ରବି ନନ୍ଦ, ଭାସ୍କରଙ୍କୁ ଟାଣିଲେ ପାଙ୍ଗି

ଜୟରାମ ପାଙ୍ଗିଙ୍କ ଆଡ଼କୁ ଇସାରା କଲା ବିଜେଡି

ସିବିଆଇ ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ନରସିଂହ, ବିଜୟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲ୍ଲା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ପୂୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ଆଡକୁ ଆଙ୍ଗୁଠି ଉଠାଇ ରାଜନୈତିକ ଦଳ ସିବିଆଇକୁ ବିବାଦ ଭିତରକୁ ଟାଣିଛନ୍ତି।

ଶ୍ରୀ ପାଙ୍ଗୀ ବିଜେପିରେ ଯୋଗଦେଇଥିବା କାରଣରୁ ସିବିଆଇ ତଦନ୍ତ ବାଟବଣା ହୋଇଗଲାନି ତ? ଏମିତି ପ୍ରଶ୍ନ କରିଛି ବିଜେଡି। ଅନ୍ୟ ରାଜନୈତିକ ଦଳ ଏହି ତଦନ୍ତକାରୀ ସଂସ୍ଥାର ନିଷ୍ଠା, ଦକ୍ଷତା, ନିରପେକ୍ଷତା ତଥା ତଦନ୍ତ ପ୍ରକ୍ରିୟାକୁ ନେଇ ଅଭିଯୋଗର ପାହାଡ଼ ଲଦିଛନ୍ତି। ସେପଟେ ଶ୍ରୀ ପାଙ୍ଗୀ ବି ଚୁପ୍‌ ବସିନାହାନ୍ତି। ବିଜେଡିକୁ ପାଲଟା ଆକ୍ରମଣ କରିବା ପରେ ଏହି ମାମଲାକୁ ନେଇ ରାଜନୀତି ଜୋର ଧରିଛି।

ଆଜି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି, ବିରୋଧୀ ଦଳ ଓ ଗଣମାଧ୍ୟମ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ନେଇ ରାଜ୍ୟ ସରକାରଙ୍କ ଉପରେ ଗର୍ଜୁଥିଲେ। ଘଟଣା ସିବିଆଇ ହାତକୁ ଗଲା ଓ ମୁଖ୍ୟ ଅଭିଯୁକ୍ତ ସଂପର୍କରେ ସାମାନ୍ୟତମ ସୂଚନା ପାଇପାରିନଥିବା ନେଇ ସଂପୃକ୍ତ କର୍ତ୍ତୃପକ୍ଷ ଲିଖିତ ଭାବେ ସୁପ୍ରିମକୋର୍ଟକୁ ଦେଲେ। ଯେଉଁ ବ୍ୟକ୍ତି ଅର୍ଥାତ୍‌ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ଆଡ଼କୁ ଇତିଶ୍ରୀଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ, ରାଜନୈତିକ ଦଳ ସମସ୍ତେ ଇଙ୍ଗିତ କରୁଥିଲେ, ସେ ଏବେ ବିଜେପିରେ। ତାଙ୍କୁ ସୁରକ୍ଷା ଦେବା ଲାଗି ସିବିଆଇ ମୁଖ୍ୟ ଅଭିଯୁକ୍ତଙ୍କୁ ନ ଖୋଜି ବସିଯାଇନି ତ? ଯେଉଁ ବ୍ୟକ୍ତିମାନେ ସିବିଆଉ ଉପରେ ଅଗାଧ ବିଶ୍ୱାସ ରଖୁଛନ୍ତି, ସେମାନେ ଏ ନେଇ ଏବେ ପ୍ରଶ୍ନ ଉଠାଇବା ଦରକାର।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ମାନିବେ ନିଶ୍ଚିତ। ପରବର୍ତୀ ସମୟରେ ଯଦି ଅଭିଯୁକ୍ତଙ୍କ ସଂପର୍କରେ କୌଣସି ସାକ୍ଷ୍ୟ ପ୍ରମାଣ ମିଳେ, ତେବେ ପୁନଃ ତଦନ୍ତ କରାଯାଇପାରେ। ହେଲେ ଏହି ଘଟଣାରେ ସିବିଆଇର ଶିଥିଳତା ଓ ଅହେତୁକ ବିଳମ୍ବ ଯୋଗୁଁ ଏ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କ ଭରସା ସିବିଆଇ ଉପରୁ ତୁଟିବା ଆରମ୍ଭ କରିଛି। ଅନେକ ସମୟରେ ସିବିଆଇ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି। ଏହି ଘଟଣାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦୋଷୀକୁ ଠାବ କରିପାରିନାହାନ୍ତି। ଅତଏବ, ମାମଲାରେ ରାଜନୈତିକ ଲୋକଙ୍କ ସଂପୃକ୍ତି ନେଇ ଯେଉଁ ସନ୍ଦେହ ସୃଷ୍ଟି ହେଉଥିଲା, ତାହା ଅଧିକ ଦୃଢୀଭୂତ ହୋଇଛି।

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସମ୍ଭବତଃ ଇଏ ଏମିତି ଏକ ପ୍ରସଙ୍ଗ ଥିଲା, ଯେଉଁଥିରେ ସବୁ ରାଜନୈତିକ ଦଳ ଏକାଠି ହୋଇଥିଲେ। ସିବିଆଇ ତଦନ୍ତ ହାତକୁ ନେବା ପରେ ସମସ୍ତେ ଆଶା କରିଥିଲେ ଯେ ସ୍ୱର୍ଗରେ ଥାଇ ବି ଇତିଶ୍ରୀ ଆତ୍ମା ନ୍ୟାୟ ପାଇବ। ହେଲେ ଏ ମାମଲାରେ ପାଖାପାଖି ୩୦୦ ସାକ୍ଷୀଙ୍କୁ ତର୍ଜମା କରିବା ପରେ ବି ଦେଶର ମୁଖ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇ ତାଙ୍କୁ ନ୍ୟାୟ ଦେଇପାରିଲାନି। ସିବିଆଇର ତଦନ୍ତ ଅନେକ ସନ୍ଦେହ ସୃଷ୍ଟି କରୁଛି। ସିିବିଆଇର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଦୁଇବର୍ଷ ଧରି ତଦନ୍ତ କରିବା ପରେ ବି ଗୋଟିଏ ହତ୍ୟାକାଣ୍ଡ ଉପରୁ ରହସ୍ୟ ଉଠାଇପାରିଲା ନାହିଁ, ହାତ ଟେକିଦେଲା, ତେବେ ଲୋକେ ନ୍ୟାୟ ପାଇଁ ଏବେ କାହା ପାଖକୁ ଯିବେ? ଏହି ମାମଲାରେ ସିବିଆଇ ତଦନ୍ତ ପ୍ରକ୍ରିୟାକୁ ନିରେଖି ଦେଖିଲେ, ସଙ୍କେତ ମିଳୁଛି ଯେ କୌଣସି ନା କୌଣସି ସ୍ଥାନରେ ସିବିଆଇ ବାଧାର ସମ୍ମୁଖୀନ ହୋଇଛି ଓ ଖାସ୍‌ ସେହି କାରଣରୁ ତଦନ୍ତ ଆଗେଇପାରିନାହିଁ।

ଶ୍ରୀ ମହାପାତ୍ର କହିଥିଲେ, ଏହି ମାମଲାରେ ସିବିଆଇ ଉପରୁ ଲୋକଙ୍କ ଭରସା କମିଯିବାର ଅନ୍ୟ ଏକ କାରଣ ହେଉଛି, ପୂର୍ବରୁ ଓଡ଼ିଶାର ନରେଗା ଦୁର୍ନୀତିରେ ମଧ୍ୟ ଫଳାଫଳ ମିଳିନଥିଲା। କୌଣସି ଅଭିଯୁକ୍ତଙ୍କୁ ସିବିଆଇ ଖୋଜି ପାଇନଥିଲେ। ଏବେ ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ମାମଲାରେ ମଧ୍ୟ ସିବିଆଇ ତଦନ୍ତର ଗତି ଓ ତରିକା ଲୋକଙ୍କ ମଧ୍ୟରେ ସନ୍ଦେହ ବଢାଇଦେଇଛି।

ହେଲେ ବିଜେପି ଉପସଭାପତି ସମୀର ମହାନ୍ତି କିନ୍ତୁ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାର ନିରପେକ୍ଷତା ଓ ଭରସା ନେଇ ଉଠାଯାଇଥିବା ପ୍ରଶ୍ନକୁ ନାପସନ୍ଦ କରିଛନ୍ତି। କହିଛନ୍ତି, ଏଯାଏ ଏହି ସଂସ୍ଥାର ବିକଳ୍ପ ସୃଷ୍ଟି ହୋଇପାରିନାହିଁ। ସଫଳ ନ ହେବା ଦୁଃଖଦାୟକ ଘଟଣା। ଦୁଇବର୍ଷ ପରେ ତଦନ୍ତ କରିବା ତଥ୍ୟ ପ୍ରମାଣ ନଷ୍ଟ କରିବାର ସମ୍ଭାବନା ରହିଛି। କ୍ରାଇମବ୍ରାଞ୍ଚ କେତେଦୂର ସିବିଆଇକୁ ସାହାଯ୍ୟ କରିଥିବ, କହିହେବ ନାହିଁ। ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ କଲା, ତାର ନିଷ୍କର୍ଷ କଣ ହେଲା, ତାହା ତ ପଦାକୁ ଆସୁ। ଆଉ ଥରେ ଏହି ଘଟଣାର ତଦନ୍ତ ହେଉ।

ଅନ୍ୟପକ୍ଷରେ ପାଙ୍ଗି କହିଛନ୍ତି, ସାଂସଦ ପ୍ରତାପ ଦେଓଙ୍କ ପାଖରେ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଯଦି କିଛି ତଥ୍ୟ ରହିଛି ତେବେ ସିବିଆଇ ତାଙ୍କ ବୟାନ ଗ୍ରହଣ କରିବା ଆବଶ୍ୟକ। ଇତିଶ୍ରୀ ମାମଲାରେ ତଦନ୍ତ ଦାୟିତ୍ୱ କ୍ରାଇମ୍‌ ବ୍ରାଞ୍ଚ ବି ନେଇଥିଲା। କ୍ରାଇମ୍‌ ବ୍ରାଞ୍ଚ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। କ୍ରାଇମ୍‌ ବ୍ରାଞ୍ଚ କାହିଁକି ହତ୍ୟାକାରୀକୁ ଚିହ୍ନଟ କରିପାରୁନାହିଁ କିମ୍ବା ରିପୋର୍ଟ ପ୍ରଦାନ କରୁନାହିଁ। ରାୟଗଡ଼ାର ଭାଗିରଥୀ ମାଣ୍ଡାଙ୍ଗି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ ବ୍ରାଞ୍ଚ ନେଇଥିବା ବେଳେ ଆଜି ପର୍ଯ୍ୟନ୍ତ କାହିଁକି ଏହାର ତଦନ୍ତ ରିପୋର୍ଟ ପ୍ରକାଶ କରାଯାଉନାହିଁ କି ପ୍ରକୃତ ଘଟଣାକୁ ଲୋକଲୋଚନକୁ ଅଣାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଇତିଶ୍ରୀ ପ୍ରଧାନଙ୍କୁ ପ୍ରକୃତରେ ହତ୍ୟା କରାଯାଇଛି ନା ଆତ୍ମହତ୍ୟା କରିଛନ୍ତି ତାହା ବି ସିବିଆଇ ସ୍ପଷ୍ଟ କରିପାରିନାହିଁ। ଏଭଳି କ୍ଷେତ୍ରରେ ନେତ୍ରାନନ୍ଦ ଦଣ୍ଡସେନା କିଭଳି ଦଣ୍ଡ ପାଇବେ ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି। ସେହି ସମୟରେ ଜୟରାମ ପାଙ୍ଗିଙ୍କୁ ନେଇ ରାଜନୀତିକରଣ କରାଯାଇଥିଲା। ଏହି ମାମଲର ପୁନଃ ତଦନ୍ତ କରାଯାଉ; ଯଦି ମୋର ସଂପୃକ୍ତି ରହିଛି ତେବେ ମୋତେ ବି ଦଣ୍ଡ ଦିଆଯାଉ ବୋଲି ଶ୍ରୀ ପାଙ୍ଗି କହିଛନ୍ତି। ଯଦି ମୋର ଭୁଲ ଥିଲା ବୋଲି କୁହାଯାଉଛି ତାହା ଦେଲେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ରବି ନନ୍ଦ ଏବଂ ରାୟଗଡ଼ାର ନେତା ଭାସ୍କର ରାଓ କାହିଁକି ଦୋଷୀ ନ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର