କଂଗ୍ରେସ ଭବନ ଭିତରେ ବୈଠକ, ବାହାରେ ଆନ୍ଦୋଳନ

ଭୁବନେଶ୍ବର:  କଂଗ୍ରେସ ଭବନରେ ଶୁକ୍ରବାର ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କଂଗ୍ରେସ ଭବନ ଭିତରେ ଉପକୂଳ ଓଡ଼ିଶାର ଛାମୁଆ ନେତାଙ୍କ ସହିତ ଆଲୋଚନା କରୁଥିବା ବେଳେ କଂଗ୍ରେସ ଭବନ ବାହାରେ ନିଲମ୍ବିତ ଛାତ୍ର ନେତାଙ୍କର ଚାଲିଥିଲା ଜୋରଦାର ଆନ୍ଦୋଳନ । ଆଉ ତାଙ୍କ ଉପରୁ ନିଲମ୍ବନ ଉଠାଇବା ପାଇଁ ସେ ନିଜ ସମର୍ଥକମାନଙ୍କୁ ଧରି ଆନ୍ଦୋଳନ କରିଥିଲେ । ଭିତରେ ବୈଠକ ଚାଲିଥିବା ବେଳେ ବାହାରେ  ପାଟିତୁଣ୍ଡ ହେଉଥିବା ବେଳେ ପ୍ରଥମ ଥର ପାଇଁ କଂଗ୍ରେସ ଭବନରେ ବାଉନ୍ସରଙ୍କୁ ଦେଖିବାକୁ ମିଳିଥିଲା।

ତେବେ ଆଜି ଦିନ ତମାମ ବିବାଦ, କନ୍ଦଳ, ଆନ୍ଦୋଳନ ଆଉ ଉତ୍ତେଜନାରେ କଂଗ୍ରେସ ଭବନ ଉଠୁଥିଲା ପଡୁଥିଲା । କଂଗ୍ରେସ ଭବନ ଭିତରେ କଟକ, କଟକ ସଦର, ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ନେତାଙ୍କ ସହ ଚାଲିଥିଲା ବୈଠକ । ଆଉ ଠିକ ସେତିକି ବେଳେ ବାହାରେ ଧାରଣାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯୁବ କଂଗ୍ରେସରୁ ନିଲମ୍ବିତ ଛାତ୍ର ନେତା ଇତିଶ ପ୍ରଧାନ ଶହ ଶହ କର୍ମୀଙ୍କ ସହିତ କଂଗ୍ରେସ ଭବନ ଆଗରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ନିଲମ୍ବନ ଉଠାଇବା ପାଇଁ ଚାଲାଇଥିଲେ ପିସିସି ବିରୋଧି ନାରାବାଜି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ ଗଣ୍ଡଗୋଳ ହୋହଲ୍ଲା ଚାଲିଥିବା ବେଳେ କଂଗ୍ରେସ ଭବନ ଭିତରେ ବାଉନ୍ସରଙ୍କୁ ଦେଖିବାକୁ ମିଳିଥିଲା । କଳାପୋଷାକରେ କିଛି ତାଗଡ଼ା ବ୍ୟକ୍ତି ପଇଁତରା ମାରୁଥିଲେ । ବୋଧହୁଏ ପ୍ରଥମ ଥର ପାଇଁ କଂଗ୍ରେସ ଭବନ ଭିତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଲା ।

ଜିତେନ୍ଦ୍ର ସିଂହଙ୍କ ବୈଠକ ଚାଲିଥିବା ସମୟରେ ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ କଟକର କିଛି କଂଗ୍ରେସ କର୍ମୀ ପ୍ରଭାରୀଙ୍କ ନିକଟରେ ଦାବି କରିିଥିଲେ । ବେଶ କିଛି ସମୟ ଧରି ଏହାକୁ ନେଇ ସରଗରମ ପରିସ୍ଥିତି ଲାଗିରହିଲା ।

ଏସବୁ ଭିତରେ ଦିଲ୍ଲୀରୂୁ ଆସିଥିବା ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ବରିଷ୍ଠ ନେତା ଦିଗବିଜୟ ସିଂହ ସାମ୍ବାଦିକ ସମ୍ମିଳନୀ କରିଥିଲେ । କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଏସବୁ ପ୍ରସଙ୍ଗ ନଉଠାଇ ଏନଆରସି ଓ ସିଏଏକୁ ନେଇ ବିଜେପିକୁ ଟାର୍ଗଟ କରିଥିଲେ । ଏପଟେ ଆନ୍ଦୋଳନରେ ବସିଥିବା ଇତିଶ ପ୍ରଧାନ ଓ ତାଙ୍କ ସମର୍ଥକମାନେ ଜିତେନ୍ଦ୍ର ସିଂହ ସହ କଥାହେବାକୁ ଚାହୁଁଥିଲେ ମଧ୍ୟ ଜିତେନ୍ଦ୍ର ଏହାକୁ ଏଡାଇ ଦେଇ କଂଗ୍ରେସ ଭବନ ଛାଡି ଦେଇଥିଲେ ।

ସମ୍ବନ୍ଧିତ ଖବର