କଂଗ୍ରେସରେ ଯୋଗଦେବେନି ଜିଗ୍ନେଶ!

ଦଳିତ ପ୍ରସଙ୍ଗରେ ରାହୁଲଙ୍କ ସହ କଥା ହେବାକୁ ରାଜି

ଅହମଦାବାଦ୍‌: ଗୁଜରାଟରେ ପଟିଦାର ସମ୍ପ୍ରଦାୟକୁ ହାତ କରି ଉଭୟ ବିଜେପି ଏବଂ କଂଗ୍ରେସ ନିର୍ବାଚନ ବୈତରଣୀ ପାରିହେବା ପାଇଁ ଚେଷ୍ଟା ଜାରି ରଖିଥିବାବେଳେ ପଟିଦାର ଅନାମତ ଆନ୍ଦୋଳନ ସମିତି (ପାସ୍‌) ନେତାମାନଙ୍କର ଭିନ୍ନ ବୟାନ ଉଭୟ ଦଳର ଚିନ୍ତା ବଢ଼ାଇ ଦେଇଛି। ଆଜି ଗୁଜରାଟ ଦଳିତ ନେତା ଜିଗ୍ନେଶ ମେବାନୀ ଏଯାବତ୍‌ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳରେ ଯୋଗଦେବା ଯୋଜନା ପ୍ରସ୍ତୁତ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ, ସେ ଦଳିତ ସମ୍ପ୍ରଦାୟର ବିଭିନ୍ନ ଦାବି ପ୍ରସଙ୍ଗରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ କହିଛନ୍ତି।

ଗୁଜରାଟରେ ଦଳିତ ଆନ୍ଦୋଳନରେ ମୁଖ୍ୟ ସାଜିଥିବା ମେବାନି କହିଛନ୍ତି ଯେ ସେ ଦଳିତମାନଙ୍କର ୧୭ଟି ଦାବି ସମ୍ପର୍କରେ ରାହୁଲଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛନ୍ତି। ଅପରପକ୍ଷେ, ବିଜେପି ଦଳିତ ସମ୍ପ୍ରଦାୟର ଏହି ସବୁ ଦାବି ଶୁଣିବାକୁ ପ୍ରସ୍ତୁତ ନଥିବା ହେତୁ ବିଜେପି ଦଳିତ-ବିରୋଧୀ ବୋଲି ସ୍ପଷ୍ଟ ବାରି ହୋଇ ପଡ଼ୁଥିବା ମେବାନି କହିଛନ୍ତି। ବିଜେପି ଯେପରିି ଦଳିତ-ବିରୋଧୀ ମନୋଭାବ ପୋଷଣ କରୁଛି ସେ ମଧ୍ୟ ସେମିତି ବିଜେପି-ବିରୋଧୀ ହେବାକୁ ବାଧ୍ୟ ବୋଲି ସେ କହିଛନ୍ତି। ତେବେ ଏହାର ଅର୍ଥ ସେମାନେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ବୋଲି ଭାବିବା ଠିକ୍‌ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି।ସେହିପରି କଂଗ୍ରେସ କ୍ଷମତାକୁ ଆସିଲେ ଦଳିତ ସମ୍ପ୍ରଦାୟ ଲାଗି ଦଳ କ’ଣ କରିପାରିବ ତାହା ଜାଣିବା ଲାଗି ସେ ରାହୁଲଙ୍କ ସହ କଥା ହେବେ ବୋଲି ଇସାରା କରିଛନ୍ତି। ଅପରପକ୍ଷେ, ଜନ ଅଧିକାର ମଞ୍ଚ ଅଧ୍ୟକ୍ଷ ପ୍ରବୀଣ ରାମ ମଧ୍ୟ କଂଗ୍ରେସକୁ ସମର୍ଥନ କରିବା ସଂକେତ ଦେଇଛନ୍ତି। କଂଗ୍ରେସ ସେମାନଙ୍କର ସମସ୍ତ ଦାବି ପୂରଣ କରିବାର ପ୍ରତିଶ୍ରୁତି ଦେଲେ ତାଙ୍କ ମଞ୍ଚ କଂଗ୍ରେସକୁ ସମର୍ଥନର ହାତ ବଢ଼ାଇବ ବୋଲି ଆଜି ସୁରତରେ ପ୍ରବୀଣ ଗୁଜରାଟ କଂଗ୍ରେସ ମୁଖ୍ୟ ଭରତସିଂହ ସୋଲାଙ୍କିଙ୍କ ସହ ଏକ ବୈଠକରେ କହିଛନ୍ତି ।

ସମ୍ବନ୍ଧିତ ଖବର