ଚିକିତ୍ସାସେବା ହେଉ କି ମନୋରଂଜନ ବା ରାଜନୀତି, ଏ ସବୁ କ୍ଷେତ୍ରର ଏକ ବିଶେଷତ୍ଵ ହେଲା ଯେ ଏ କ୍ଷେତ୍ରରେ ଥରେ ସଫଳ ହେଲେ ଜନସାଧାରଣଙ୍କର ଶ୍ରଦ୍ଧା ଅଜାଡ଼ି ହୋଇପଡ଼େ ଅଯାଚିତ ଭାବରେ। ସାଧାରଣ ମଣିଷର ସୁଖଦୁଃଖ ସହ ଯୋଡ଼ିହୋଇ ରହିବାର ଏସବୁ ପ୍ରକୃଷ୍ଟ କ୍ଷେତ୍ର। ତେବେ ଏହି ତିନୋଟିଯାକ କ୍ଷେତ୍ରରେ ଅପୂର୍ବ ପାରଦର୍ଶିତା ହାସଲକରିଥିଲେ ଆସ୍କାର ପ୍ରସିଦ୍ଧ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା,ଯେ କି ୧୯୮୧ ମସିହାରେ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସମ୍ମାନଜନକ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ। କମ୍ୟୁନିଷ୍ଟମାନଙ୍କ ଗଡ଼ଭାବେ ପରିଗଣିତ ହେଉଥିବା ଆସ୍କା ବିଧାନସଭା ଆସନରୁ ସେ ‘ଉତ୍କଳ କଂଗ୍ରେସ’ର ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିଲେ ୧୯୭୧ ମସିହାରେ।
୨୩ ଫେବ୍ରୁଆରି ୧୯୧୪ରେ ଜନ୍ମିତ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା ଥିଲେ ଜଣେ ବହୁମୁଖୀ ପ୍ରତିଭା। କଲିକତାର ଅଷ୍ଟାଙ୍ଗ ଆୟୁର୍ବେଦ ବିଦ୍ୟାଳୟରୁ ଆୟୁର୍ବେଦ ଶାସ୍ତ୍ର ଅଧ୍ୟୟନ କରି ସେ ଆସ୍କା ଅଞ୍ଚଳରେ ଜଣେ ଚିକିତ୍ସକ ହିସାବରେ ବେଶ୍ ଜନପ୍ରିୟତା ହାସଲ କରିଥିଲେ। ୧୯୩୭ରେ ‘ଉତ୍କଳ ଆୟୁର୍ବେଦିକ ଫାର୍ମାସୀ ଲିମିଟେଡ୍’ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରି ସେ ସାରା ଓଡ଼ିଶାରେ ଉତ୍କୃଷ୍ଟମାନର ଆୟୁର୍ବେଦୀୟ ଔଷଧ ଉପଲବ୍ଧ କରାଇଥିଲେ। ଏହାର ଶାଖା ଓଡ଼ିଶାର ସବୁ ଜିଲ୍ଲା, ଏପରିକି ପଡ଼ୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ରାଜ୍ୟରେ ମଧ୍ୟ ଖୋଲାଯାଇଥିଲା। ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ କରିଥିଲେ। ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ସେ ତୃଣମୂଳ ସ୍ତରରେ ଚିକିତ୍ସାସେବା ସହିତ କଂଗ୍ରେସର ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ତେବେ ନାଟକ ଓ ଅଭିନୟରେ ରୁଚି ରଖୁଥିବା କୃଷ୍ଣଚନ୍ଦ୍ର ଏତିକିରେ ସନ୍ତୁଷ୍ଟ ହୋଇନଥିଲେ। ୧୯୫୮ ମସିହାରେ ‘ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନ’ ନାମରେ ଏକ ସଂସ୍ଥା ପ୍ରତିଷ୍ଠା କରି ସେ ଯେଉଁ କେତୋଟି ଓଡ଼ିଆ ସିନେମା ନିର୍ମାଣ କରିଥିଲେ ତାହା ସେ ସମୟରେ ବେଶ୍ ଜନପ୍ରିୟ ହୋଇପାରିଥିଲା। ଏହି ବ୍ୟାନରରେ ୧୯୫୯ରେ ମୁକ୍ତିଲାଭ କରିଥିଲା ଶରତ ପୂଜାରୀଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ‘ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା’। ଏହାପରେ ୧୯୬୧ରେ ସାମାଜିକ ଚଳଚ୍ଚିତ୍ର ‘ପରିଣାମ’ ଏବଂ ୧୯୬୨ରେ ‘ଦସ୍ୟୁ ରତ୍ନାକର’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା।
୧୯୭୧ ମସିହାରେ ବିଜୁ ପଟ୍ଟନାୟକ ତାଙ୍କର ନବପ୍ରତିଷ୍ଠିତ ‘ଉତ୍କଳ କଂଗ୍ରେସ’ ଦଳ ତରଫରୁ ଓଡ଼ିଶା ସାରା ଖୋଜି ଖୋଜି ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ କରାଉଥିଲେ। ସେ ସମୟରେ ଆସ୍କା ବିଧାନସଭା ଆସନ ପାଇଁ ସେ ବାଛିଥିଲେ କୃଷ୍ଣଚନ୍ଦ୍ରଙ୍କୁ। କବିରାଜ ତ୍ରିପାଠୀଙ୍କ ପାଇଁ କିନ୍ତୁ ଆସ୍କା ଆସନ ଜିଣିବା ସହଜ ନଥିଲା। କାରଣ ସେଠାରେ ତାଙ୍କ ସହ ପ୍ରତିଦ୍ଵନ୍ଦ୍ୱିତା କରୁଥିଲେ ଆଗରୁ ଏହି ଆସନ ତିନିଥର ଜିଣିସାରିଥିବା କମ୍ୟୁନିଷ୍ଟ ନେତା ହରିହର ଦାସ। ତାଙ୍କ ଛଡ଼ା ସ୍ୱତନ୍ତ୍ର ପାର୍ଟି ଓ କଂଗ୍ରେସ ଦଳ ତରଫରୁ ମଧ୍ୟ ଆଉ ଦୁଇଜଣ ପ୍ରତିଦ୍ଵନ୍ଦ୍ୱୀ ଥାଆନ୍ତି। କିନ୍ତୁ ନିଜର ଉତ୍ସର୍ଗୀକୃତ ସେବା ବଳରେ ଜନସାଧାରଣଙ୍କ ମନ ଜିଣିପାରିଥିବା କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମାଏହି କଡ଼ା ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। କମ୍ୟୁନିଷ୍ଟ ପାର୍ଟିର ହରିହର ଦାସ ୧୯୨୬୩ ଖଣ୍ଡ ଭୋଟ ପାଇଥିଲାବେଳେ ସେ ୧୯୮୯୦ ଖଣ୍ଡ ଭୋଟ ପାଇ ୬୨୭ଟି ଭୋଟ ବ୍ୟବଧାନରେ ନିର୍ବାଚନ ଜିଣିଥିଲେ।
ବିଭିନ୍ନ କାରଣରୁ ଆସ୍କା ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ବିଜୁ ପଟ୍ଟନାୟକଙ୍କର ଏହି ଅଞ୍ଚଳ ସହିତ ଗଭୀର ଆବେଗିକ ସଂପର୍କ ରହିଥିଲା। ସ୍ୱାଧୀନତା ପରବର୍ତ୍ତୀ ଦୁଇଟି ସାଧାରଣ ନିର୍ବାଚନ ୧୯୫୨ ଓ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥପ୍ରସାଦ ଓ ସୋରଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ସଂଯୋଗକ୍ରମେ ତାଙ୍କ ଜୀବନର ଶେଷ ନିର୍ବାଚନ, ସେ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ି ବିଜୟୀ ହୋଇଥିଲେ। ୧୯୭୧ରେ କିନ୍ତୁ ଆସ୍କା ଆସନରୁ ଉତ୍କଳ କଂଗ୍ରେସ ପ୍ରାର୍ଥୀଙ୍କୁ ବିଧାନସଭାକୁ ଜିତାଇଆଣିବା ତାଙ୍କ ପାଇଁ ଆତ୍ମସମ୍ମାନର ପ୍ରଶ୍ନଥିଲା। କମ୍ୟୁନିଷ୍ଟ ଦଳ କବ୍ଜାରେ ଥିବା ଏହି ଆସନରୁ ଜିଣିବା ଦୁଃସାଧ୍ୟ ମନେହେଉଥିଲେ ହେଁ, କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଭଳି ସାଧାରଣ ଲୋକଙ୍କ ସୁଖଦୁଃଖ ସହ ଜଡ଼ିତ ଥିବା ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଇ ସେ ଏହି ଅସାଧ୍ୟ ସାଧନ କରିପାରିଥିଲେ।