ନୂଆଦିଲ୍ଲୀ: ଛତିଶଗଡ଼ରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଚଳିତ ଲୋକସଭା ନିର୍ବାଚନରେ ଆଉ କୌଣସି ପ୍ରକାରର ‘ରିସ୍କ’ ମୁଣ୍ଡାଇବାକୁ ଚାହୁଁନାହିଁ।

Advertisment

ସେଥିପାଇଁ ଛତିଶଗଡ଼ର ୧୧ଟି ଲୋକସଭା ଆସନ ମଧ୍ୟରୁ ଗତ ନିର୍ବାଚନରେ ଯେଉଁ ୧୦ଟି ଆସନରୁ ଦଳୀୟ ପ୍ରାର୍ଥୀମାନେ ଜିତି ସାଂସଦ ହୋଇଥିଲେ ଏଥରକ ନିର୍ବାଚନରେ ଦଳ ଆଉ ସେମାନଙ୍କୁ ପ୍ରାର୍ଥୀ କରିବ ନାହିଁ। ଫଳରେ ଗତ ଲୋକସଭାରେ ଦଳୀୟ ସାଂସଦ ଥିବା ୧୦ ପ୍ରାର୍ଥୀ ଏଥର ନିର୍ବାଚନରେ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି।

publive-image Photo Credit: Twitter

ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଠାରେ ଅନୁଷ୍ଠିତ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି, ନୀତୀନ ଗଡ଼କରୀ ଓ ରାଜନାଥ ସିଂହଙ୍କୁ ନେଇ ଗଠିତ ଦଳର ସିଇସି କମିଟି ଏହି ନିଷ୍ପତ୍ତି ନେଇଛି। ଏଥିସହ ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କର ଏକ ନୂତନ ତାଲିକା ଆସନ୍ତା କାଲି ସୁଦ୍ଧା ପଠାଇବାକୁ ଛତିଶଗଡ଼ ବିଜେପି ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦେଇଛି।

ଛତିଶଗଡ଼ ଦାୟିତ୍ୱରେ ଥିବା ବିଜେପିର ସାଧାରଣ ସଂପାଦକ ଅନୀଲ ଜୈନ୍‌ ଗଣମାଧ୍ୟମକୁ ଏହି ସୂଚନା ଦେବା ସହ କହିଛନ୍ତି, ‘ଚଳିତ ନିର୍ବାଚନରେ ଆମେ ନୁଆ ମୁହଁ, ନୂଆ ପ୍ରାର୍ଥୀ ଦେବା ସହ ନୂଆ ଯୋଶ୍‌ ନେଇ ନିର୍ବାଚନ ମଇଦାନ୍‌କୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛୁ’।

publive-image Photo Credit: Twitter

ଦଳର ଏହି ନିଷ୍ପତ୍ତି ଫଳରେ ଗତ ଲୋକସଭାରେ ଦଳୀୟ ସାଂସଦ ରୂପେ ନିର୍ବାଚିତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁତ୍ର ଅଭିଷେକ ମଧ୍ୟ ଏଥର ନିର୍ବାଚନରେ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି।