କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ରାଜନୀତି ତେଜିଲା

ସିବିଆଇ ତଦନ୍ତ ପାଇଁ ଦାବି ଜଣାଇଲେ ଧର୍ମେନ୍ଦ୍ର

ବିଜେପିକୁ ଅକଳରେ ପକାଇଲେ ବିଜୟ
ନ୍ୟାୟିକ ତଦନ୍ତ ଅଧିକ ନିରପେକ୍ଷ ହେବ: ବିଜେଡି

ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ରାଜନୀତି କ୍ରମଶଃ ତେଜିଲାଣି। ଏହାକୁ ପ୍ରସଙ୍ଗ କରି ସରକାରକୁ ଅକଳରେ ପକାଇବା ଲାଗି ବିରୋଧୀ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଘଟଣାର ପ୍ରଥମ ୧୦୦ ଦିନରେ ଉଁ କି ଚୁଁ କହୁନଥିବା ବିଜେପି ପୀଡ଼ିତାର ମୃତ୍ୟୁ ପରେ ସକ୍ରିୟ ହୋଇଯାଇଛି। ଗୋଟିଏ ପଟେ ବିଜେପି ନେତାମାନେ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାରେ ସରକାରଙ୍କୁ ଟାର୍ଗେଟ୍‌ କରି କଡ଼ା ସମାଲୋଚନା କରିଛନ୍ତି। ସିଧା ସିଧା କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ଲାଲ ହୋଇଛି। ଏହି ମାମଲାରେ ଗଣଦୁଷ୍କର୍ମ ପୀଡ଼ିତାକୁ ପାଗଳି କୁହାଗଲା। ପ୍ରେମ ଜନିତ ବ୍ୟପାର କୁହାଗଲା। ତାହ ନିନ୍ଦନୀୟ। ପୁଲିସ ଡିଜିଙ୍କ ଠାରୁ ଆରମ୍ଭ କରି କୋରାପୁଟ ଏସ୍‌ପି ଓ ସର୍ବୋପରି ଗୃହମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆତ୍ମହତ୍ୟା ମାମଲାରେ ଦୋଷୀ। ସତ୍‌ସାହସ ଓ ନୈତିକତା ଥିଲେ ହରିୟାଣା ସରକାର ପରି ମୁଖ୍ୟମନ୍ତ୍ରୀଏହି ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦିଅନ୍ତୁ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ନବୀନ ପଟ୍ଟନାୟକ କ୍ଷମତାରେ ନିଶାସକ୍ତ ଓ ମଦମସ୍ତ। ଓଡ଼ିଆ ଲୋକଙ୍କ କୋହକୁ ବୁଝିପାରୁ ନାହାଁନ୍ତି। ଏହାର ଅଭିଶାପ ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡ଼ିବ। ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଦେବା ନାମରେ ବିଜେଡିର ଲୋକେ ଜଣେ ମହିଳାଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି । ଏହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଇଛନ୍ତି। ଯଦି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଏଇଆ ଥିଲା ତେବେ ଏହାଠାରୁ ବଡ କଳାଦିନ ଓଡିଶାରେ କିଛି ହୋଇ ନ ପାରେ।

ଧର୍ମେନ୍ଦ୍ରଙ୍କ ଏଭଳି ଆକ୍ରମଣ ସରକାରଙ୍କୁ ଅକଳରେ ପକାଇଛି କି ନାହିଁ, ତାହା ଜଣାପଡ଼ିନାହିଁ। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ କଟାକ୍ଷ ଚର୍ଚ୍ଚାର ବିଷୟ ହୋଇଛି। ଆଜି ଶ୍ରୀ ମହାପାତ୍ର ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ଗଣମାଧ୍ୟମକୁ କହିଛନ୍ତି, କୁନ୍ଦୁଲି ପୀଡ଼ିତାଙ୍କୁ କେନ୍ଦ୍ରୀୟ ଫୋର୍ସ ଗଣଦୁଷ୍କର୍ମ କରିଥିବା ନେଇ ମୂଳତଃ ଅଭିଯୋଗ ରହିଛି। ଯେହେତୁ ନିଜ କର୍ମଚାରୀଙ୍କ ସଂପୃକ୍ତି ରହିଛି, ଏଣୁ କେନ୍ଦ୍ର ସରକାର ଚାହିଁଲେ, ଏହି ଘଟଣାରେ ନିଜ ଆଡ଼ୁ ସିବିଆଇ ତଦନ୍ତ କରିପାରିବେ। ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା ପରିପ୍ରେକ୍ଷୀରେ ଏଥିରୁ କେହି ରାଜନୈତିକ ଫାଇଦା ହାସଲ କରିବା ଉଚିତ୍‌ ନୁହେଁ। ଏଣୁ ରାଜନେତାମାନେ କୁମ୍ଭୀର କାନ୍ଦଣା ନ କାନ୍ଦି ପୀଡ଼ିତାକୁ ନ୍ୟାୟ ଦେବା ପାଇଁ ଯତ୍ନବାନ ହେବା ଉଚିତ୍‌।

ଅନ୍ୟପକ୍ଷରେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଏହି ଘଟଣାରେ ସୁରକ୍ଷା କର୍ମୀଙ୍କ ନାମରେ ଅଭିଯୋଗ ରହିଛି। ଏଣୁ ଯେ କୌଣସି ତଦନ୍ତକାରୀ ସଂସ୍ଥା ଏହି ବର୍ଗକୁ ପ୍ରତିନିଧିତ୍ୱ କରୁଛନ୍ତି। ଏଭଳି ପରିପ୍ରେକ୍ଷୀରେ ଘଟଣାର ନ୍ୟାୟିକ ତଦନ୍ତ ଚାଲିଛି ଓ ଏହା ଅଧିକ ଉପଯୋଗୀ ଓ ନିରପେକ୍ଷ ହେବ। ପୀଡ଼଼ିତାକୁ ନ୍ୟାୟ ମିଳିବ ଓ ଦୋଷୀ ବି ଦଣ୍ଡ ପାଇବ।

ସମ୍ବନ୍ଧିତ ଖବର