କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେଡି ସରକାର ଗଢିବ : ଉମେଶ ଚନ୍ଦ୍ର ସ୍ବାଇଁ, ପୂର୍ବତନ ବିଧାୟକ

ନେତାଙ୍କ କଥା

ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିଲା ଯାତ୍ରା। କିନ୍ତୁ ବିଭିନ୍ନ ସମୟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଉମେଶ ସ୍ବାଇଁ। ୨୦୧୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନଥିଲେ ବି ୨୦୧୯ ନିର୍ବାଚନରେ ବିଜେଡି ଟିକେଟ ପାଇଁ ଦାବି ରଖୁଛନ୍ତି ଉମେଶ। ନିର୍ବାଚନରେ ପୁଣି ଥରେ ପ୍ରାର୍ଥୀ ହେବା ପାଇଁ ବିଜେଡିରୁ ଯଦି ଟିକେଟ ମିଳେ, ତେବେ ନିଶ୍ଚୟ ଜିତିବି ବୋଲି କୁହନ୍ତି ଉମେଶ। ବାଲିକୁଦା ବ୍ଲକ୍ ଅନ୍ତର୍ଗତ ମାଛଗାଁର ବାସିନ୍ଦା ହେଉଛନ୍ତି ଉମେଶ ଚନ୍ଦ୍ର ସ୍ବାଇଁ। ୧୯୭୭ରେ ଜନତା ପାର୍ଟି ଟିକେଟରେ ବାଲିକୁଦା ଆସନରୁ ନିର୍ବାଚନ ଲଢ଼ି ପ୍ରଥମ ଥର ବିଧାୟକ ହୋଇଥିଲେ। ୧୯୮୦ ଓ ୧୯୮୫ ନିର୍ବାଚନରେ ବାଲିକୁଦା ଆସନରୁ ନିର୍ବାଚନ ଲଢି ହାରିଥିବା ବେଳେ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ସେହି ଆସନରୁ ଲଢି ଦ୍ବିତୀୟ ଥର ବିଧାୟକ ହୋଇଥିଲେ। ୧୯୯୫ ନିର୍ବାଚନରେ ହାରିବା ପରେ ସେ ଜନତା ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ୨୦୦୦ ଓ ୨୦୦୪ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ବାଲିକୁଦାରୁ ନିର୍ବାଚନ ଲଢି ଦୁଇ ଥର ବିଧାୟକ ହୋଇଥିଲେ। ୨୦୦୯ ନିର୍ବାଚନରେ ନବ ଗଠିତ ବାଲିକୁଦା-ଏରସମା ନିର୍ବାଚନମଣ୍ତଳୀରୁ ପୁଣି କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ବି ପରାସ୍ତ ହୋଇଥିଲେ। ଏହା ପରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ରେ ବିଜେଡି ଟିକେଟ୍ ପାଇଁ ସେ ଆଶାୟୀ ଥିଲେ ବି ନିରାଶ ହୋଇଥିଲେ। ଉମେଶ ଏବେ ବିଜେଡିର ନୟାଗଡ଼ ଜିଲ୍ଳା ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ପୁଣି ଥରେ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବାଲିକୁଦା-ଏରସମା ଅଥବା ଜଗତସିଂହପୁର ନିର୍ବାଚନମଣ୍ତଳୀରୁ ବିଜେଡି ଟିକେଟ ପାଇଁ ଉମେଶ ଲବି କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ ବିଜେପି କେନ୍ଦ୍ରରେ ପୁଣି ଥରେ କ୍ଷମତାକୁ ଆସିପାରେ ବୋଲି ଉମେଶ ଭବିଷ୍ୟବାଣୀ କରୁଥିବା ବେଳେ ଓଡ଼ିଶାରେ କିନ୍ତୁ ବିଜେଡି ଟିକେଟ୍ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଗଲେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ହେବାରୁ କେହି ରୋକିପାରିବେ ନାହିଁ ବୋଲି ଉମେଶ କୁହନ୍ତି। କିନ୍ତୁ ତାଙ୍କ ମତରେ ବାଲିକୁଦା-ଏରସମା ଅଥବା ଜଗତସିଂହପୁରରେ ଏବେ ବିଜେଡି ସ୍ଥିତି ଭଲ ନାହିଁ।

ସମ୍ବନ୍ଧିତ ଖବର