୩ ରାଜ୍ୟସଭା ଆସନ ଲାଗି ବିଜ୍ଞପ୍ତି ଜାରି; ଜାଣନ୍ତୁ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି କିଏ ?

ଭୁବନେଶ୍ୱର(ସୁବ୍ରତ ଦାସ): ରାଜ୍ୟର ଖାଲିଥିବା ତିନୋଟି ରାଜ୍ୟସଭା ଆସନ ଲାଗି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରୀ ହେବା ପରେ ରାଜ୍ୟରୁ କିଏ ରାଜ୍ୟସଭାକୁ ଯିବେ ସେଥିଲାଗି ଲବି ଆରମ୍ଭ ହୋଇଯାଇଛି।

ରାଜ୍ୟସଭା ସଦସ୍ୟ ପଦରୁ ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପ ଦେବ ଏବଂ ଅଚ୍ୟୁତ ସାମନ୍ତ ଇସ୍ତଫା ଦେବା ପରେ ଏହି ତିନୋଟି ପଦ ଖାଲିି ପଡିଛି। ରାଜ୍ୟସଭା ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକ ଓ ପ୍ରତାପ ଦେବ ଗତ ସାଧାରଣ ନିର୍ବାଚନରେ ଖଣ୍ଡପଡ଼ା ଓ ଆଳି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଅଚ୍ୟୁତ ସାମନ୍ତ କନ୍ଧମାଳ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ପୂର୍ବରୁ ଭୁବନେଶ୍ୱରର ପୂର୍ବତନ ଲୋକସଭା ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ପଠାଯିବ ବୋଲି ବିଜୁ ଜନତା ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଦୁହେଁ ଏଥର ଲୋକସଭା ଓ ବିଧାନସଭା ନିର୍ବାଚନ ବେଳେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବାରୁ ଅସନ୍ତୁଷ୍ଟ ହୋଇଥିଲେ। ତେଣୁ ଏହି ଦୁଇ ନେତା ପୁରୁଣା ନେତାଙ୍କୁ ତୁଷ୍ଟ କରିବା ଲାଗି ରାଜ୍ୟସଭାକୁ ପଠାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ଯଦି ପ୍ରତିଶ୍ରୁତି ମୁତାବକ ଏହି ଦୁଇ ନେତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ଟିକେଟ ଦିଆଯାଏ,ତେବେ ତୃତୀୟ ଆସନ ପାଇଁ ଟିକେଟ କିଏ ପାଇବେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏଥିଲାଗି ପୂର୍ବତନ ଏଜି ଅମର ପଟ୍ଟନାୟକ, ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଓ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି।

ଏଥିନେଇ ଶାସକ ଦଳ ମଧ୍ୟରେ ଲବି ଆରମ୍ଭ ହୋଇଯାଇଛିି। ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ସପ୍ତାହେ ହେଲା ଅନୁପସ୍ଥିତ ଥିଲେ ଏବଂ ଆଜି ସଂଧ୍ୟାରେ ଦିଲ୍ଳୀ ଗସ୍ତରୁ ଫେରିଛନ୍ତି। ତାଙ୍କର ପ୍ରତ୍ୟାବର୍ତ୍ତନ ପରେ ଦଳରେ ଲବି ଜୋରଦାର ହୋଇଛି।

ରାଜ୍ୟର ବିଧାୟକମାନେ ରାଜ୍ୟସଭା ପାଇଁ ଏହି ପରୋକ୍ଷ ନିର୍ବାଚନରେ ଅଂଶଗ୍ରହଣ କରିବେ। ରାଜ୍ୟ ବିଧାନସଭାର ମୋଟ ୧୪୭ଟି ଆସନ ମଧ୍ୟରୁ ଶାସକ ବିଜୁ ଜନତା ଦଳ ୧୧୨ଟି ଆସନ ପାଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଭାରତୀୟ ଜନତା ପାର୍ଟି ୨୩, କଂଗ୍ରେସ ୯ ଏବଂ ଅନ୍ୟାନ୍ୟ ଦଳ ଦୁଇଟି ଆସନ ପାଇଛନ୍ତି। ସଂଖ୍ୟା ଦୃଷ୍ଟିରୁ ଏହି ଦଳମାନେ ଏକା କୌଣସି ରାଜ୍ୟସଭା ଆସନ ଜିତିପାରିବେ ନାହିଁ। ତେଣୁ ତିନୋଟି ଯାକ ଆସନ ଶାସକ ବିଜୁ ଜନତା ଦଳ ହାତରେ ହିଁ ରହିବ। କେବଳ କିଏ କିଏ ରାଜ୍ୟସଭାକୁ ଯାଉଛନ୍ତି ତାହା ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର