ବଙ୍ଗରେ ମମତା-ମୋଦୀ ପ୍ରତିଦ୍ୱନ୍ଦ୍ୱିତା: ମୋଦୀ ବ୍ରିଗେଡ୍‌ ରାଲି କରୁଥିବା ବେଳେ ଇନ୍ଧନ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିବେ ଦିଦି

ନୂଆଦିଲ୍ଲୀ: ଆଜି କୋଲ୍‌କାତାର ‘ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରାଲିରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇନ୍ଧନ ଦର ବୃଦ୍ଧିକୁ ବିରୋଧ କରି ସିଲିଗୁଡ଼ିରେ ଏକ ପ୍ରତିବାଦ ରାଲିରେ ଉଦ୍‌ବୋଧନ ଦେବେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଐତିହାସିକ ‘ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡ୍‌’ରେ ଆୟୋଜନ ହେବାକୁ ଥିବା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ବୋଧନ ଦେବେ। ଆଜି ଦିନ ୧.୨୦ରେ ପ୍ରଧାନମନ୍ତ୍ରୀ କୋଲ୍‌କାତାରେ ଅବତରଣ କରିବା ପରେ ଦିନ ୨ଟାରେ ଏହି ରାଲିରେ ଉଦ୍‌ବୋଧନ ଦେବେ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗ ଦେବେ। ଏଥିରେ ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ଶୁଣାଯାଉଛି। କାର୍ଯ୍ୟକ୍ରମ ଶେଷ କରି ସନ୍ଧ୍ୟା ୬.୧୫ରେ ପ୍ରଧାନମନ୍ତ୍ରୀ ପୁଣି ଦିଲ୍ଲୀ ଫେରି ଆସିବେ।

ପ୍ରାପ୍ତ ସୂଚନା ଅନୁସାରେ, ଆଜିର ରାଲି ହେଉଛି ଫେବ୍ରୁଆରି ମାସରୁ ପଶ୍ଚିମବଙ୍ଗରେ ବିଜେପି ଚଳାଇଥିବା ‘ପରିବର୍ତ୍ତନ ଯାତ୍ରା’ର ସମାବର୍ତ୍ତନ କାର୍ଯ୍ୟକ୍ରମ। ଉଲ୍ଲେଖଯୋଗ୍ୟ ସଂଖ୍ୟକ ଜନସମାଗମ କରି ବିଜେପି ଏହି ରାଲିକୁ ସଫଳ କରିବା ନିମନ୍ତେ ସବୁମତେ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

Image Courtesy of The Economic Times

ଅନ୍ୟ ପଟେ, ରନ୍ଧନ ଗ୍ୟାସ୍‌ ସମେତ ମାତ୍ରାଧିକ ଇନ୍ଧନ ଦର ବୃଦ୍ଧିକୁ ବିରୋଧ କରି ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସିଲିଗୁଡ଼ିରେ ଏକ ‘ପଦଯାତ୍ରା’ର ନେତୃତ୍ୱ ନେବେ।

ଏହି ‘ପ୍ରତିବାଦ ପଦଯାତ୍ରା’ ନିମନ୍ତେ ଆଜି ଦିନ ୧ଟା ବେଳେ ଦାର୍ଜିଲିଙ୍ଗ୍‌ରେ ହଜାର ହଜାର ଜନତା, ବିଶେଷକରି ମହିଳାମାନେ ସମବେତ ହେବେ ବୋଲି ବାନାର୍ଜୀ ସାମ୍ବାଦିକମାନଙ୍କୁ କହିଛନ୍ତି।

ସେ କହିଛନ୍ତି, ଏହି ପଦଯାତ୍ରାରେ ଭାଗ ନେବାକୁ ଥିବା ଅନେକ ଲୋକ ‘ଖାଲି ଏଲ୍‌ପିଜି ସିଲିଣ୍ଡର୍‌’ ଧରି ଆସିବେ।

ବାନାର୍ଜୀଙ୍କ ସହ ଏହି ‘ପଦଯାତ୍ରା’ରେ ଉତ୍ତରବଙ୍ଗକୁ ଯାତ୍ରା କରୁଥିବା ରାଜ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆଗକୁ ଥିବା ‘ଆନ୍ତର୍ଜାତିକ ମହିଳା ଦିବସ’ ଉପଲକ୍ଷେ ଏହି ରାଲି ଆୟୋଜନ କରାଯାଇଛି। ତେଣୁ, ବହୁସଂଖ୍ୟକ ମହିଳା ଏହି ରାଲିରେ ଯୋଗ ଦେବେ।

ଅନ୍ୟାନ୍ୟ ବହୁ ନେତାଙ୍କ ସମେତ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ ଏହି ରାଲିରେ ଯୋଗ ଦେବେ।

ସମ୍ବନ୍ଧିତ ଖବର