ରାଉରକେଲା: ରାଜ୍ୟରେ ବିଜେଡି ସରକାରର ଦୁର୍ନୀତି ସୀମା ଟପିଲାଣି। ‘ଆମ ଓଡିଶା-ନବୀନ ଓଡ଼ିଶା’ଯୋଜନା ନାଁରେ ୩,୭୦୦କୋଟି ଟଙ୍କା ଲୁଟ୍ କରିବାର ଯୋଜନା କରାଯାଇଛି। ଓଡ଼ିଶାରେ ବର୍ଷକୁ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ବିଜେଡି ନେତା, ଅଫିସରଙ୍କ ଭ୍ରଷ୍ଟାଚାର ପାଇଁ ଓଡ଼ିଶାର ବିକାଶ ହୋଇପାରୁନି। ଏଭଳି ଭାବେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆଗାମୀ ୬ ମାସ ଭିତରେ ଏହି ଦୁର୍ନୀତିଖୋର୍‌ ବିଜେଡି ସରକାରର ପତନ ହେବ। ଏଥର ବିଜେପି ଏକାକୀ ପୂର୍ଣ୍ଣ ବହୁମତ ଆଣି ଏକ ଲୋକାଭିମୁଖୀ ସରକାର ଗଠନ କରିବ ବୋଲି କହିଛନ୍ତି।
Advertisment
ରାଉରକେଲାସ୍ଥ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟକଳାପ ଉପରେ ପ୍ରବଳ ବର୍ଷିଛନ୍ତି। କହିଲେ, ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ, ତାକୁ ପୂରଣ କରିଛନ୍ତି। ମୋଦୀ ସରକାରଙ୍କ ଯୋଗୁଁ ରାଉରକେଲାରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ, ସୁପରସ୍ପେଶାଲିଟି ହସପିଟାଲ, ବିମାନ ସେବା ସମ୍ଭବ ହୋଇପାରିଛି। ରାଉରକେଲାକୁ ବନ୍ଦେଭାରତ ଏକ୍ସପ୍ରେସ୍‌ ଭେଟିଦେଇଛନ୍ତି। ଅପରପକ୍ଷରେ ରାଜ୍ୟ ସରକାର କିନ୍ତୁ ରାଉରକେଲାର ବିକାଶ ପ୍ରତି ଆଖିବୁଜି ଦେଇଛନ୍ତି। ରାଜ୍ୟ ସରକାର ଯେଉଁ ଦିନ ନୂତନ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରସ୍ତାବ ଦେବେ, ତା’ର ୨୪ ଘଣ୍ଟା ଭିତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନିଆଯିବ। ସେହିଭଳି ରାଉରକେଲା ବିମାନବନ୍ଦର ଜମିର ମାଲିକାନାସତ୍ତ୍ବ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) ଅନ୍ତର୍ଭୁକ୍ତ ହେବାକ୍ଷଣି ଲାଗିରହିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ। ଗତ ୧୧ ବର୍ଷ ହେଲା ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ନିର୍ବାଚନରେ ଖୋଦ୍‌ ରାଜ୍ୟ ସରକାର ବାଧକ ସାଜିଛନ୍ତି। ଏମିତିକି ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଅତ୍ୟାବଶ୍ୟକ ଜମି ଅଧିଗ୍ରହଣରେ ମଧ୍ୟ ସଂପୂର୍ଣ୍ଣଭାବେ ବିଫଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରର ସଫଳତା ବିଷୟରେ କହିଲେ, ଗତ ୯ବର୍ଷର ଶାସନରେ ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହୋଇଥିବାବେଳେ ୨୦୪୭ରେ ଏକ ବିକଶିତ ଦେଶରେ ପରିଣତ ହୋଇସାରିଥିବ। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଦ୍ୱାରା ୨ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି। କଂଗ୍ରେସ ସରକାର ସମୟରେ ୧୦ବର୍ଷ ଭିତରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କା ଆସିଥିବାବେଳେ ମୋଦି ସରକାର ଅମଳରେ ୯ବର୍ଷରେ ୧୮.୭୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଛି। କିନ୍ତୁ ବିଜେଡି ସରକାରର ଦୁର୍ନୀତି ଯୋଗୁଁ ଓଡ଼ିଶାବାସୀ ଏହାର ସୁଫଳ ପାଇପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ୩୨ ଲକ୍ଷ ଆବାସ ଦେଇଥିବାସତ୍ତ୍ବେ ରାଜ୍ୟରେ ଅନେକ ହିତାଧିକାରୀଙ୍କୁ ପକ୍କା ଘର ମିଳିପାରିନାହିଁ। କେନ୍ଦ୍ର ସରକାର ‘ଜଳ ଜୀବନ ମିଶନ’ ମାଧ୍ୟମରେ ରାଜ୍ୟକୁ ୧୫ ହଜାର କୋଟିରୁ ଉର୍ଦ୍ଧ୍ବ ଅନୁଦାନ ଦେଇଥିବାବେଳେ ବିଜେଡି ସରକାର ଏହି ଅର୍ଥକୁ ଲୁଟ୍ କରିଚାଲିଛନ୍ତି; ଯଦ୍ବାରା ଜନସାଧାରଣ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏସବୁ ପ୍ରସଙ୍ଗକୁ ନେଇ ଦୁଇ ମାସ ପୂର୍ବେ ଦଳ ପକ୍ଷରୁ ସମସ୍ତ ପଞ୍ଚାୟତରେ ଘେରାଉ କାର୍ଯ୍ୟକ୍ରମ କରାଯାଇଛି। ଆସନ୍ତା ୧୪ ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ, ପୌର ପରିଷଦ ଘେରାଉ କରାଯିବ ବୋଲି ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିମଳନୀରେ ସାଂସଦ ଜୁଏଲ ଓରାମ, ବିଧାୟିକା  କୁସୁମ ଟେଟେ, ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରୟ, ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।