ଗଜପତି: ଦଳ ଛାଡ଼ିଲେ ପାରଳାଖେମୁଣ୍ଡି ବିଧାୟକ କେ. ସୂରିଆ ରାଓ

ପାରଳାଖେମୁଣ୍ଡି: ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ କେ. ସୂରିଆ ରାଓ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳୀୟ ନେତାମାନେ ତାଙ୍କୁ ଅଣଦେଖା କରିଥିବା ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଛନ୍ତି। ଦଳ ଛାଡ଼ିବା ପୂର୍ବରୁ ସେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ନିଜ ସମର୍ଥକମାନଙ୍କୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା ପ୍ରକାଶ କରିଥିଲେ।

୨୦୧୪ ସାଧାରଣ ନିର୍ବାଚନରେ ୬୧ ହଜାର ଭୋଟ ପାଇ ପାରଳା ଆସନରୁ ବିଜୟ ଲାଭ କରିଥିବା କେ. ସୂରିଆ ରାଓ କଂଗ୍ରେସ ପ୍ରାର୍ଥୀ ଭାବେ ଗତ ନିର୍ବାଚନରେ ମାତ୍ର ୨୩ ହଜାର ଭୋଟ ପାଇବାରେ ସମର୍ଥ ହୋଇଥିଲେ। କେବଳ ସେତିକି ନୁହେଁ ବିଜେପି, ସ୍ୱାଧୀନ, ବିଜେଡି ପରେ କେ.ସୂରିଆ ରାଓ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଗୁମ୍ମା ବ୍ଲକକୁ ଛାଡିଦେଲେ ଅନ୍ୟ ସବୁ ବୁଥ ଗୁଡିକରେ କଂଗ୍ରେସ ପ୍ରାର୍ଥୀ ଭାବେ ସେ ସର୍ବନିମ୍ନ ଭୋଟ ପାଇଥିଲେ। ଏଣୁ ଫଳାଫଳ ଘୋଷଣାର ୩ ସପ୍ତାହ ନ ପୁରୁଣୁ କଂଗ୍ରେସ ଦଳ ଦୁର୍ବଳ ବୋଲି ମନ୍ତବ୍ୟ ପ୍ରକାଶ କରି ସେ ଦଳ ଛାଡିବେ ବୋଲି ସୂଚନା ଦେଇଛନ୍ତି।

କେଉଁ ଦଳରେ ଯୋଗ ଦେବେ ବୋଲି ପ୍ରଶ୍ନର ଉତ୍ତରରେ ସୂରିଆ ରାଓ ସ୍ପଷ୍ଟ କରିଛନ୍ତି। ସେ ଭାଜପାକୁ ଯିବେ ନାହିଁ। ଏଣୁ, ଏଭଳି ସ୍ଥିତିରେ ତାଙ୍କର ଏକମାତ୍ର ବିକଳ୍ପ ବିଜୁ ଜନତା ଦଳରେ ଯୋଗ ଦେବା । ତେବେ, ଆସନ୍ତା ୧୭ ତାରିଖ ପରେ ଏହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଥିଲେ। ଏ ନେଇ ଦଳର ସମସ୍ତ ନେତା ତାଙ୍କ ସହ କଂଗ୍ରେସ ଦଳ ଛାଡିବେ କି ବୋଲି ପ୍ରଶ୍ନ ଉଠିବା ସହ ସହରରେ ଏକ ରାଜନେତିକ ଆଲୋଡନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର