ବିଜେଡ଼ି ଛାଡି ବିଜେପିରେ ଯୋଗ ଦେବେ ବରିଷ୍ଠ ଅଭିନେତା ମିହିର ଦାସ , କହିଲେ ବିଜେଡ଼ି ଦଳରେ ରହି କିଛି କରିବାର ଯୋଗ୍ୟତା ହେଲା ନାହିଁ

ଓଡ଼ିଆ ଚଳଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ରାଜନୀତିରେ ଗତ କଛି ବର୍ଷ ହେବ ସକ୍ରିୟ ଥିଲେ । ସେ ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ କରିଥିଲେ, ହେଲେ ଏବେ ମିହିର ଦାସ ବି.ଜେ.ଡି ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପିି) ରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ମିହିର ଦାସଙ୍କ ସହ ସମ୍ବାଦ ଡଟ ଇନ୍‌ ପକ୍ଷରୁ ଆଲୋଚନା କରିଥିଲେ ଶିବଶଙ୍କର ଓଝା ।

ପ୍ରଶ୍ନ: ଆପଣ ତ ଗତ କିଛି ବର୍ଷ ହେବ ବିଜେଡ଼ି ରେ ଥିଲେ । ସେଠି ଆପଣଙ୍କର ଅନୁଭବ କିପରି ରହିଲା ?
ଉ: କେବଳ ମୁଁ ନୁହେଁ ମୋ’ ପରିବାର ବି ଜନତା ଦଳ ଓ ପରେ ବିଜୁ ଜନତା ଦଳର ସମର୍ଥକ ଥିଲେ । ମୁଁ ପରେ ବିଜେଡିରେ ଯୋଗ ଦେଇଥିଲି । ହେଲେ କିଛି ବର୍ଷ ସେଠି ରହିବା ପରେ ମୁଁ ଅନୁଭବ କରିଲି ମୋର ବୋଧହୁଏ ସେହି ଦଳରେ ରହି କିଛି କରିବାର ଯୋଗ୍ୟତା ହେଲା ନାହିଁ ।
ପ୍ରଶ୍ନ: ଆପଣ କ’ଣ ବିଜେଡି ରେ ରହି ଅଣନିଶ୍ୱାସୀ ହୋଇ ଯାଇଥିଲେ?
ଉ: ଦେଖନ୍ତୁ ସେହି ଦଳର ନେତାଙ୍କ ବ୍ୟବହାର ଓ ଦଳୀୟ କାର୍ଯ୍ୟକଳାପ ମୋତେ ଭଲ ଲାଗିଲା ନାହିଁ । ଏଣୁ ମୁଁ ସେହି ଦଳରେ ରହିବାକୁ ଉଚିତ ମନେ କରୁ ନ ଥିଲି । ଏଥିରୁ ମୁକ୍ତ ହେବା ପାଇଁ ଠିକ୍‌ କରିଥିଲି। ହେଲେ ଏକ ବିକଳ୍ପ ସୁଯୋଗ ଅପେକ୍ଷାରେ ଥିଲି ।


ପ୍ରଶ୍ନ: ତା’ହେଲେ ବି.ଜେ.ପି ରେ ଯୋଗ ଦେବା ପାଇଁ ଆପଣଙ୍କୁ କିଏ ସୁଯୋଗ/ନିମନ୍ତ୍ରଣ ଦେଲେ?
ଉ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖପାତ୍ର ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପାଇଁ ମୋ’ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ । ମୋତେ ସେମାନଙ୍କର ନିମନ୍ତ୍ରଣ ଖୁବ୍‌ ଭଲ ଲାଗିଲା, ଯେଉଁଥିପାଇଁ ମୁଁ ବି.ଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଲି ।
ପ୍ରଶ୍ନ: ବି.ଜେ.ପି ରେ ଯୋଗ ନେବାର ଅନ୍ୟ କିଛି ନିର୍ଦ୍ଦିଷ୍ଟ କାରଣ ରହିଛି କି?
ଉ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି । ମୋଦି ହେଉଛନ୍ତି ସେହି ବ୍ୟକ୍ତି ଯିଏ ଅଧା ପୃଥିବୀକୁ ନିଜର କରି ସାରିଲେଣି, ଆଉ ପୁରା ଭାରତକୁ ନିଜର କରିବାକୁ ତାଙ୍କୁ କେତେ ବର୍ଷ ବା ଲାଗିବ ! ଏଣୁ ତାଙ୍କର କାର୍ଯ୍ୟଶୈଳୀରେ ଅଭିଭୂତ ହୋଇ ମୁଁ ବିଜେପିରେ ଯୋଗ ଦେଉଛି ।
ପ୍ରଶ୍ନ: ଅଭିନୟ ସହିତ ପ୍ରତ୍ୟକ୍ଷ ରାଜନୀତିରେ ବି ସକ୍ରିୟ ହେବେ କି?
ଉ: ମୁଁ ଅଭିନୟ ସହିତ ଗତ ୩୭ ବର୍ଷ ହେବ ଜଡିତ ରହି ଆସିଛି। ଅଭିନୟ ମାଧ୍ୟମରେ ଲୋକଙ୍କ ସଂସ୍ପର୍ଶରେ ରହିଛି । ପ୍ରତ୍ୟକ୍ଷ ରାଜନୀତିରେ ଲୋକଙ୍କ ସହ ସିଧାସଳଖ ରହିବି ବୋଲି ମଧ୍ୟ ଭାବୁଛି। ବାକି ଦଳ ଯାହା ନିଷ୍ପତ୍ତି ନେବ, ମୁଁ ତାହା କରିବି । ଦଳ ପ୍ରାର୍ଥୀ କରିଲେ ନିର୍ବାଚନରେ ବି ପ୍ରତିଦ୍ୱନ୍ଦ୍ୱିତିତା କରିବି

ସମ୍ବନ୍ଧିତ ଖବର