ବିଚାର ବିଭାଗୀୟ ତଦନ୍ତ : ସମାଲୋଚନା କଲେ କଂଗ୍ରେସ, ବିଜେପି

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମୁଖ୍ୟମନ୍ତ୍ରୀ ଆଜି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ଆରୋପ, ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ସରକାରଙ୍କ ଏହି ଘୋଷଣାକୁ ବିରୋଧୀ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି। ତେବେ ବିଚାର ବିଭାଗୀୟ ତଦନ୍ତ ଉପରେ ଭରସା ରଖିବାକୁ ଆଇନ୍‌ ମନ୍ତ୍ରୀ କହିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆମର ପ୍ରଶାସନ କ’ଣ ଏତେ ଅପାରଗ । ଦୁଇ ମାସ ଭିତରେ ଚାବି କୁଆଡ଼େ ଗଲା, ତାହା ପ୍ରଶାସନ ଜାଣିପାରିଲା ନାହିଁ। ଏଥି ପାଇଁ ବିଚାର ବିଭାଗୀୟ ତଦନ୍ତ ବସିବା ଦରକାର ପଡ଼ିଲା ? ପ୍ରଶାସନ ଓ ସରକାର କିପରି ଚାଲିଛି ? ଏସବୁ ସରକାରଙ୍କ ଲୋକଦେଖାଣିଆ କାର୍ଯ୍ୟ। ଶାସନରେ ଅଛନ୍ତି, ଯାହା ଇଚ୍ଛା କରୁଛନ୍ତି। ଲୋକଙ୍କ ଭାବାବେଗକୁ ପ୍ରଭାବିତ କରିବା ପାଇଁ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ଏପ୍ରିଲ୍‌ ୪ ତାରିଖରେ ଚାବି ନ ଥିବା ଜଣାପଡ଼ିଥିଲା। ଏହା ମଧ୍ୟରେ ଦୁଇ ମାସ ହୋଇଗଲାଣି। କିନ୍ତୁ ଏ ନେଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇ ନଥିଲା। ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖାଯାଇଥିଲା। ଦୁଇ ମାସ ଧରି ସରକାର କାହିଁକି ଚୁପ୍‌ ହୋଇ ବସିଥିଲେ। କାହାକୁ ସୁରକ୍ଷା ଦେବା ସରକାରଙ୍କ ଉଦ୍ଦେଶ୍ୟ ଥିଲା ? ଏବେ ସରକାର ନିଜ ଭାବମୂର୍ତ୍ତି ବଞ୍ଚାଇବାକୁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ଚାବିର ରକ୍ଷକ, ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇ ତୁରନ୍ତ ଜେଲ୍‌ ପଠାଯାଉ।

ତେବେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ବିଚାର ବିଭାଗୀୟ ତଦନ୍ତ ୩ ମାସ ମଧ୍ୟରେ ଶେଷ ହେବ। ଚାବି ହଜିବା ପ୍ରସଙ୍ଗର ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯିବ। କ୍ରାଇମ୍‌ବ୍ରାଞ୍ଚ୍‌ କିମ୍ବା ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ସରକାର ତଦନ୍ତକୁ ପ୍ରଭାବିତ କରିବେ ବୋଲି ବିରୋଧୀ ଦଳ ଅଭିଯୋଗ କରିଥା’ନ୍ତେ। କିନ୍ତୁ ବିଚାର ବିଭାଗୀୟ ତଦନ୍ତରେ ଏହି ଅଭିଯୋଗର କୌଣସି ସୁଯୋଗ ନାହିଁ। ତେଣୁ ଏହି ତଦନ୍ତ ଉପରେ ବିରୋଧୀ ଦଳ ଭରସା ରଖନ୍ତୁ। ନିଶ୍ଚିତ ଭାବେ ସତ୍ୟ ପଦାକୁ ଆସିବ। ପୂର୍ବରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର ବିଚାର ବିଭାଗୀୟ ତଦନ୍ତ କରାଇଛନ୍ତି ଓ ତଦନ୍ତର ସୁପାରିସ୍‌କୁ ବି କାର୍ଯ୍ୟକାରୀ କରିଛନ୍ତି।

ସମ୍ବନ୍ଧିତ ଖବର