ଭୁବନେଶ୍ୱର : ଚାଷୀଙ୍କୁ ପେନ୍‌ସନ୍‌ ପ୍ରଦାନ ଦାବି ଜୋର ଧରିଥିବା ବେଳେ ଗତ ୨୩ ତାରିଖରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ କହିଛନ୍ତିି, ୬୦ ବର୍ଷ ବୟସର ଚାଷୀଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ। ଏହା ଚାଷୀକୁଳ ପାଇଁ ଉପହାସ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିିଛନ୍ତିି।

Advertisment

ଏକ ପ୍ରେସ୍‌ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଚାଷୀଙ୍କ କଟାଘା’ରେ ଚୂନ ବୋଳିଛି। ଆଗାମୀ ଦିନରେ ଚାଷୀ ସମାଜ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କୁ ଏହାର ଦୃଢ ଜବାବ ଦେବ। କଂଗ୍ରେସ ତରଫରୁ ଚାଷୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଦେବା ପାଇଁ ରାଜ୍ୟପାଳ, ବିଭାଗୀୟ ମନ୍ତ୍ରୀ ଓ ବଜେଟରେ ବ୍ୟୟ ବରାଦ କରିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗର ମଧୁବାବୁ ପେନସନ୍‌ ଯୋଜନାରେ ୨୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ବଜେଟ୍‌ରେ ୧୩୫୫.୪୨ କୋଟିର ବ୍ୟୟ ବରାଦ କରାଯାଇଛି। ଏଥିରେ ରାଜ୍ୟର ୪୭ ଲକ୍ଷରୁ ଅଧିକ ଚାଷୀ ପରିବାର କିପରି ମଧୁବାବୁ ପେନସନ୍‌ ଯୋଜନାରେ ସାମିଲ ହେବେ ସେ ନେଇ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି।