ଶ୍ରୀକାନ୍ତଙ୍କ ପାଇଁ ଦଳ ଛାଡ଼ିଲେ : ବିଜେପିରେ ଯୋଗଦେବେ ଜୟନାରାୟଣ

ବାଲେଶ୍ୱର : ନିକଟରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ବାଲେଶ୍ୱର ଜିଲ୍ଲାର ବରିଷ୍ଠ ନେତା ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ତଥା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଆସନ୍ତା ୨୯ ତାରିଖରେ ବିଜେପିରେ ଯୋଗ ଦେବେ। ଆଜି ଏକ ପ୍ରେସ୍‌ ବିବୃତିରେ ସେ ନିଜେ ଏଭଳି ସୂଚନା ଦେବା ପରେ ଏହାକୁ ନେଇ ଜିଲ୍ଲା ରାଜନୀତିରେ ସରଗରମ ଚର୍ଚ୍ଚା ଆରମ୍ଭ ହୋଇଛି।

ଶ୍ରୀ ମହାନ୍ତି ଜଣାଇଛନ୍ତି ଯେ, ସେ ୨୯ ତାରିଖରେ ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥତିରେ ୩ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସହ ଯୋଗଦାନ କରିବେ। ଶ୍ରୀ ମହାନ୍ତି ବିଜେପିକୁ ଯିବେ ବୋଲି ବେଶ୍‌ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା। ଜଳେଶ୍ୱର ଅଞ୍ଚଳରେ ତାଙ୍କ ସମର୍ଥକମାନେ ଏ କଥା ଖୋଲାଖୋଲି କହି ବୁଲୁଥିବାବେଳେ ରାଜନୈତିକ ପର୍ଯ୍ୟବେକ୍ଷକମାନେ ମଧ୍ୟ ଖୁବଶୀଘ୍ର ଏହା ଘଟିବାକୁ ଯାଉଛି ବୋଲି ପୂର୍ବାନୁମାନ କରିଥିଲେ। ତେବେ ବିଜେପିରେ ଯୋଗ ଦେବା ନେଇ ଶ୍ରୀ ମହାନ୍ତି ଯେଉଁ କାରଣ ଦର୍ଶାଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି।

ଶ୍ରୀ ମହାନ୍ତି କହିଛନ୍ତି ଯେ ଯଦିଓ ସେ କଂଗ୍ରେସ ଦଳ ଛାଡ଼ିଥିଲେ କିନ୍ତୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ନେତୃମଣ୍ଡଳୀଙ୍କ ଅନୁରୋଧରେ ସେ ଅନ୍ୟ କୌଣସି ଦଳରେ ଯୋଗଦାନ କରି ନ ଥିଲେ। କିନ୍ତୁ ଆଜି ବସ୍ତା ନିର୍ବାଚନମଣ୍ଡଳୀର ବାଲିଆପାଳରେ ତାଙ୍କ ଅନୁପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ସତ୍ୟଶିବ ଦାସ ଏକ ସଭା କରିଥିବାରୁ ସେ ତୁରନ୍ତ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୭ ତାରିଖରେ ସେ କଂଗ୍ରେସ ଦଳ ଛାଡ଼ିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହାପରେ ସେ ଖୁବ୍‌ଶୀଘ୍ର ଏକ ଜାତୀୟ ଦଳରେ ଯୋଗଦେଉଥିବା କଥା କହିଥିଲେ। ସେତେବେଳେ ତାଙ୍କ ସହିତ କଂଗ୍ରେସରୁ ବାଲେଶ୍ୱର ମୁନ୍‌ସିପାଲିଟିର ପୂର୍ବତନ କାଉନସିଲର ତଥା ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି ବିବେକାନନ୍ଦ ମହାନ୍ତି, ଜଳେଶ୍ୱର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଅଭିଜିତ ପ୍ରଧାନ, ଜଳେଶ୍ୱର ବ୍ଲକ୍‌ କଂଗ୍ରେସ କମିଟିର ପୂର୍ବତନ ସଭାପତି ଧୃବଚରଣ ପାଲ, ଜଳେଶ୍ୱର ବ୍ଲକ୍‌ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ମାନସ ଦାସ ମହାପାତ୍ର, ଜଳେଶ୍ୱର ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ସିପ୍ରାରାଣୀ ପରିଡ଼ା, ପ୍ରତିଭାରାଣୀ ଘୋଷ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ମଧୁମିତା ପ୍ରଧାନ, ଜଳେଶ୍ୱର ବ୍ଲକ୍‌ ପୂର୍ବତନ ଉପାଧ୍ୟକ୍ଷା ସୁମିତ୍ରା ଦାସ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର ସାମଲ, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ମନୋଜ ସାସମଲ ପ୍ରମୁଖ ମଧ୍ୟ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର