କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ : ବିଜେଡିକୁ ଘାରିଛି ଅନ୍ତଃକନ୍ଦଳ ଭୟ

ବୌଦ୍ଧ, (ସନ୍ତୋଷ ସିଂହଦେଓ): ୨୦୦୯ରେ ବାଲିଗୁଡ଼ା ନିର୍ବାଚନମଣ୍ଡଳୀରୁ ପୃଥକ ହୋଇ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଏକ ସ୍ବତନ୍ତ୍ର ନିର୍ବାଚନମଣ୍ଡଳୀର ମାନ୍ୟତ‌ା ଲାଭ କଲା। ନିର୍ବାଚନମଣ୍ଡଳୀ ଗଠନ ପରେ ଦୁଇଥର ନିର୍ବାଚନ ହୋଇଛି। ଏବଂ, ଦୁଇଥର ଯାକ ବିଜେଡି ବିଜୟ ହାସଲ କରିଛି।

୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭଗବାନ କହଁର ୪୫,୯୭୯ ଖଣ୍ଡ ଭୋଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନରେ ବିଜେଡି ଭଗବାନଙ୍କ ବଦଳରେ ମହୀଧର ରଣାଙ୍କୁ ପ୍ରାର୍ଥୀ କରିଥିଲା। ମହୀଧୀ ମଧ୍ୟ ବିଜୟ ହାସଲ କରିଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ହରି ନାରାୟଣ ପ୍ରଧାନଙ୍କୁ ୨୫,୩୬୬ ଭୋଟରେ ପରାସ୍ତ କରିଥିଲେ। ଦୁଇ ନିର୍ବାଚନର ଫଳାଫଳରୁ ଏହି ନିର୍ବାଚନମଣ୍ଡଳୀ ବିଜେଡିର ଦୁର୍ଗ ଭାବେ ପ୍ରତିପାଦିତ ହୋଇଛି।

ମାତ୍ର, ଚଳିତଥର ବିଜେଡି ନେତୃତ୍ବକୁ ଅନ୍ତଃକନ୍ଦଳର ଭୟ ଘାରିଛି। ବିଧାୟକ ମହୀଧର ଟିକଟ ଦୌଡ଼ରେ ପ୍ରଥମ ଦାବିଦାର ହୋଇଥିଲେ ମଧ୍ୟ ଏବଂ ତାଙ୍କ ପ୍ରତି ଦଳୀୟ ହାଇକମାଣ୍ଡଙ୍କ ସମର୍ଥନ ଥିବା କୁହାଯାଉଥିବାବେଳେ କିଛି ଦଳୀୟ ନେତା ଓ କର୍ମୀ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି। ସମୟ ସମୟରେ ‘ମହୀଧର ହଟାଅ, ବିଜେଡି ବଞ୍ଚାଅ’ ନାରାରେ ମେଳି ମଧ୍ୟ କରାଯାଉଛି। ବିଜେଡି ଶିବିରରେ ଲାଗି ରହିଥିବା ଏହି ଅନ୍ତଃକନ୍ଦଳର ଭୟ ମହୀଧର ଏବଂ ନିର୍ବାଚନମଣ୍ଡଳୀର ୧ଲକ୍ଷ ୫୯ହଜାର ୫୭୫ ଭୋଟରଙ୍କୁ କେତେ ଦୂର ପ୍ରଭାବିତ କରିଛି ତାହା ସମୟ କହିବ।

ତେବେ ଏହି ଅନ୍ତଃକନ୍ଦଳର ପରିଣାମ ସ୍ବରୂପ ବିଜେଡିରୁ ଏବେ ଏକାଧିକ ଆଶାୟୀ ବିଧାୟକ ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି। ପୂର୍ବ ବିଧାୟକ ଭଗବାନ କଁହରଙ୍କ ସମେତ ମହୀଧରଙ୍କ ରାଜନୈତିକ ଗୁରୁ ଭାବେ ପରିଚିତ ବର୍ତ୍ତମାନ ବୟନିକା ଅଧ୍ୟକ୍ଷ ଥିବା ଶେଷ ମେହେର, ବିଜେଡିର ଯୁବ ନେତା ଶ୍ରୀକାନ୍ତ ମିଶ୍ର ଏବଂ ପୂର୍ବରୁ ଦୁଇ ଥର ବ୍ଲକ ଅଧ୍ୟକ୍ଷ ରହିଥିବା ଶଙ୍କର ପ୍ରଧାନ ମଧ୍ୟ ଆଶାୟୀ ଥିବା ଚର୍ଚ୍ଚାକୁ ଆସୁଛି। ବର୍ତ୍ତମାନ କଣ୍ଟାମାଳ ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଭିନ୍ନ ଚିତ୍ର ଦେଉଛି। ପ୍ରତିଦ୍ବନ୍ଦ୍ବୀ ବିଜେପି ଓ କଂଗ୍ରେସକୁ ମାତ ଦେଇ ବିଜେଡି ନିଜ ଦୁର୍ଗକୁ ବଞ୍ଚାଇ ପାରିବ କି ନା ସେ ନେଇ ବିଭିନ୍ନ ମହଲରେ ବିଭିନ୍ନ ମତ ପ୍ରକାଶ ପାଉଛି। ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହରି ନାରାୟଣ ପ୍ରଧାନ ୨୩, ୮୩୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ସେ ପରାସ୍ତ ହେବାପରେ ଦଳରୁ ଓହରି ଯାଇଥିଲେ। ତେବେ ଏଥର କିଭଳି ଦଳ ଭଲ ପ୍ରଦର୍ଶନ କରିବ ତାହାର ରଣନୀତି ପ୍ରସ୍ତୁତି ଚାଲିଛି। ଏଠାରେ ମଧ୍ୟ ଉପଯୁକ୍ତ ପ୍ରାର୍ଥୀ ସଙ୍କଟ ରହିଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁଧୀର ମହାକୁଡ଼ ଓ ପ୍ରଶାନ୍ତ ସାହୁ ପ୍ରମୁଖ ଟିକଟ ଆଶାୟୀ ରହିଛନ୍ତି। ସେହିଭଳି ବିଜେପି ଏହି ଆସନରୁ କାହାକୁ ପ୍ରାର୍ଥୀ ଦେବ ତାହା ସ୍ପଷ୍ଟ ହୋଇ ନାହିଁ। ଗତ ଦୁଇଟି ସାଧାରଣ ନିର୍ବାଚନରେ ଦଳ ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲା। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ତୃଣମୂଳ ସ୍ତରରେ ସଂଗଠନକୁ ଦମ୍ଭ ମିଳିଥିଲା। କେନ୍ଦ୍ରର ହାୱାରେ ନିର୍ବାଚନ ବୈତରଣୀ ପାର ହେବା ଆଶାରେ ଏଥର ଆଶାୟୀ ମାଳ ମାଳ। ସେ ସମୟରେ କଂଗ୍ରେସ ପ୍ରାର୍ଥୀ ଥିବା କହ୍ନେଇ ଚରଣ ଡାଙ୍ଗ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ୨୩, ୬୮୮ଭୋଟ ପାଇବାରେ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେପିରେ ଯୋଗଦେଇଥିଲେ। ଏବେ ସେ ଟିକଟ ଆଶାୟୀ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଯୁବ ନେତା ଇଂ. ରାକେଶ ତ୍ରିପାଠୀ, ୨୦୧୪ର ବିଜେପିର ପ୍ରାର୍ଥୀ ରହିଥିବା ସୁଧାଂଶୁ ଡାଙ୍ଗ ଆଶାୟୀ ଭାବେ ଉଭା ହୋଇଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ମହୀଧର ରଣା          ୪୯,୨୦୨
କଂଗ୍ରେସ   ହରିନାରାୟଣ ପ୍ରଧାନ  ୨୩୮୩୬
ବିଜେପି    ସୁଧାଂଶୁ ଡାଙ୍ଗ          ୯,୩୩୬

ସମ୍ବନ୍ଧିତ ଖବର