ମତଦାନ ପରେ ପାଦ ଛୁଇଁ ବଡ଼ ଭାଇଙ୍କଠାରୁ ଆଶୀର୍ବାଦ ନେଲେ ମୋଦି

ଗୁଜରାଟ ବିଧାନସଭା ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନ ଜାରି

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ୨ୟ ପର୍ଯ୍ୟାୟରେ ଗୁରୁବାର ମତଦାନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧାଡ଼ିରେ ରହି ମତଦାନ କରିଛନ୍ତି। ସାବରମତିର ‘ରାଣିପ’ରେ ବୁଥ ନମ୍ବର ୧୫ରେ ମୋଦି ଲାଇନରେ ରହି ଭୋଟ ଦେବା ପରେ ବଡ଼ ଭାଇଙ୍କ ପାଦ ଛୁଇଁ ଆଶୀର୍ବାଦ ମାଗିଥିଲେ। ମୋଦି ହାତରେ କାଳି ଲଗାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ଲୋକେ ମୋଦ ମୋଦି ଧ୍ୱନୀ କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ଦେଖିବା ପାଇଁ ପୂର୍ବରୁ ଲୋକମାନେ ସକାଳୁ ପ୍ରସ୍ତୁତ ଥିଲେ। ମୋଦି ଆସିବା ପରେ ଢୋଲ, ନାଗରା ଓ ଅନ୍ୟ ବାଦ୍ୟ ଯନ୍ତ୍ର ବଜାଇ ସ୍ୱାଗତ କରିଥିଲେ। ସକାଳୁ ମୋଦି ଟୁଇଟରେ ଗୁଜରାଟ ଲୋକଙ୍କୁ ବଡ଼ ସଂଖ୍ୟାରେ ଭୋଟ ମାଗିଥିଲେ।

ମୋଦି ଟୁଇଟରରେ ଲେଖିଛନ୍ତି, ‘ଆଜି ଗୁଜରାଟ ନିର୍ବାଚନର ୨ୟ ପର୍ଯ୍ୟାୟ।’ ଭୋଟ ଦେବାକୁ ଯାଉଥିବା ଲୋକଙ୍କୁ ଆବେଦନ କରୁଛି, ସେମାନେ ବହୁ ସଂଖ୍ୟାରେ ମତଦାନ କରି ଲୋକତନ୍ତ୍ରର ଏହି ପର୍ବକୁ ସମୃଦ୍ଧ କରନ୍ତୁ। ମତଦାନ କରିବା ପୂର୍ବରୁ ସେ ଟୁଇଟ କରି କହିଛନ୍ତି, ମୁଁ ଭୋଟ ଦେବାକୁ ଯାଉଛି।

ସାବରମତି ସିଟରେ ଉଭୟ ବିଜେପି ଓ କଂଗ୍ରେସ ପାଟିଦାର ସମ୍ପ୍ରଦାୟରୁ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି। କଂଗ୍ରେସ ଏଥର ପ୍ରାର୍ଥୀ ପରିବର୍ତନ କରି ଅରବିନ୍ଦ ପଟେଲଙ୍କୁ ଛିଡ଼ା କରାଇଛି। ପାଟିଦାର ନେତାଙ୍କ କିଛି ଅଞ୍ଚଳରେ ଆଧିପତ୍ୟ ଥିବାରୁ ଏଭଳି କରାଯାଇଛି। ଏହି ଆସିନରେ ପଟେଲ ସମ୍ପ୍ରଦାୟର ଭୋଟ ୨୨ ପ୍ରତିଶତ ରହିଛି। ୨୦୧୨ରେ ଏଠାରେ ୬୯.୬୦ ପ୍ରତିଶତ ଭୋଟ ପଡ଼ିଥିଲା।

ସୂଚନାଯୋଗ୍ୟ ଉତ୍ତର ଗୁଜରାଟ ଓ କେନ୍ଦ୍ର ଗୁଜରାଟର ୧୪ଟି ଜିଲ୍ଲା(ଅହମଦାବାଦ, ବନାସକାଣ୍ଠା, ପାଟନ, ମେହସାଣା, ଅରାବଳୀ, ଗାନ୍ଧିନଗର, ଆନନ୍ଦ, ଖେଡା, ମହିସାଗର, ପଞ୍ଚମହାଲ, ଦାହୋଦ, ଭଦୋଦରା ଓ ଛୋଟ ଉଦେପୁର)ରେ ଥିବା ୯୩ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ୨ୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ନିର୍ବାଚନରେ ୮୫୧ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗତ ଡିସେମ୍ବର ୯ରେ ହୋଇଥିବା ମତଦାନରେ ୬୯ ପ୍ରତିଶତ ମତଦାତା ସାମିଲ ଥିଲେ।

ସମ୍ବନ୍ଧିତ ଖବର