କଟକ : ରାଜ୍ୟ କଂଗ୍ରେସର ମୁଖିଆ ବଦଳିବେ। କଟକରେ ନଗର କଂଗ୍ରେସ ପକ୍ଷରୁ ଆୟୋଜିତ ‘ସମୃଦ୍ଧ କଟକ ସଂକଳ୍ପ ସମାବେଶ’ ପରେ ଏ ପ୍ରକାର ଏକ ଚର୍ଚ୍ଚା ଜୋର ଧରିଛି। କଟକ ନଗର କଂଗ୍ରେସ ସଭାପତି ତଥା ପିସିସି କୋଷାଧ୍ୟକ୍ଷ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇ ନଥିଲେ। ପୂର୍ବତନ ପିିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଉପନେତା ଚିରଂଜୀବୀ ବିଶ୍ୱାଳଙ୍କୁ ନେଇ ମୋକିମ୍ ଏହି ସମାବେଶ ଆୟୋଜନ କରିଥିଲେ। ଆଗାମୀ ଦିନରେ ନିରଂଜନ-ନରସିଂହଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରୁ ବିଜେଡି ସରକାରକୁ ହଟାଇବ ବୋଲି ଦୃଢୋକ୍ତି କରିଥିଲେ। ଏହି ସମାବେଶର ଦିନକ ପୂର୍ବରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କୁନ୍ଦୁଲି ପୀଡିତାଙ୍କୁ ଭେଟିବା ଲାଗି କଟକ ବଡ ମେଡିକାଲ ଆସିଥିବା ବେଳେ ମୋକିମ୍ ସେଠାକୁ ଯାଇ ନଥିଲେ। ମୋକିମ୍ଙ୍କ ଏ ପ୍ରକାର କାର୍ଯ୍ୟକଳାପ ଆଉ ବକ୍ତବ୍ୟ ପିସିସି ମୁଖିଆ ବଦଳିବାର ଇଙ୍ଗିତ ବୋଲି କଂଗ୍ରେସ କର୍ମୀ ମହଲରେ ଆଲୋଚନା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ପିସିସି ମୁଖିଆ ପରିବର୍ତ୍ତନ ସଂପର୍କରେ ମୋକିମ୍ଙ୍କ ନିକଟରେ ଆଗୁଆ ସୂଚନା ରହିବା ଭଳି ଘଟଣା ପୂର୍ବରୁ ବି ଦେଖିବାକୁ ମିଳିଥିଲା। ନିରଂଜନ ପଟ୍ଟନାୟକ ପିସିସି ସଭାପତି ଥିବା ସମୟରେ ମୋକିମ୍ ତାଙ୍କର ଖୁବ୍ ଘନିଷ୍ଠ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ନିରଂଜନଙ୍କୁ ହଟାଇ ଜୟଦେବ ଜେନାଙ୍କୁ ପିସିସି ସଭାପତି ଘୋଷଣା କରାଯିବା ସଂପର୍କରେ କେହି କିଛି ଜାଣିବା ପୂର୍ବରୁ ମୋକିମ୍ ହୁଏତ ସେ ସଂପର୍କରେ ଆଗୁଆ ଜାଣି ଯାଇଥିଲେ। ନୂଆ ସଭାପତିଙ୍କ ନାମ ଘୋଷଣା ହେଉହେଉ ପୁରୀଘାଟ ନଗର କଂଗ୍ରେସ କାର୍ଯ୍ୟାଳୟ ଆଗରେ ନିରଂଜନଙ୍କ ଫଟୋ ଥିବା ହୋର୍ଡିଂ ଉତାରି ଜୟଦେବଙ୍କ ଫଟୋ ଥିବା ହୋର୍ଡିଂ ଲଗାଇ ଦେଇଥିଲେ। ସତେ ଯେମିତି ନୂଆ ହୋର୍ଡିଂ ଆଗୁଆ ପ୍ରସ୍ତୁତ ହୋଇ ରହିଥିଲା। ଅକ୍ଷୟ ତୃତୀୟାରେ ନିରଂଜନ ପଟ୍ଟନାୟକ ଅଖିମୁଠି ଅନୁକୂଳ କରୁଥିବା ବେଳେ ସେ ବି ଏ ସଂପର୍କରେ କିଛି ସୂଚନା ପାଇ ପାରି ନଥିଲେ। ନିର୍ବାଚନ ପରେ ଜୟଦେବଙ୍କୁ ହଟାଇ ପ୍ରସାଦ ହରିଚନ୍ଦନଙ୍କୁ ପିସିସି ସଭାପତି କରାଯିବା ପରଠାରୁ ପ୍ରସାଦଙ୍କର ଘନିଷ୍ଠ ଭାବେ ମୋକିମ୍ କାର୍ଯ୍ୟ କରି ଆସୁଥିଲେ। ଏବେ ହଠାତ ପ୍ରସାଦଙ୍କୁ ବାଦ ଦେଇ କଟକରେ ନିରଂଜନ ଓ ନରସିଂହଙ୍କୁ ନେଇ ବିଶାଳ ସମାବେଶ ଆୟୋଜନ କରିବା ହୁଏତ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନର ପୂର୍ବାଭାଷ ବୋଲି ଚର୍ଚ୍ଚା ହେଉଛି।