ଭୁବନେଶ୍ୱର : ଲିଭୁନି କୁନ୍ଦୁଲି ନିଆଁ। ପୀଡ଼ିତାଙ୍କ ମୃତ୍ୟୁ ପରଠାରୁ ବିଜେପି ପ୍ରତି ଦିନ କେଉଁଠି ନା କେଉଁଠି ବିକ୍ଷୋଭ ଓ ହରତାଳ ଚଳାଇଛି। ଆଜି ମଧ୍ୟ ବିଜେପି ପକ୍ଷରୁ ନବୀନ ନିବାସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ବିକ୍ଷୋଭକାରୀ ନବୀନ ନିବାସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ କିଛି ସମୟ ଲାଗି ନବୀନ ନିବାସ, ପଳାସପଲ୍ଲୀ, ବିମାନବନ୍ଦର ରାସ୍ତା ଜାମ୍‌ ହୋଇ ଯାଇଥିଲା। ବିକ୍ଷୋଭକାରୀଙ୍କୁ ହଟାଇବାକୁ ଗଲାବେଳେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହେବାରୁ ପୁଲିସ ଲାଠି ଚାଳନା କରିଥିଲା। ପ୍ରତିବାଦରେ ବିଜେପି କର୍ମୀମାନେ ପୁଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ। ଏଥିରେ ଉଭୟ ବିକ୍ଷୋଭକାରୀ ଓ ପୁଲିସ ଆହତ ହୋଇଥିଲେ। ଏହାକୁ ନେଇ ପୁଲିସ ନବୀନ ନିବାସ ନିକଟରେ ବ୍ୟସ୍ତ ଥିବାବେଳେ ଆଉ କିଛି ବିଜେପି କର୍ମୀ ସଚିବାଳୟ ଫାଟକ ନିକଟରେ ପହଞ୍ଚି ହୋହଲ୍ଲା କରିଥିଲେ। ପୁଲିସ ତୁରନ୍‌ ସେଠାରେ ପହଞ୍ଚି ବିକ୍ଷୋଭକାରୀମାନଙ୍କୁ ଗିରଫ କରିଥିଲା। ଏମିତି ଦିନତମାମ ବିଜେପି କର୍ମୀମାନେ ପୁଲିସକୁ ନାକେଦମ୍‌ କରି ରଖିଥିଲେ।

Advertisment

ଆଜି ବିଜେପି ପକ୍ଷରୁ ନବୀନ ନିବାସ ଓ ସଚିବାଳୟ ଘେରାଉ କରାଯିବ ବୋଲି କୌଣସି ଆଗୁଆ ସୂଚନା ଦିଆଯାଇ ନ ଥିଲା। କିନ୍ତୁ ଗୁଇନ୍ଦା ବିଭାଗ ଏ ନେଇ ଗତକାଲିଠାରୁ କମିସନରେଟ୍‌ ପୁଲିସକୁ ସୂଚନା ଦେଇ ସାରିଥିଲା। ଆଜି ଦିନ ପ୍ରାୟ ୧୨ଟାବେଳେ ହଠାତ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ଶତାଧିକ ଯୁବ ଓ ମହିଳାକର୍ମୀ ହାତରେ ଦଳୀୟ ପତକା, ବ୍ୟାନର ଆଦି ଧରି ସ୍ଲୋଗାନ ଦେଇ ଏକାବେଳକେ ଶିଶୁଭବନ ଛକ, ପଳାସପଲ୍ଲୀ ଓ ବିମାନବନ୍ଦର ପଟୁ ନବୀନ ନିବାସ ପର୍ଯ୍ୟନ୍ତ ମାଡ଼ି ଆସିଥିଲେ। ଫଳରେ ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇ ଯାଇଥିଲା। ୧୪୪ ଧାରାର ସୁରକ୍ଷା ବଳୟ ମଧ୍ୟରେ ବିଜେପି କର୍ମୀମାନଙ୍କୁ ଅଟକାଇବାକୁ ପୁଲିସ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଖବର ପାଇ ଅଧିକ ୫ ପ୍ଲାଟୁନ୍‌ ଫୋର୍ସ ନବୀନ ନବାସରେ ପହଞ୍ଚିଥିଲେ। ଏହା ପରେ ପୁଲିସ ସହିତ କର୍ମୀମାନଙ୍କ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ପରେ ସମସ୍ତଙ୍କୁ ଗିରଫ କରି ନିଆଯାଇଥିଲା।

ତେବେ ଏହି ସମୟରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ନ ଥିବାରୁ ବିଜେପିର କେତେକ କର୍ମୀ ସଚିବାଳୟ ଫାଟକ ନିକଟରେ ପହଞ୍ଚି ଯାଇଥିଲେ। କିନ୍ତୁ ସେଠାରେ ପୁଲିସ ପୂର୍ବରୁ ପ୍ରସ୍ତୁତ ହୋଇଥିବାରୁ କର୍ମୀମାନଙ୍କୁ ଗିରଫ କରି ନେଇଥିଲା।