ସଙ୍କଟରେ କର୍ଣ୍ଣାଟକ ସରକାର, ରବିବାର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାରରେ ବିବାଦ ଥମିବାର ନାଁ ଧରୁନି। ବଜେଟ ଓ ଅନ୍ୟ ପ୍ରସଙ୍ଗକୁ ନେଇ ସହଯୋଗୀ ଦଳ କଂଗ୍ରେସ ଓ ଜେଡିଏସ୍‌ ମଧ୍ୟରେ ବିବାଦ ଜଟିଳ ରୂପ ନେଇଛି। କିଛି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଏବେ ବିଜେପି ସହ ହାତମିଳାଇବାକୁ ପ୍ରୟାସ ଆରମ୍ଭ କରିଦେଇଥିବାରୁ ଜୁଲାଇ ଶେଷ ସୁଦ୍ଧା ସରକାର ଭାଙ୍ଗିଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ ଗତ ୧୨ ଦିନ ହେବ ନେଚରପାଥି ଚିକିତ୍ସାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ମଧ୍ୟ ଆଜି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଆଜି ରାଜ୍ୟ ବିଜେପି ଏହି ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରବିବାର ଜେଡିଏସ୍‌-କଂଗ୍ରେସ ମଧ୍ୟରେ ଏହି କନ୍ଦଳକୁ ନେଇ ବୈଠକ ହେବ ବୋଲି ସୂଚନା ମିଳିଛି। ସିଦ୍ଦରାମେୟା ଗଣମାଧ୍ୟମକୁ ବୟାନ ଦେଇ ମେଣ୍ଟ ସରକାରର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ମନ୍ତବ୍ୟର ପ୍ରତିକ୍ରିୟା ଦେଇ ଜେଡିଏସ୍‌ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡ଼ା କହିଛନ୍ତି ଯେ, ତାଙ୍କ ଦଳକୁ କଂଗ୍ରେସ ହେୟଜ୍ଞାନ କଲେ ଏହାର ସଠିକ୍‌ ଜବାବ ଦିଆଯିବ। ଅପରପକ୍ଷେ, କଂଗ୍ରେସ ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ଯେ, ମେଣ୍ଟ ସରକାର ସ୍ଥାୟୀ। ଏହା ସମ୍ପୂର୍ଣ୍ଣ ୫ ବର୍ଷ ଯାଏଁ ଚାଲିବ। ଦଳରେ ବିଧାୟକଙ୍କ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷକୁ ନେଇ ଯେଉଁ ଚର୍ଚ୍ଚା ହେଉଛି,ତାହା ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି। ତେବେ ଜୁଲାଇ ୨ ତାରିଖରୁ କର୍ଣ୍ଣାଟକ ବିଧାନସଭା ଆରମ୍ଭ ହେବାକୁ ଯାଉଥିବାରୁ ଏହାର ଦିନକ ପୂର୍ବରୁ ଏଭଳି ବୈଠକ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି।

ସମ୍ବନ୍ଧିତ ଖବର