ଭୁଲ୍‌ ସତ୍ୟପାଠ ଦେଇଛନ୍ତି ପୋଲସରା ବିଧାୟକ

ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ଅଭିଯୋଗ

ମାଟ୍ରିକ୍‌ ଫେଲ୍‌ ହୋଇଛି, କଲେଜ ଯାଇନି: ବିଧାୟକ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନିର୍ବାଚନ ସମୟରେ ଭୁଲ୍‌ ଶିକ୍ଷାଗତ ଯୋଗ୍ୟତା ଦେଇଥିବା ନେଇ ଅଭିଯୋଗ କରିଛି ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ। ଏନେଇ ଆଜି ସ୍ଥାନୀୟ ନେହେରୁ ଯୁବ ପ୍ରତିଷ୍ଠାନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଭାପତି ସମରଜିତ୍‌ ମହାନ୍ତି ଅଭିଯୋଗ କରିଛନ୍ତି ଯେ ବିଧାୟକ ଶ୍ରୀ ସାହୁଙ୍କ ଶିକ୍ଷାଗତ ଯୋଗ୍ୟତା ବିଧାନସଭା ଓ୍ଵବସାଇଟ୍‌ରେ ‘ଦଶମ’ ପାସ୍‌ ବୋଲି ଉଲ୍ଲେଖ ହୋଇଛି। ସେ ପୋଲସରା ହାତୀଓଟ ହାଇସ୍କୁଲରୁ ଦଶମ ପାସ୍‌ କରିଥିବା ମଧ୍ୟ ଉଲ୍ଲେଖ ରହିଛି। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ହାତୀଓଟ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଶ୍ରୀ ସାହୁ ମାଟ୍ରିକ୍‌ ଫେଲ୍‌ ହୋଇଛନ୍ତି।

ସେହିପରି ବିଧାୟକ କୋଦଳାସ୍ଥିତ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଯୁକ୍ତ୨ କଳା ବିଭାଗରେ ନାମ ଲେଖାଇଛନ୍ତି ବୋଲି ଜଣାଯାଇଛି। କିନ୍ତୁ କଲେଜ କର୍ତୃପକ୍ଷ ଯେତେବେଳେ ମୂଳ ସାର୍ଟିଫିକେଟ୍‌ ଦାଖଲ କରିବା ପାଇଁ ତାଙ୍କୁ କହିଥିଲେ ସେତେବେଳେ ବିଧାୟକ ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ବିଦ୍ୟାପୀଠ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ସରକାରୀ ଜୁନିଅର କଲେଜରୁ ମାଟ୍ରିକ୍‌ ପାସ୍‌ କରିଥିବାର କାଗଜପତ୍ର ଦାଖଲ କରିଥିଲେ। ଫର୍ମ ପୂରଣ ସମୟରେ ମୂଳ ସାର୍ଟିଫିକେଟ ଦେଖାଇବାକୁ ସେ ଅସମର୍ଥ ହେବାରୁ ତାଙ୍କ ନାମଲେଖାକୁ ରଦ୍ଦ କରି ଦିଆଯାଇଥିଲା। ବୃନ୍ଦାବନ ବିଦ୍ୟାପୀଠ ପ୍ରଧାନଶିକ୍ଷକଙ୍କ ତଥ୍ୟ ଅନୁଯାୟୀ ଶ୍ରୀ ସାହୁଙ୍କ ନାମରେ କୌଣସି ଏସ୍‌ଏଲ୍‌ସି ଦିଆଯାଇ ନାହିଁ। ବିଧାୟକ ଶ୍ରୀ ସାହୁଙ୍କ ଶିକ୍ଷାଗତ ଯୋଗ୍ୟତାରେ ତାଳମେଳ ରହୁ ନ ଥିବାରୁ ଓଡ଼ିଶା ନିର୍ବାଚନ କମିସନ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଅଭିଯୋଗର ଉତ୍ତରରେ ବିଧାୟକ ଶ୍ରୀ ସାହୁ କହିଛନ୍ତି ଯେ ସେ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ଦଶମ ବୋଲି ଲେଖିଛନ୍ତି। ଦଶମ ପାସ୍‌ ବୋଲି ଲେଖିନାହାନ୍ତି। ଦଶମ ପରୀକ୍ଷା ଦେଇ ଫେଲ୍‌ ହୋଇଛନ୍ତି। କଲେଜକୁ ଏପର୍ଯ୍ୟନ୍ତ ଯାଇନାହିଁ। ନିର୍ବାଚନ ମଣ୍ଡଳୀରେ ମୋର ଲୋକପ୍ରିୟତା ବଢ଼ିବା ପରେ ସେ ଈର୍ଷାନ୍ଵିତ ହୋଇ ଏପରି କହୁଛନ୍ତି। ଯଦି ଏଭଳି କୌଣସି ତଥ୍ୟ ତାଙ୍କ ପାଖରେ ରହିଥିଲା ସେ ପୂର୍ବରୁ କହିପାରିଥାନ୍ତେି। ହେଲେ ବିଧାୟକ ହେବାର ୩ ବର୍ଷ ୬ ମାସ ପରେ ସେ କାହିଁକି ଏକଥା ଉଠାଉଛନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର