ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କାମ କରିବେ କିଶୋର ମହାନ୍ତି!

ଝାରସୁଗୁଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁସାରେ କାମ କରିବି ବୋଲି ବିଜୁ ଜନତା ଦଳର ଅନ୍ୟତମ ଜଣାଶୁଣା ନେତା କିଶୋର ମହାନ୍ତି ଗୁରୁବାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ନିକଟରେ କଂଗ୍ରେସ ଛାଡ଼ିଥିବା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ପାଇଁ ନିର୍ବାଚନରେ ପ୍ରଚାର କରିବେ କି ବୋଲି ପଚରାଯିବାରୁ ଗଣମାଧ୍ୟମର ପ୍ରତିନିଧିଙ୍କୁ ଝାରସୁଗୁଡ଼ା ଜିଲ୍ଲାର ଟାଣୁଆ ବିଜେଡି ନେତା କିଶୋର ମହାନ୍ତି କହିଛନ୍ତି, ଦଳର ସଭାପତି ଯାହା ଦାୟିତ୍ୱ ଦେବେ ମୁଁ ମାନିବି।

ନିକଟରେ କଂଗ୍ରେସ ଛାଡ଼ିଥିବା ନବ ଦାସ ଆଗାମୀ ବିଧାନସଭା ନିର୍ବାଚନରେ ଝାରସୁଗୁଡ଼ା ଆସନରେ ବିଜେଡି ଟିକେଟରୁ ନିର୍ବାଚନ ପଡ଼ିଆକୁ ଓହ୍ଲାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯଦି ଏହା ସତ ହୁଏ ତା’ହେଲେ ଝାରସୁଗୁଡ଼ାର ଅନ୍ୟତମ ବିଜେଡିର ଜଣାଶୁଣା ନେତା କିଶୋର ମହାନ୍ତି କ’ଣ କରିବେ ତାହା ଏବେ ପ୍ରଶ୍ନବାଚୀ ଉଠିଛି।

ସୂଚନାଯୋଗ୍ୟ ନବ ଦାସ ଆଗାମୀ ୨୪ ତାରିଖରେ ବିଜେଡ଼ିରେ ଯୋଗଦେବେ। ନବଙ୍କ ମିଶ୍ରଣ ପୂର୍ବରୁ କିଶୋର ମହାନ୍ତିଙ୍କୁ ମନେଇବାକୁ ବିଜେଡ଼ି ଉଦ୍ୟମ କରିଛି। ଏ ନେଇ ଝାରସୁଗୁଡ଼ା ଠାରେ ରୁଦ୍ଧଦ୍ୱାର ବୈଠକରେ ବିଜେଡିର ବରିଷ୍ଠ ନେତାମାନେ କିଶୋର ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଶୋର ମହାନ୍ତିଙ୍କ ସହ ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର