି  ବିଧାୟକ ସରୋଜ ମେହେର | ନିଜ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପିର ଟାଣୁଆ ନେତା କନକ ବର୍ଦ୍ଧନ ସିଂ ଦେଓଙ୍କୁ ୧୧ହଜାରରୁ ଅଧିକ ଭୋଟରେ ହରାଇଥିବା ଏହି ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ବୌଦ୍ଧାୟନ ଆଚାର୍ଯ୍ୟ | 

ଯେଉଁ ଦୁର୍ନୀତିକୁ ନେଇ ଆପଣ ସ୍ୱର ଉଠାଇଥିଲେ ଯନ୍ତ୍ରୀଙ୍କୁ ଉଠବସ କରାଇ ଥିଲେ, ଏବେ ଦୁର୍ନୀତିକୁ ତାବାଟରେ ଚାଲିବାକୁ ଛାଡ଼ିଦେବେ ନା ଏହାକୁ ବନ୍ଦ କରିବା ପାଇଁ ଆଉ କିଛି କରିବେ?

ନା ଦୁର୍ନୀତି ରୋକିବାକୁ ମୁଁ କାର୍ଯ୍ୟକ୍ରମ ହାତକୁ ନେଉଛି। ଯଦି କେହି କୌଣସି କାର୍ଯ୍ୟ ପାଇଁ ଲାଞ୍ଚ ମାଗୁଛନ୍ତି ମତେ ଜଣାନ୍ତୁ। ମୁଁ ନିରାକରଣ କରିବି। ପାଟଣାଗଡ଼ ଲୋକଙ୍କ ପାଇଁ ଏକ ଟୋଲ ଫ୍ରି(ଶୁଳ୍କମୁକ୍ତ) ନମ୍ବରର ଆରମ୍ଭ କରିବି | ମୋର ନିର୍ବାଚନ  ମଣ୍ଡଳୀରେ ତିନିଟି ବ୍ଲକରେ ଅଫିସ କରିବି | ଯେଉଁ ଲୋକ ଲାଞ୍ଚ କାରବାର ନେଇ ଟୋଲ ଫ୍ରି ନମ୍ବରରେ  କଲ କରିବେ,  ମୋର କର୍ମୀମାନେ ସେହି ବିଭାଗୀୟ ଦପ୍ତରକୁ ଯାଇ ଲୋକଙ୍କ ଅସୁବିଧାର ସମାଧାନ କରେଇବେ |

ଗଣମାଧ୍ୟମରେ ଆପଣକୁ ଦବଙ୍ଗ ବିଧାୟକ କୁହାଗଲା, ସତରେ ଆପଣ ଦବଙ୍ଗଗିରି ଦେଖାଇଥିଲେ ?

ମୋର ୪୦ ବର୍ଷ ଜୀବନରେ ମୋ ନାଁରେ ଗୋଟିଏ ବି କେସ ନଥିଲା କି ଗୋଟିଏ ଦିନ ବି ଥାନାକୁ ଯାଇନଥିଲି | ମୋ ପରିବାରର ତିନି ପିଢ଼ିର ସଦସ୍ୟଙ୍କ ନାମରେ ଗୋଟିଏ ବି କେସ ନାହିଁ, ତେବେଦବଙ୍ଗ ହେଲି କେମିତି ?

ଟିକଟ ପାଇବାକୁ ନେଇ ଆଶାବାଦୀ ଥିଲେ କି ?
ନା, କୌଣସି ରାଜନୈତିକ ପରିବାରର ନ ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ମୋ ଉପରେ  ବିଶ୍ୱାସ ରଖି ଟିକେଟ ଦେବା ଆଶ୍ଚର୍ଯ୍ୟ କରିଥିଲା |

ମୁଖ୍ୟମନ୍ତ୍ରୀଙ୍କୁ କେବେ ଭେଟିଲେ ନିଜ ଅଞ୍ଚଳ ପାଇଁ କଣ ଦାବି କରିବେ ?
ପାଟଣାଗଡ଼ ୨୫ ବର୍ଷ ହେଲା ବହୁ ପଛରେ ପଡିଯାଇଛି | ନଦୀରେ ଚେକଡ୍ୟାମ ସାଙ୍ଗକୁ ବେଲପଡା ବ୍ଲକର ଅପରନାଥ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା, ପାଟଣାଗଡ଼ରେ ବାଇପାସ ନିର୍ମାଣ ସହ ହରିଶଙ୍କର ଓ ନୃସିଂହନାଥ ତୀର୍ଥସ୍ଥଳୀ ମଧ୍ୟରେ ରୋପ ୱେ ନିର୍ମାଣ ପାଇଁ ଅନୁରୋଧ କରିବି | ସେହିପରି ବହୁ ପର୍ଯ୍ୟଟକ ଏହି ଦୁଇଟି ତୀର୍ଥସ୍ଥଳୀ ଆସୁଥିବାରୁ ରାସ୍ତାଟିଏ ନିର୍ମାଣ ସହ ପାଟଣାଗଡ଼ ମେଡିକାଲର ଉନ୍ନତି ପାଇଁ ବିଶେଷ ଅନୁରୋଧ କରିବି | ସେହିପରି ମୁଁ ଚିନ୍ତା କରିଛି ଆଗାମୀ ଦିନରେ ବିଧାୟକଙ୍କ ପାଇଁ କାର୍ଯ୍ୟାଳୟଟିଏ ନିର୍ମାଣ କରିବା ପାଇଁ ଅନୁରୋଧ କରିବି | ଯେଉଁ ଦଳର ବିଧାୟକ ବି ହୁଅନ୍ତୁ ସେମାନଙ୍କନିର୍ବାଚନମଣ୍ଡଳୀରେ କାର୍ଯ୍ୟାଳୟଟିଏ କରି ଲୋକଙ୍କ ସମସ୍ୟା ବୁଝିବେ |

ନର୍ଦ୍ଦମା ସଫା କରୁଛନ୍ତି ବିଧାୟକ

ପାଟଣାଗଡ଼ ମେଡିକାଲ ପାଇଁ ଯୋଜନା ରଖିଛନ୍ତି ?
ପାଟଣାଗଡ଼ ମେଡିକାଲ ପାଇଁ ୨୧ ଜଣିଆ କମିଟିଟିଏ ଗଠନ କରିବି | ଯିଏ ଯେତେ ଟଙ୍କା ଦାନ କରିବେ ମେଡିକାଲର ଅବ୍ୟବସ୍ଥା ସୁଧାରିବାକୁ ସେହି ଟଙ୍କା ଖର୍ଚ୍ଚ କରାଯିବ | ସେହିପରି ଯେଉଁ ସବୁ ବିଭାଗପାଇଁ ନିତାନ୍ତ ଡାକ୍ତର ଆବଶ୍ୟକ, ସେଥିପ୍ରତି  ଦୃଷ୍ଟି ଦେବି |

ରାଜନୀତିକୁ କାହିଁକି ଆସିଲେ ?
ମୁଁ ଚାଷବାସ ଓ ବ୍ୟବସାୟ ସହ ସମ୍ପୃକ୍ତ ଅଛି | କିନ୍ତୁ ୧୯୯୫ ମସିହାରୁ ୨୦୧୯ ପର୍ଯ୍ୟନ୍ତ ପାଟଣାଗଡ଼ ଲୋକଙ୍କ ଆଶା ପୂରଣ ହୋଇପାରିନାହିଁ | ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଆମ ବିଧାୟକ ଶିଳ୍ପ ସହ ନଗର ଉନ୍ନୟନ ମନ୍ତ୍ରୀ ହୋଇଥିଲେ | ଲୋକଙ୍କ ଆଶା ଥିଲା ନିଜ ଅଞ୍ଚଳରେ ବାଇପାସ ନିର୍ମାଣ ହେବ ଓ ଶିଳ୍ପବିହୀନ ଅଂଚଳରେ ଶିଳ୍ପଟିଏ ସ୍ଥାପନ ହେବ।  ଅଞ୍ଚଳବାସୀ ତତ୍କାଳୀନ ବିଧାୟକଙ୍କୁ ନେଇ ଏହି ସ୍ବପ୍ନ ଦେଖିଥିଲେ | ଲୋକଙ୍କ ଆଶା ଆଶାରେ ହିଁ ରହିଯାଇଥିଲା | ସେହି ଆଶାକୁ ପୂରଣ କରିବା ପାଇଁ ମୁଁ ରାଜନୀତିକୁ ୩ ବର୍ଷ ହେଲା ଆସିଥିଲି |

ବିଜେପି ବିଧାୟକ ଦଳ ନେତା ସହ ଜଣେ ବରିଷ୍ଠ ରାଜନେତାଙ୍କୁ ଭୋଟର ପସନ୍ଦ କଲେନି  କାହିଁକି ?
ସେ ଜଣେ ରାଜା। ତାଙ୍କୁ ଭେଟିବାକୁ ୪ଟି ବାଟ ଦେଇ ଯିବାକୁ ପଡେ | ତାଙ୍କୁ ଭେଟିବାକୁ ହେଲେ ତାଙ୍କ ଲୋକଙ୍କୁ କହିବାକୁ ପଡିବ, ସେମାନେ ଅନୁମତି ଦେଲେ ହିଁ ଭେଟିହେବ | ଲୋକ ଏଭଳି ହନ୍ତସନ୍ତ ହୋଇଛନ୍ତି। କିନ୍ତୁ ମୋ ପାଖକୁ ଆସିବାକୁ ଅନୁମତି ଆବଶ୍ୟକ ନାହିଁ | ସେଥିପାଇଁ ମୋ ଭଳି ପ୍ରଜାକୁ ପସନ୍ଦ କଲେ ରାଜାଙ୍କୁ ପସନ୍ଦ କଲେ ନାହିଁ |

 ବର୍ଷ ହେଲା ରାଜନୀତି ଆରମ୍ଭ କରିଥିଲେ ବି କିଭଳି ଲୋକଙ୍କ ବିଶ୍ୱାସ ଜିତିପାରିଥିଲେ ?
ରାଜନୀତି ଆରମ୍ଭ କରିବା ଦିନଠାରୁ ପ୍ରତିଦିନ ୪୦୦ରୁ ୫୦୦ ଲୋକ ଫୋନ କରନ୍ତି | ସେମାନଙ୍କ ଅଭାବ ଅସୁବିଧା ଜଣାଉଥିଲେ କିନ୍ତୁ ସେତେବେଳେ କ୍ଷମତା ନଥିବାରୁ କିଛି କରିପାରୁନଥିଲି | ଏବେକିନ୍ତୁ ବିଧାୟକ ହେବା ପରେ ଲୋକଙ୍କ ସମସ୍ୟା, ଅଭିଯୋଗ ଶୁଣି ତାହାକୁ ସମାଧାନ ପାଇଁ ନିଜେ ଉଦ୍ୟମ କରୁଛି |

ବିଧାୟକ ଭାବେ ଯାହା ବି ଦରମା ପାଇବେ କିଭଳି ଖର୍ଚ୍ଚ କରିବାକୁ ଯୋଜନା ରହିଛି କି ?
ମୋର ଦରମାର ୨୫ ପ୍ରତିଶତ ମେଡିକାଲର ଉନ୍ନତି ପାଇଁ ଖର୍ଚ୍ଚ କରିବି | ଯେଉଁମାନଙ୍କର ଭତ୍ତା ପାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର ନାହିଁ ବା ସରକାରୀ ସ୍ତରରେ ଭତ୍ତା ପାଇବାକୁ ଯୋଗ୍ୟହୋଇପାରିବେ ନାହିଁ ବାକି ୭୫ ପ୍ରତିଶତ ଅର୍ଥ ସେମାନଙ୍କୁ ଭତ୍ତା ଆକାରରେ ଦେଇଦେବି |

ସମ୍ବନ୍ଧିତ ଖବର