ମୋଦିଙ୍କ ଉପରେ ବର୍ଷିଲେ କପିଲ୍‌

ଭୁବନେଶ୍ୱର : ଓଡିଶାରେ ହୀରାକୁଦ ଜଳଭଣ୍ଡାର, ରାଉରକେଲା ଇସ୍ପାତ କାରଖାନା, ନାଲ୍‌କୋ, ପାରାଦୀପ ବନ୍ଦର ଭଳି ବିଭିନ୍ନ ବଡ଼ ବଡ଼ ପ୍ରତିଷ୍ଠାନ ଛିଡ଼ା କରାଇଛି କଂଗ୍ରେସ। ବିଗତ ଚାରିବର୍ଷରେ ଅନେକ ସ୍ୱପ୍ନ ବିକ୍ରି କରିଛନ୍ତି ମୋଦି ସରକାର। ଏହି ସରକାର କହିଥିଲେ, ଦେଶ ପାଇଁ ଯେଉଁ ଯୋଜନାଗୁଡ଼ିକ ହେବ, ସେଥିରେ ଓଡ଼ିଶା ପ୍ରମୁଖ ସ୍ଥାନ ପାଇବ। ପୂର୍ବ ଭାରତକୁ ସମୃଦ୍ଧ କରିବା ପାଇଁ ଏହି ରାଜ୍ୟର ୪୮୦ କିମି ବ୍ୟାପୀ ଉପକୂଳ ସହିତ ସମାନ୍ତରାଳ ଭାବେ ଇଷ୍ଟର୍ଣ୍ଣ କରିଡର୍‌ କରାଯିବ। ଚାରିବର୍ଷ ବିତିଲା। କୁଆଡ଼େ ଗଲା ସେ ପ୍ରକଳ୍ପ? ଏହି ଚାରିବର୍ଷରେ ମୋଦି ଓଡ଼ିଶା ପାଇଁ କ’ଣ କରିଛନ୍ତି ପଚାରିବା ସହିତ ବିଜେପି ଉପରେ ଭୀଷଣ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ କପିଲ୍‌ ସିବଲ୍‌।

ଆଜି ମଧ୍ୟାହ୍ନରେ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଶ୍ରୀ ସିବଲ୍‌ କହିଛନ୍ତି ଯେ ସବୁଠାରୁ ବଡ଼ କଥା ହେଉଛି, ଓଡ଼ିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତାରଣା। ଓଡ଼ିଶାର ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ଧାନର ଉତ୍ପାଦନ ଖର୍ଚ ହିସାବରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କ୍ୱିଣ୍ଟାଲ୍‌ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ସର୍ବସମ୍ମତ ଭାବେ ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ବିଧାନସଭାର ଗୃହ କମିଟି ସଦସ୍ୟ ମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହିଥିଲେ। କିନ୍ତୁ ସେମାନଙ୍କୁ ସେ ସମୟ ଦେଲେନି। ଏଥିରୁ ରାଜ୍ୟର ଚାଷୀଙ୍କ ପ୍ରତି ତାଙ୍କର କେତେ ଦରଦ, ବେଶ୍‌ ସ୍ପଷ୍ଟ। ସେ ଚାଷୀଙ୍କ କଥା ଶୁଣିଲେନି। ଏଣୁ, ଚାଷୀମାନେ ସେମାନଙ୍କର ଗୋଟିଏ ବି ଭୋଟ୍‌ ବିଜେପିକୁ ନ ଦେବାକୁ ସିବଲ୍‌ ଆହ୍ଵାନ କରିଥିଲେ।

ଏହି ଚାରିବର୍ଷରେ ଓଡ଼ିଶା ପାଇଁ ମୋଦି କି ସ୍ୱତନ୍ତ୍ର ପ୍ୟାକେଜ୍‌ ଦେଇଛନ୍ତିି? ବରଂ ରାଜ୍ୟର ୨୨ ପ୍ରତିଶତ ଆଦିବାସୀ, ଦଳିତମାନଙ୍କ ପ୍ରତି ସେ ଅନ୍ୟାୟ କରିଛନ୍ତି। କେବିକେ ଜିଲ୍ଲାଗୁଡ଼ିକର ବିକାଶ ପାଇଁ ଚାଲିଥିବା ଯୋଜନା ବନ୍ଦ କରିଦେଇଛନ୍ତି। ପଛୁଆ ଅଞ୍ଚଳ ବିକାଶ ପାଣ୍ଠି(ବିଆରଜିଏଫ୍‌) ବି ଠପ୍‌। ରାଜ୍ୟର ୬୦ ଲକ୍ଷ ବେକାର ଯୁବକ ଯୁବତୀ ଏବେ ଏଠାରେ କାମଧନ୍ଦା ନ ପାଇଁ ଅନ୍ୟ ରାଜ୍ୟ ମାନଙ୍କରେ ଖଟୁଛନ୍ତି। ମୋଦିଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ପାରାଦୀପରେ ମୋଦି କହିଥିଲେ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ହଜାରେଙ୍କୁ ମିଳିଲା କି? ଏସବୁ ଓଡ଼ିଶା ପ୍ରତି ବିଜେପିର ବିଶ୍ୱାସଘାତକତା ନୁହେଁ କି? ଏଥିରୁ ସେ ଓଡ଼ିଶା ବିରୋଧୀ ବୋଲି ପ୍ରତିପାଦିତ ହେଉନାହିଁ କି ବୋଲି କଂଗ୍ରେସ ନେତା ପଚାରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ମଧ୍ୟ ବର୍ଷିଥିଲେ ସିବଲ୍‌। ସେ ପଚାରିଥିଲେ, ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କାହିଁକି ବିଜେପିକୁ ସହଯୋଗ କରୁଛନ୍ତି? ସେ କ’ଣ ପାଇଛନ୍ତି? ବିଧାନସଭାରେ ନବୀନ କହିଥିଲେ, ଛତିଶଗଡ଼ ସରକାର ମହାନଦୀ ଉପରେ ଶହେ ବନ୍ଧ ବାନ୍ଧିଲେ ବି ଚାଷୀମାନେ ପାଣି ପାଇବାରୁ ବଞ୍ଚିତ ହେବେନି। କୁଆଡ଼େ ଗଲା ତାଙ୍କର ଆସ୍ଫାଳନ? ଆଜି ମୋଦି ଆଶ୍ୱାସନା ଦେବେ କି ମହାନଦୀରୁ ସବୁ ବନ୍ଧ ଖୋଲିବ। ଚାଷୀ ପାଣି ପାଇବେ?

ପେଟ୍ରୋଲ୍‌, ଡିଜେଲ୍‌ ଦର ହୁ ହୁ ବଢ଼ିଚାଲିଥିବା ନେଇ ସିବଲ୍‌ ବିଜେପି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ଉପା ସରକାର ସମୟରେ ଯେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୧୦୭ ଡଲାର ଥିଲା, ପେଟ୍ରୋଲ୍‌ ଲିଟର ପିଛା ଦର ସର୍ବାଧିକ ୭୬ ଟଙ୍କାରେ ପହଞ୍ଚିଥିଲା। ଏବେ ବ୍ୟାରେଲ୍‌ ପିଛା ମୂଲ୍ୟ ୮୦ ଡଲାର ଥିବା ବେଳେ ପେଟ୍ରୋଲ୍‌ ମୂଲ୍ୟ ୮୫ ଟଙ୍କା ଟପିଲାଣି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୫୮ ଟଙ୍କା ହେଲାଣି। ମୋଦିଙ୍କର ୫୬ ଇଞ୍ଚର ଛାତି କୁଆଡ଼େ ଗଲା ବୋଲି ସେ କଟାକ୍ଷ କରିଥିଲେ।

ଦେଶ ପାଇଁ ଜଣେ ପ୍ରଧାନମନ୍ତ୍ରୀ କାମ୍‌ଦାର ହେବା ସହିତ ଇନାମଦାର ହେବା ଉଚିତ। କିନ୍ତୁ ମୋଦିଙ୍କର ସବୁ କଥାରେ ଜୁମ୍‌ଲା। ଯିଏ କଳାଧନ ବିରୁଦ୍ଧରେ ଜନମତ ସୃଷ୍ଟି କରୁଥିଲେ, ଆଜି ସିଏ ତା’ର ସୁରକ୍ଷା କବଚ ପାଲଟିଛନ୍ତିି। ପାନାମା ପେପର୍ସର ଜଣାଶୁଣା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି। ବରଂ ମୋଦି ସରକାର ଫେସ୍‌ବୁକ୍‌, ହ୍ଵାଟସ୍‌ଆପ୍‌, ଆମାଜନ୍‌, ପେଟିଏମ୍‌ ଭଳି କମ୍ପାନି, ଶିଳ୍ପପତି, କର୍ପୋରେଟ୍‌ ହାଉସ୍‌ମାନଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି। କୃଷି କ୍ଷେତ୍ରରେ ଟ୍ରାକ୍ଟର ହେଉ ବା କୃଷି ଉପକରଣ କିଣିଲେ, ଜିଏସ୍‌ଟି ଦେବାକୁ ପଡ଼ୁଛି। ଦେଶର ଇତିହାସରେ ପ୍ରଥମ ଥର ପାଇଁ ଚାଷୀଙ୍କ ଉପରେ ଟିକସ ବସାଯାଇଛି। ଦେଶରେ ଗରିବ, ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। କିନ୍ତୁ ଯେତେବେଳେ ଗରିବଙ୍କ ମଧ୍ୟରେ ଜାଗରଣ ଆସିବ, ଏ ସରକାର ଭୁଶୁଡ଼ି ପଡ଼ିବ ବୋଲି ସିବଲ୍‌ ସତର୍କ କରାଇ ଦେଇଥିଲେ।

ଦରଦାମ ବୃଦ୍ଧି ନେଇ କଂଗ୍ରେସ କାହିଁକି ନିରବ ପ୍ରଶ୍ନର ଉତ୍ତରରେ ସିବଲ୍‌ ‘କୋବ୍ରାପୋଷ୍ଟ’ ପ୍ରସଙ୍ଗ ଉଠାଇ ମିଡିଆର ଭୂମିକା ନେଇ ପାଲଟା ପ୍ରଶ୍ନ ପଚାରିଥିଲେ। ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୁଦ୍ଧରେ କଂଗ୍ରେସର ମହାଭିଯୋଗ ନେଇ ସେ ଦୁଃଖିତ ନୁହେଁ। ଦେଶରେ ବିଚାର ପ୍ରକ୍ରିୟା ସ୍ୱଚ୍ଛ କରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଥିବା ସଫେଇ ଦେଇଥିଲେ। କର୍ଣ୍ଣାଟକ ଭଳି ଆଗାମୀ ଦିନରେ କଂଗ୍ରେସ ବିଜେଡି ସହିତ ହାତ ମିଳାଇବାର ସମ୍ଭାବନାକୁ ପ୍ରଥମେ ସେ ଅସ୍ୱୀକାର କରିଥିଲେ ହେଁ ଦେଶର ଜନସାଧାରଣ ଯାହା ଚାହିଁବେ ସେଭଳି ହେବ ବୋଲି କହିଥିଲେ। ୨୦୧୯ ନିର୍ବାଚନରେ ମୋଦି ପୁରୀରେ ଲଢ଼ିବା ନେଇ ସେ କଟାକ୍ଷ କରି କହିଲେ, ବାରଣାସୀ ପାଇଁ କିଛି କରିପାରିଲେନି। ଦିଲ୍ଲୀରୁ ବି ତାଙ୍କ ସରକାର ଯିବ। ସେ ଗୁଜୁରାଟ୍‌କୁ ଫେରିଯିବେ ବୋଲି ସିବଲ୍‌ କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର