ସମ୍ବଲପୁର: ବିଜେଡିରୁ ବହିଷ୍କୃତ ହେବା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଜୟବ୍ରତ; ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କଲେ

ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଓ ବରିଷ୍ଠ ନେତା ନବ ଦାସଙ୍କ ଉପରେ ବର୍ଷିଲେ

ସମ୍ବଲପୁର: ବିଜେଡିରୁ ବହିଷ୍କୃତ ହେବା ପରେ ପୂର୍ବତନ ଏସ୍‌ଡିଏ ଅଧ୍ୟକ୍ଷ ଜୟବ୍ରତ ଦେ’ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ବରିଷ୍ଠ ନେତା ନବ ଦାସଙ୍କ ଉପରେ ବର୍ଷିଛନ୍ତି। ବହିଷ୍କାର ପରେ ବି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ଜୟବ୍ରତ ସ୍ଥାନୀୟ ନେତୃବୃନ୍ଦଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରବିବାର ଶ୍ରୀ ଦେ’ କହିଛନ୍ତି, ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼ର ଖଣି, ଖାଦାନ ଓ ଶିଳ୍ପକୁ ଲୁଟିବାର ଯୋଜନା ଥିବା ଏକ ଗୋଷ୍ଠୀର ଚକ୍ରାନ୍ତରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ସମ୍ବଲପୁର ବିଜେଡି ଏବେ ମାମୁଁ-ଭଣଜା-ଭିଣୋଇଙ୍କ ଦଳରେ ପରିଣତ ହୋଇଛି ଓ ସେ ସେମାନଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ଅତୀତରେ ତାଙ୍କ ଅନୁଗାମୀ ଦେବାଶିଷ ପୁରୋହିତଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା।

ଭବିଷ୍ୟତରେ ବି ତାଙ୍କର ଓ ଦେବାଶିଷଙ୍କ ଜୀବନ ପ୍ରତି ବିପଦ ରହିଛିଯ ଫେବ୍ରୁଆରି ୨୮ରେ ଜମି ପଟ୍ଟା ଦାବିରେ ସେ କରିଥିବା କାର୍ଯ୍ୟକ୍ରମର ବିପୁଳ ସଫଳତା ପରେ ତାଙ୍କୁ ହଟାଇବା ପାଇଁ ଡା. ରାସେଶ୍ୱରୀ ପାଣିଗ୍ରାହୀ ଏବଂ ନବ ଦାସଙ୍କ ଯୋଡ଼ି ଚକ୍ରାନ୍ତ ଚଳାଇଥିଲେ। ବର୍ତ୍ତମାନ ଦଳରୁ ହଟାଇଥିବା ବେଳେ ଆଗକୁ ରାସ୍ତାରୁ ବି ହଟାଇ ଦେଇ ପାରନ୍ତି ବୋଲି ଶ୍ରୀ ଦେ’ କହିଛନ୍ତି। ବିଧାୟିକାଙ୍କ ବିରୋଧରେ ସେ ଠିକାଦାର ପୋଷା, ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ, ରାଜନୀତିର ଅପରାଧୀକରଣ, ସାଂପ୍ରଦାୟିକ ଦଙ୍ଗା ସୃଷ୍ଟିର ପ୍ରୟାସ, ସୋସିଆଲ ମିଡିଆରେ ଫେକ୍‌ ଆଇଡି ଜରିଆରେ ଗାଳିଗୁଲଜ, ମୁସଲମାନ, ଭୂମିହୀନ, ହୀରାକୁଦ ଓ ବୁର୍ଲାବାସୀଙ୍କ ପ୍ରତି ବିଶ୍ୱାସଘାତକତା ଭଳି ଅଭିଯୋଗ ଆଣିବା ସହ ର୍ନିବାଚନ ପୂର୍ବରୁ ବିଧାୟିକା ଜେଲରେ ଥିବେ ବୋଲି କହିଥିଲେ।

ବିଗତ ୬ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଦେଇଛନ୍ତି। ଅନେକ କାମ ହୋଇଛି। ତେବେ ଏଥିରେ ବିଧାୟିକାଙ୍କ କେଣସି ଅବଦାନ ନାହିଁ। ସେ ସମ୍ବଲପୁର ବିକାଶ ମଞ୍ଚ ବ୍ୟାନରରେ ଯାହା ସବୁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ସବୁକୁ ପୂରଣ କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ତାଙ୍କର ଯେଉଁ ସମ୍ମାନ ଥିଲା ତାହା ସବୁ ଦିନ ଅତୁଟ ରହିବ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ ବୋଧ ହୁଏ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ଶ୍ରୀ ଦେ’ କହଛନ୍ତି।

ଏହି ଅବସରରେ ସମ୍ବଲପୁର ବିଧାନସଭାରୁ ସେ ଆଗାମୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ସଂଖ୍ୟାଲଘୁଙ୍କ ସଂପର୍କରେ ନିଜ ନୀତି ସଂପର୍କରେ ଶ୍ରୀ ଦେ’ କହିଛନ୍ତି ଯେ ସେ ମୁସଲମାନ ବିରୋଧୀ ନୁହନ୍ତି କିନ୍ତୁ ବାଂଲାଦେଶୀ ଅନୁପ୍ରବେଶ, ଗୋ ହତ୍ୟା, ଗୋରୁ ଚୋରାଚାଲାଣ, ଲଭ୍‌ ଜିହାଦ ଆଦିକୁ ସେ ବିରୋଧ କରୁଥିଲେ ଓ ଆଗକୁ ବି କରିବେ।

ଲୋକେ ବିଚାର କରିବେ: ରାସେଶ୍ୱରୀ
ଜୟବ୍ରତ ଦେ’ଙ୍କ ଅଭିଯୋଗ ସଂପର୍କରେ ପ୍ରତିକ୍ରିୟା ରଖି ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି ଯେ ବିଜେଡି ଏକ ଶୃଂଖଳିତ ଦଳ। ସେ (ଜୟବ୍ରତ) ଯାହା କରିଛନ୍ତି, ତାହା ଖବର କାଗଜରେ ବାହାରିଛି। ଦଳର ଆଭ୍ୟନ୍ତରୀଣ ଗୁଇନ୍ଦା ବ୍ୟବସ୍ଥା ବି ଅଛି। ତେଣୁ ମୁଖ୍ୟମନ୍ତ୍ରୀ ସବୁ ଖବର ପାଇଛନ୍ତି ଓ ସେହି ଅନୁଯାୟୀ ଯାହା ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେଥିରେ କାହାରି ଷଡ଼ଯନ୍ତ୍ରର ପ୍ରଶ୍ନ ଉଠୁ ନାହିଁ। ମୁଁ କେବେ କାହା ବିରୋଧରେ ଷଡ଼ଯନ୍ତ୍ର କରି ନାହିଁ। ମୁଁ କଣ କାମ କରିଛି, ନକରିଛି ତାହା ସମ୍ବଲପୁରବାସୀ ଜାଣିଛନ୍ତି। ସେମାନେ ଯଦି ଏତେ ସବୁ ଦାବି କରିଥିଲେ ତାହେଲେ କେଣସି କାମ କାହିଁକି ଆରମ୍ଭ ହୋଇ ନଥିଲା? ମୁଖ୍ୟମନ୍ତ୍ରୀ ସମ୍ବଲପୁରକୁ ୪ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ସେମାନେ ନିଜେ ମାନିଛନ୍ତି ଓ କଣ କାମ ହୋଇଛି ତାହା ଲୋକେ ଦେଖୁଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ବି ମୁଁ ସେବା କାର୍ଯ୍ୟରେ ଥିଲି ଓ ଆଗକୁ ବି ରହିବିଯ ଅପରାଧ ଓ ଅପରାଧୀଙ୍କ ସହ କାହାର ସଂପର୍କ ସମସ୍ତେ ଭଲ ଭାବରେ ଜାଣନ୍ତି। ଯଦି ମୋ ବିରୋଧରେ ସେଭଳି କିଛି ଅଭିଯୋଗ ଅଛି ତା’ହେଲେ ପ୍ରମାଣ ଦିଅନ୍ତୁ ଓ ଆଇନର ଆଶ୍ରୟ ନିଅନ୍ତୁ ବୋଲି ବିଧାୟିକା ପରାମର୍ଶ ଦେଇଥିଲେ। ଜୟବ୍ରତଙ୍କ ନିର୍ବାଚନ ଲଢିବା ସଂପର୍କରେ କହିଲେ ଯେ ଏହା ଏକ ଗଣତାନ୍ତ୍ରିକ ଦେଶ ଓ ଯେକେହି ଚାହିଁଲେ ର୍ନିବାଚନ ଲି ପାରିବେ। ତେଣୁ ସେ ନିର୍ବାଚନ ଲଢ଼ିଲେ ତାଙ୍କୁ ସ୍ୱାଗତ।

ସମ୍ବନ୍ଧିତ ଖବର