ଦାବି ଉଠିଲା କେନ୍ଦ୍ରାପଡ଼ାରୁ
ନବୀନଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି

Advertisment

ଭୁବନେଶ୍ୱର : କିଛି ଦିନ ବ୍ୟବଧାନ ପରେ ପୁଣି ସାଂସଦ ବୈଜୟନ୍ତ ପଣ୍ଡା ପ୍ରସଙ୍ଗ ଉଠିଛି। ବିଜେଡିରୁ ନିଲମ୍ବିତ ହୋଇଥିବା ବୈଜୟନ୍ତଙ୍କୁ ଦଳରୁ ସମ୍ପୂର୍ଣ୍ଣ ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କର ବହିଷ୍କାର ଦାବି କେନ୍ଦ୍ରାପଡ଼ାର ବିଜେଡି ସଂଗଠନରୁ ହିଁ ଉଠିଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ବୈଜୟନ୍ତଙ୍କ ବହିଷ୍କାର ଦାବି କରିଛନ୍ତି। ଏ ନେଇ ଏକ ସ୍ମାରକପତ୍ର ସେ ସଭାପତିଙ୍କୁ ପ୍ରଦାନ କରିଛନ୍ତି। ତାଙ୍କର ଯୁକ୍ତି ରହିଛି, କେନ୍ଦ୍ରାପଡ଼ା ଜିଲ୍ଲାର ତୃଣମୂଳ ସ୍ତର କର୍ମୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ଦଳୀୟ କର୍ମକର୍ତ୍ତା ପର୍ଯ୍ୟନ୍ତ ସମସ୍ତେ ବୈଜୟନ୍ତଙ୍କ ବହିଷ୍କାର ଦାବି କରୁଛନ୍ତି। ତାଙ୍କୁ ଦଳରୁ ସମ୍ପୂର୍ଣ୍ଣ ବିଦା କଲେ ଜିଲ୍ଲାବାସୀ ଓ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନେତୃତ୍ୱ ଉପରେ ଅତୁଟ ରହିବ।

ଜିଲ୍ଲା ସଭାପତି ଶ୍ରୀ ସାହୁ ଦର୍ଶାଇଛନ୍ତି, ବୈଜୟନ୍ତ ବିଜେଡି ପ୍ରାର୍ଥୀ ହେଲା ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ। ଜଣେ ବ୍ୟକ୍ତି ଏ ନେଇ ଗତ ମାର୍ଚ୍ଚ ୧୫ ତାରିଖରେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଯେଉଁ ଅପରାଧିକ ମାମଲା ରୁଜୁ କରିଥିଲେ, ତାହାକୁ କୋର୍ଟ ଗ୍ରହଣ କରିଛନ୍ତି। ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ ଓ ବିଜେଡିର ଶୁଭେଚ୍ଛୁ ଅସନ୍ତୋଷ ପ୍ରକାଶ କରିବା ସହ ବୈଜୟନ୍ତଙ୍କ ଏପରି ଆଚରଣ ବିଜେଡିର ସ୍ୱାର୍ଥ ଓ ଶୃଙ୍ଖଳାର ବିରୋଧାଚରଣ କରୁଛି ବୋଲି କହିଛନ୍ତି।