ବିଫଳତା ଲୁଚାଇବାକୁ ମହାନଦୀ ଢାଲ: ବିଜେପି

ଭୁବନେଶ୍ୱର : ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜେଡି ଘୋଷଣା କଲା ପରେ ଏହାର ଜବାବ ରଖିଛି ବିଜେପି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ସାରା ରାଜ୍ୟରେ ଏବେ ଜଳ ସମସ୍ୟା। ଲୋକେ ପିଇବା ପାଣି ପାଉ ନାହାନ୍ତି। ରାସ୍ତାରେ ମହିଳାମାନେ ହାଣ୍ଡି, ମାଠିଆ ଭାଙ୍ଗୁଛନ୍ତି। ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ରାଜ୍ୟ ସରକାର ନିଜ ବିଫଳତାକୁ ଲୁଚାଇବା ପାଇଁ ମହାନଦୀକୁ ଢାଲ କରିଛନ୍ତି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ପଞ୍ଚାୟତ ନିର୍ବାଚନ ସମୟରେ କଳସଯାତ୍ରା, ମେଲାଣି, ସାହାଣମେଲା କରିବା ପରେ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ଆଉ ଏକ ଗଳାବାଟ ଖୋଜିବାରେ ଲାଗିଛି ଶାସକ ଦଳ। ମହାନଦୀରେ କେତେ ପାଣି କମିଛି ଓ ବିଗତ ବର୍ଷ କେତେ ଥିଲା, ଏହାର ହିସାବ ସରକାର ଦେବାର ଆବଶ୍ୟକ ରହିଛି। ରାଜ୍ୟ ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ଓ ସଚିବ ଚୁପ୍‌ ଥିଲା ବେଳେ ବିଜେଡି ଏପରି କହିବାର କାରଣ କ’ଣ ? ରାଜ୍ୟରେ ୧୮ ବର୍ଷ ଧରି ଥିବା ସରକାର ଲୋକଙ୍କୁ ପାଇପ ଯୋଗେ ପିଇବା ପାଣି ଦେବାରେ ବିଫଳ ହୋଇଛି। ନଳକୂପ ମରାମତି କରିବା ପାଇଁ ସରକାରଙ୍କ ପାଖରେ ଲୋକ ନାହାନ୍ତି। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଚାଲିଥିଲା ବେଳେ ନିଜର ଅପାରଗତା ଓ ସ୍ଥାଣୁତା ଲୁଚାଇବା ପାଇଁ ବାଟ ଖୋଜୁଛି ଦଳ। ମହାନଦୀକୁ ନେଇ ସେତେବେଳର ଜଳସମ୍ପଦ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଯେଉଁ ତଥ୍ୟ ରଖିଥିଲେ, ତାହା ବିଜେପି ବିଗତ ଦିନରେ ସ୍ପଷ୍ଟ କରିଛି। ଏବେ କେବଳ ନିଜର ଆତ୍ମରକ୍ଷା ପାଇଁ ମହାନଦୀକୁ ଢାଲ କରାଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର