ରାଞ୍ଚି : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), କଂଗ୍ରେସ ଏବଂ ଆରଜେଡି ମଧ୍ୟରେ ନିର୍ବାଚନ ପୂର୍ବରୁ ମେଣ୍ଟ ଘୋଷଣା ହୋଇଥିଲା। ଏଥିପାଇଁ ତିନି ଦଳ ମଧ୍ୟରେ ଆସନ ବୁଝାମଣା ହୋଇଥିଲା। ଜେଏମଏମ ୪୩ଟି ଆସନରେ ନିର୍ବାଚନ ଲଢ଼ୁଥିବା‌ବେଳେ କଂଗ୍ରେସ ୩୧ଟି ଆସନରେ ଏବଂ ଲାଲୁ ପ୍ରସାଦଙ୍କ ଆରଜେଡି ୭ଟି ଆସନରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ୪୩ଟି ଆସନ ମଧ୍ୟରୁ ଜେଏମଏମର ପାର୍ଥୀମାନେ ୩୦ଟି ଆସନରେ ଜିତିଥିବାବେଳେ କଂଗ୍ରେସ ପ୍ରାର୍ଥୀମାନେ ୩୧ଟିରୁ ୧୬ଟିରେ ଏବଂ ଆରଜେଡି ପ୍ରାର୍ଥୀମାନେ ୭ଟିରୁ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।

Advertisment

ବହଡ଼ାଗୋଡ଼ାରୁ ସମୀର ମହାନ୍ତି ବିଜୟୀ
ବହଡ଼ାଗୋଡ଼ା : ଝାଡ଼ଖଣ୍ଡର ବହଡ଼ାଗୋଡ଼ା ବିଧାନସଭା ଆସନ‌ରେ ଜେଏମ୍‌ଏମ୍‌ ନିଜର ବିଜୟ ଧାରା ଜାରି ରଖିଛି। ଏହି ଆସନରୁ ଜେଏମ୍‌ଏମ୍‌ ପ୍ରାର୍ଥୀ ସମୀର ମହାନ୍ତି ବିଜୟୀ ହୋଇଛନ୍ତି। ଗତ ୨୦୧୪ ନିର୍ବାଚନରେ ଏଠାରୁ କୁନାଲ୍‌ ଷଡ଼ଙ୍ଗୀ ଜେଏମ୍‌ଏମ୍‌ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ମାତ୍ର, ଚଳିତ ନିର୍ବାଚନ ପୂର୍ବରୁ କୁନାଲ୍‌ ଜେଏମ୍‌ଏମ୍‌ ଛାଡ଼ି ବିଜେପିର ହାତ ଧରିଥିଲେ। ବିଜେପି ପକ୍ଷରୁ ଟିକେଟ୍‌ ପାଇ ସେ ନିର୍ବାଚନ ଲଢିଥିଲେ। ମାତ୍ର, ବହଡ଼ାଗୋଡ଼ା ଭୋଟର ବିଜେପି ବଦଳରେ ପୁନର୍ବାର ‌ଜେଏମ୍‌ଏମ୍‌କୁ ନିର୍ବାଚିତ କରିଛନ୍ତି। ବହଡ଼ାଗୋଡ଼ା ବିଧାନସଭା ନିର୍ବାଚନମଣ୍ଡଳୀଟି ଓଡ଼ିଆ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଓଡ଼ିଆ ଭୋଟରଙ୍କ ଉପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରିଥାଏ। ତେଣୁ ଦୁଇ ଓଡ଼ିଆ ମଧ୍ୟ ଏଠାରୁ ପ୍ରାର୍ଥୀ ହୋଇଥିଲେ।