ସୁରାଟ: ଗୁଜରାଟ ନିର୍ବାଚନ ପାଇଁ ପ୍ରଚାରରେ ଆସିଥିବା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଆଜି ସମାଲୋଚନା କରିବା ଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତୀତକୁ ବି ଆକ୍ଷେପ କରବାକୁ ଭୁଲିନାହାନ୍ତି। ନିଜର ସାଧାରଣ ପୃଷ୍ଠଭୂମି ପାଇଁ ମୋଦି ଅନ୍ୟମାନଙ୍କର ଦୟାର ପାତ୍ର ବୋଲି ଡ. ସିଂହ କହିବା ସହ ଏ କ୍ଷେତ୍ରରେ ସେ ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପସନ୍ଦ କରିବେନି ବୋଲି ବାହାସ୍ଫୋଟ ମାରିଛନ୍ତି। ନିଜର ଅତୀତ ଦର୍ଶାଇ ଏପରି ଅନୁଗ୍ରହ ଭିକ୍ଷା କରିବା ଅପେକ୍ଷା ସମ୍ମାନର ସହ ଭୋଟରଙ୍କ ସମର୍ଥନ ହାସଲ କରିବା ସେ ଚାହାନ୍ତି ବୋଲି କହିଛନ୍ତି।
ଶନିବାର ଏଠାରେ ଡ. ସିଂହ ଜନସାଧାରଣଙ୍କୁ ଉଦ୍ବୋଧନ ଦେବା ଅବସରରେ ମୋଦିଙ୍କ ସାଦାସିଧା ଅତୀତକୁ ପରୋକ୍ଷରେ ଆକ୍ଷେପ କରି କହିଥିଲେ, ‘ ମୁଁ ମୋର ବିନୀତ ପୃଷ୍ଠଭୂମି ପାଇଁ ଲୋକଙ୍କ ଅନୁଗ୍ରହ ହାସଲ କରିବାକୁ ଚାହେନି। ବିଶେଷ କରି ଏ ଦିଗରେ ମୁଁ ମୋଦିଙ୍କ ସହ କୌଣସି ପ୍ରତିଯୋଗିତା କରିବାକୁ ମଧ୍ୟ ପସନ୍ଦ କରୁନାହିଁ।’ ସେହିପରି ମୋଦି ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ମଧ୍ୟ ଡ. ସିଂହ ତୀବ୍ର ସମାଲୋଚନା କରିଛନ୍ତି। ଗତବର୍ଷ ନଭେମ୍ବର ୮ରେ ଯେଉଁ ଦିନ ମୋଦି ବିମୁଦ୍ରାକରଣ ନିଷ୍ପତ୍ତି ଘୋଷଣା କରିଥିଲେ, ତାହା ଭାରତୀୟ ଅର୍ଥନୀତି ପାଇଁ ବାସ୍ତବରେ କଳାଦିବସ ବୋଲି ଡ. ସିଂହ ବର୍ଣ୍ଣନା କରିବା ସହ ସାଧାରଣ ଲୋକ ଭୋଗିଥିବା କିଛି ଅସୁବିଧାକୁ ମଧ୍ୟ ଉଦ୍ଧାର କରି ଉଦାହରଣ ଦେଇଥିଲେ। ସେହିପରି ଗୁଜରାଟବାସୀଙ୍କ ଦୁଃଖ ଦୁର୍ଦ୍ଦଶା ତାଙ୍କଠାରୁ କେହି ଅଧିକ ବୁଝିପାରିବେନି ବୋଲି ମୋଦି କହି ଚାଲିଥିବା ବେଳେ ଗୁଜରାଟର କ୍ଷୁଦ୍ର ବେପାରୀ ଭୋଗୁଥିବା ଜିଏସ୍ଟି ଲାଗୁ ପରର ଦୁଃଖ କିପରି ମୋଦି ଜାଣିପାରୁନାହାନ୍ତି ବୋଲି ମନମୋହନ ପ୍ରଶ୍ନ କରିଛନ୍ତି।