ରାସେଶ୍ବରୀ-ନବଙ୍କ ଉପରେ ବର୍ଷିଲେ ଜୟବ୍ରତ

ଜବାବ ରଖିଲେ ବିଧାୟିକା ରାସେଶ୍ବରୀ

ସମ୍ବଲପୁର : ବିଜେଡିରୁ ବହିଷ୍କୃତ ହେବା ପରେ ପୂର୍ବତନ ଏସ୍‌ଡିଏ ଅଧ୍ୟକ୍ଷ ଜୟବ୍ରତ ଦେ’ ସମ୍ବଲପୁର ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ବରିଷ୍ଠ ନେତା ନବ ଦାସଙ୍କ ଉପରେ ବର୍ଷିଛନ୍ତି। ବହିଷ୍କାର ପରେ ବି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ଜୟବ୍ରତ ସ୍ଥାନୀୟ ନେତୃବୃନ୍ଦଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦେ’ କହିଲେ, ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼ର ଖଣି, ଖାଦାନ ଓ ଶିଳ୍ପକୁ ଲୁଟିବାର ଯୋଜନା ଥିବା ଏକ ଗୋଷ୍ଠୀର ଚକ୍ରାନ୍ତରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ସମ୍ବଲପୁର ବିଜେଡି ଏବେ ମାମୁଁ-ଭଣଜା-ଭିଣୋଇଙ୍କ ଦଳରେ ପରିଣତ ହୋଇଛି ଓ ସେ ସେମାନଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ଅତୀତରେ ତାଙ୍କ ଅନୁଗାମୀ ଦେବାଶିଷ ପୁରୋହିତଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଭବିଷ୍ୟତରେ ବି ତାଙ୍କର ଓ ଦେବାଶିଷଙ୍କ ଜୀବନ ପ୍ରତି ବିପଦ ରହିଛି। ଫେବ୍ରୁଆରି ୨୮ରେ ‌ଜମି ପଟ୍ଟା ଦାବିରେ ସେ କରିଥିବା କାର୍ଯ୍ୟକ୍ରମର ବିପୁଳ ସଫଳତା ପରେ ତାଙ୍କୁ ହଟାଇବା ପାଇଁ ଡା. ରାସେଶ୍ବରୀ ପାଣିଗ୍ରାହୀ ଏବଂ ନବ ଦାସଙ୍କ ଯୋଡ଼ି ଚକ୍ରାନ୍ତ ଚଳାଇଥିଲେ। ବର୍ତ୍ତମାନ ଦଳରୁ ହଟାଇଥିବା ବେଳେ ଆଗକୁ ରାସ୍ତାରୁ ବି ହଟାଇ ଦେଇ ପାରନ୍ତି ବୋଲି ଶ୍ରୀ ଦେ’ କହିଥିଲେ।

ଏହି ଅବସରରେ ସମ୍ବଲପୁର ବିଧାନସଭାରୁ ସେ ଆଗାମୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ।

ଅନ୍ୟ ପକ୍ଷରେ, ଜୟବ୍ରତ ଦେ’ଙ୍କ ଅଭିଯୋଗ ସଂପର୍କରେ ପ୍ରତିକ୍ରିୟା ରଖି ସମ୍ବଲପୁର ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି ଯେ ବିଜେଡି ଏକ ଶୃଂଖଳିତ ଦଳ। ସେ (ଜୟବ୍ରତ) ଯାହା କରିଛନ୍ତି ତାହା ଖବର କାଗଜରେ ବାହାରିଛି। ମୁଖ୍ୟମନ୍ତ୍ରୀ ସବୁ ଖବର ପାଇଛନ୍ତି ଓ ସେହି ଅନୁଯାୟୀ ଯାହା ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେଥିରେ କାହାରି ଷଡ଼ଯନ୍ତ୍ରର ପ୍ରଶ୍ନ ଉଠୁ ନାହିଁ।

ସମ୍ବନ୍ଧିତ ଖବର