ନୂଆଦିଲ୍ଲୀ: ରାଗିଗଲେ ଜୟା ବଚ୍ଚନ । ପୁଣି ଥରେ ଭାଇରାଲ ହେଲା ଜୟାଙ୍କ ରାଗ ଅନ୍ଦାଜ । ସର୍ବସାଧାରଣରେ ରାଗିବା, ଗାଳିଦେବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜୟା ଏବେ ପୁଣି ଥରେ ହେଡଲାଇନରେ ରହିଛନ୍ତି । ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରି ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ସାଂସଦ ଜୟା ବଚ୍ଚନ ।

Advertisment

ତେବେ କନଷ୍ଟିଚ୍ୟୁସନ କ୍ଲବରେ ଜୟା କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଅଜାଣତରେ ତାଙ୍କ ସହ ସେଲ୍ଫି ନେବାକୁ ଉଦ୍ୟମ କରୁଥିଲେ । ତାଙ୍କ ପାଖକୁ ଆସି ମୋବାଇଲ କାଢି ସେଲ୍ଫି ନେଉଥିଲେ । ଆଉ ଏତିକି ବେଳେ ହଠାତ୍ ଜୟାଙ୍କ ନଜର ପଡିଯିବା ପରେ ସେ ରାଗି ଯାଇଥିଲେ । ଆଉ ବ୍ୟକ୍ତିଙ୍କୁ ଧକ୍କା ମାରି ଗାଳି କରିଥିଲେ ।

କଣ କରୁଛନ୍ତି ଆପଣ… ଏ ସବୁ କଣ ? ବୋଲି କହି ରାଗି ପାଚି ମୁହଁକୁ ଝାଡି ରାଗ ତମତମ ମୁଦ୍ରାରେ ଚାଲିଯାଇଥିଲେ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ । ଜୟାଙ୍କ ରାଗ ଦେଖି ପୂରା ଚୁପ୍ ହୋଇଯାଇଥିଲେ ବ୍ୟକ୍ତି ଜଣଙ୍କ । ଜୟା ଏମିତି ରାଗିଥିଲେ ଯେ, ସତେକି ବ୍ୟକ୍ତି ଜଣଙ୍କ ବଡ଼ ଅପରାଧ କରି ଦେଇଛନ୍ତି । ଏତେ ଲୋକଙ୍କ ଭିତରେ, ସମସ୍ତଙ୍କ ଆଗରେ ଜୟା ବଚ୍ଚନ ଗାଳି କରିବା ପରେ ନିଜକୁ ଅସହଜ ମନେକରି ସେଠାରୁ ପଳାଇ ଯାଇଥିଲେ ବ୍ୟକ୍ତି ଜଣଙ୍କ । ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି ।

ଭିଡିଓ ଦେଖି ଲୋକେ ଜୟାଙ୍କ ଏଭଳି ବ୍ୟବହାରକୁ ନାପସନ୍ଦ କରିବା ସହ ତାଙ୍କୁ ଅହଙ୍କାରୀ, ଗର୍ବୀ ବୋଲି କମେଣ୍ଟ କରିଛନ୍ତି । ତେବେ ସେଲିବ୍ରିଟିଙ୍କ ସହ ସେଲ୍ଫି ନେବାକୁ ସଭିଙ୍କର ଇଚ୍ଛାଥାଏ । ଯଦିଓ ସେ ବ୍ୟକ୍ତି ଜୟାଙ୍କ ଅନୁମତି ନନେଇ ସେଲ୍ଫି ନେବାକୁ ଉଦ୍ୟମ କରିଛନ୍ତି, ହୋଇପାରେ ତାହା ତାଙ୍କ ଭୁଲ । ମାତ୍ର ଜଣେ ଜନ ପ୍ରତିନିଧି ଭାବେ, ଜଣେ ସେଲିବ୍ରିଟି ଭାବେ ତାଙ୍କର ଏଭଳି ବ୍ୟବହାର କରିବା ଉଚିତ ନଥିଲା ବୋଲି ଚର୍ଚ୍ଚା ହେଉଛି । ଖାଲି ଆଜି ନୁହେଁ ପୂର୍ବରୁ ମଧ୍ୟ ଜୟା ନିଜର ଏଭଳି ରାଗ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଛନ୍ତି ।