ଭୋପାଳ: ମୁଁ ଗଲେ ଜନସାଧରଣଙ୍କ ଧ୍ୟାନ ମୋ ଉପରେ ରହିବ ଭାବି ଭୟରେ ହୁଏ ତ ସେମାନେ ମତେ ନିମନ୍ତ୍ରଣ କରିନାହାନ୍ତି ବୋଲି ବରିଷ୍ଠ ‘ବିଜେପି’ ନେତ୍ରୀ ଉମା ଭାରତୀ ରବିବାର ଦିନ ଦଳର ‘ଜନ ଆଶୀର୍ବାଦ ଯାତ୍ରା’ କାର୍ଯ୍ୟକ୍ରମର ଆୟୋଜକଙ୍କୁ ବିଦ୍ରୂପ କରି କହିଛନ୍ତି।
ସୂଚନାଯୋଗ୍ୟ, ରବିବାର ଦିନ ‘ବିଜେପି’ ମୁଖ୍ୟ ଜେ. ପି. ନଡ୍ଡା ଦଳର ‘ଜନ ଆଶୀର୍ବାଦ ଯାତ୍ରା’ ଶୁଭାରମ୍ଭ କରିଥିଲେ। କିନ୍ତୁ, ଏହି କାର୍ଯ୍ୟକ୍ରମକୁ ‘ବିଜେପି’ର ବରିଷ୍ଠ ନେତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଉପେକ୍ଷା କରାଯାଇଥିଲା। ଏଥିରେ ହତାଶା ବ୍ୟକ୍ତ କରି ୬୪ ବର୍ଷୀୟ ଉମା ଭାରତୀ କହିଛନ୍ତି, ମୁଁ ନିମନ୍ତ୍ରଣ ପାଇବା ଯୋଗ୍ୟ। ଏମିତି ବି ହୋଇପାରେ, ମୁଁ ଗଲେ ସମଗ୍ର ଜନତାର ଧ୍ୟାନ ମୋ ଉପରେ ପଡ଼ିବ। ଏଇ ଆଶଙ୍କାରେ ସେମାନେ ମତେ ଡାକି ନାହାନ୍ତି। ଯେମିତି, ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଦିଆ ସେମାନଙ୍କୁ ସରକାର ଗଠନ କରିବାରେ ସହଯୋଗ କରିଥିଲେ ସେଭଳି ୨୦୨୩ରେ ବି ସଂଖ୍ୟାଗରିଷ୍ଠ ସରକାର ଗଢ଼ିବାରେ ମୁଁ ସେମାନଙ୍କ ସାହାଯ୍ୟ କରିଛି।
/sambad/media/post_attachments/ddf781a87eec2739cc9e6915742a499681f50c557011811bd90ebb0b71927d97.jpg)
ସିନ୍ଦିଆଙ୍କୁ ମୁଁ ପୁତୁରା ଭଳି ସ୍ନେହ କରେ। ଯଦିବା ସେଠାକୁ ଯାଇ ନ ଥାନ୍ତି, ମୁଁ ଅନ୍ତତଃ ନିମନ୍ତ୍ରଣ ପାଇବା ଯୋଗ୍ୟ। ଏହାସତ୍ତ୍ବେ ମୁଁ ‘ବିଜେପି’ ପାଇଁ ପ୍ରଚାର କରୁଛି ଓ ଆଗାମୀ ନିର୍ବାଚନ ନିମନ୍ତେ ଦଳ ପାଇଁ ଭୋଟ୍ ମାଗୁଛି।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ‘ବିଜେପି’ ତା’ର ନେତାମାନଙ୍କୁ ଅପମାନ ଦେଉଛି। ‘ବିଜେପି’ ଉପପ୍ରଧାନମନ୍ତ୍ରୀ ଲାଲ୍କୃଷ୍ଣ ଆଡ଼ୱାନୀଙ୍କୁ ଉପେକ୍ଷା କରିଥିଲା, ମୁରଲୀ ମନୋହର ଯୋଶୀଙ୍କୁ ଅବସର ଦେଇଥିଲା। କିନ୍ତୁ, ଆମ ସଂସ୍କୃତି ଅନୁସାରେ, ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଦେଉ ନ ଥିବା ବ୍ୟକ୍ତିଙ୍କୁ ଈଶ୍ବର ବି କ୍ଷମା ଦିଅନ୍ତି ନାହିଁ।