୫ କୋଟି ଟଙ୍କା ବିନିମୟରେ ଏମପି ଟିକେଟ ବିକ୍ରି କରୁଛନ୍ତି ମାୟାବତୀ ? ଦଳର ପୂର୍ବତନ ନେତାଙ୍କ ଅଭିଯୋଗ ପରେ ହଇଚଇ

ଲକ୍ଷ୍ନୌ : ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ ନିଜର ଦଳର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ଏମଏଲସି ମୁକୁଲ ଉପାଧ୍ୟାୟଙ୍କୁ ବହିଷ୍କାର କରିଛନ୍ତି । ଦଳବିରୋଧୀ କାମ ପାଇଁ ସେ ତାଙ୍କୁ ବହିଷ୍କାର କରାଯାଇଥିବା କୁହାଯାଉଛି । ତେବେ ଏହି ବହିଷ୍କାରର ଆଉ ଏକ କାରଣ ଦର୍ଶାଉଛନ୍ତି ମୁକୁଲ । ସେ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ଆଲିଗଡ ଲୋକସଭା ଆସନ ନିମନ୍ତେ ଟିକେଟ ପାଇଁ ତାଙ୍କୁ ମାୟାବତୀ ୫ କୋଟି ଟଙ୍କା ଦାବି କରିଥିଲେ । ଯେତେବେଳେ ସେ ଟଙ୍କା ଦେବା ପାଇଁ ମନା କଲେ ତାଙ୍କୁ ଦଳରୁ ବାହାର କରିଦିଆଗଲା । ମୁକୁଲ ଉପାଧ୍ୟାୟଙ୍କୁ ବହୁଜନ ସମାଜବାଦୀ ପାର୍ଟିର ବ୍ରାହ୍ମଣ ଚେହେରା ବୋଲି କୁହାଯାଏ । ସେ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଆଲିଗଡ ଆସନରୁ ଗତ ୨୦୧୪ ନିର୍ବାଚନ ମଧ୍ୟ ଲଢିଥିଲେ । ତାଙ୍କ ବହିଷ୍କାର ସଂପର୍କରେ ଦଳ ପକ୍ଷରୁ କୁହାଯାଇଛି ଯେ ସେ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ଦଳ ବିରୋଧରେ ଯାଇ ବିଜେପି ସଭାରେ ଯୋଗ ଦେଉଥିଲେ ଓ ବିଜେପି ନେତାଙ୍କ ସହ ଭିତିରିଆ ସଂପର୍କ ରଖୁଥିଲେ । ତେବେ ମାୟାବତୀଙ୍କ ବିରୋଧରେ ଏହି ଅଭିଯୋଗ ପ୍ରଥମ ନୁହେଁ । କୋଟି କୋଟି ଟଙ୍କା ଅର୍ଥ ବିନିମୟରେ ଦଳୀୟ ଟିକେଟ ବିକ୍ରି କରିବା ନେଇ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ତାଙ୍କ ବିରୋଧରେ ଉଠିଛି ।

ସମ୍ବନ୍ଧିତ ଖବର