କେରଳରେ କଂଗ୍ରେସକୁ ଧକ୍କା: ମହିଳା କଂଗ୍ରେସ ଉପ ସଭାପତି କେସି ରୋଜାକୁଟ୍ଟି ଦଳ ଛାଡ଼ି ଯୋଗଦେଲେ ଏଲଡିଏଫ୍‌ରେ

କୋଚି: କେରଳ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସକୁ ଲାଗିଛି ଏକ ବଡ଼ ଧକ୍କା। କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ଉପ-ସଭାପତି ତଥା ବରିଷ୍ଠ ନେତ୍ରୀ କେ.ସି ରୋଜାକୁଟ୍ଟି ଆଜି ଦଳରୁ ଇସ୍ତଫା ଦେଇ ଶାସକ ସିପିଆଇ(ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ରେ ଯୋଗ ଦେଇଛନ୍ତି। କଂଗ୍ରେସ ଦଳ ସହିତ ତାଙ୍କର ୩୭ ବର୍ଷରୁ ଅଧିକ ବର୍ଷର ସଂପର୍କକୁ ଛିନ୍ନ କରି ରୋଜାକୁଟ୍ଟି ତାଙ୍କ ନିଷ୍ପତ୍ତି ପାଇଁ ନିର୍ବାଚନରେ କଂଗ୍ରେସ ଦଳ ମହିଳାଙ୍କୁ ଅଣଦେଖା କରିଥିବା ଦର୍ଶାଇଛନ୍ତି।

କେସି ରୋଜାକୁଟ୍ଟି ଗଣମାଧ୍ୟମକୁ କହିଛନ୍ତି ଯେ ସେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଦସ୍ୟତା ସମେତ କେପିସିସି ଉପାଧ୍ୟକ୍ଷ ପଦରୁ ଏବଂ କେରଳ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ନବମ କେରଳ ବିଧାନସଭାରେ ସୁଲତାନ ବାଥେରୀ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଥିଲେ। ତାଙ୍କ ନିଷ୍ପତ୍ତି ଘୋଷଣା କରି ରୋଜାକୁଟ୍ଟି କହିଛନ୍ତି ଯେ ଦଳର ମହିଳାମାନଙ୍କୁ କଂଗ୍ରେସ ଅବହେଳା କରିଛି।

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ତାଲିକାକୁ ନେଇ କେରଳ କଂଗ୍ରେସ ଦଳ ମଧ୍ୟରେ ଏବେ ବିବାଦ ତୀବ୍ର ହୋଇଛି। କଂଗ୍ରେସ ମଧରେ ଆଭ୍ୟନ୍ତରୀଣ ବିବାଦ ଓ ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। କେରଳ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ କେରଳ କଂଗ୍ରେସର ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଯେପରି ଦଳରୁ ଇସ୍ତଫା ଦେଉଛନ୍ତି, ତାହା ଦଳର ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର