୭୦ ବର୍ଷରେ ଦେଶକୁ ବର୍ବାଦ କରିଛି କଂଗ୍ରେସ: ନରେନ୍ଦ୍ର ମୋଦି

ଗାନ୍ଧିନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭରୁଚରେ ରବିବାର ଏକ ନିର୍ବାଚନ ର‍୍ୟାଲିକୁ ସମ୍ବୋଧନ କରିବା ଅବସରରେ କହିଛନ୍ତି, କଂଗ୍ରେସର ପରିବାରବାଦ ଦେଶକୁ ୭୦ ବର୍ଷରେ ବର୍ବାଦ କରି ଦେଇଛି। କଂଗ୍ରେସ ଗୁଜରାଟରେ ଭାଇ-ଭାଇ ମଧ୍ୟରେ ବିଭାଜନ କରୁଛି। ସେ କହିଛନ୍ତି, ଉତ୍ତରପ୍ରଦେଶର ଆମେଠିରେ ପୌରପାଳିକା ନିର୍ବାଚନରେ କଂଗ୍ରେସ ଯେମିତି ମୂଳ ପୋଛ ହୋଇଛି, ସେହିପରି ଭରୁଚରେ ମଧ୍ୟ ହେବା ଦରକାର।

୨ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ୭ଟି ର‍୍ୟାଲି ଓ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ମୋଦି ରବିବାର ଭରୁଚ, ସୁରେନ୍ଦ୍ରନଗର ଓ ରାଜକୋଟରେ ର‍୍ୟାଲି କରିବେ। ୫ ଦିନ ପରେ ଗୁଜରାଟ ବିଧାନସଭା ନିର୍ବାଚନର ୧୮୨ଟି ସିଟ ପାଇଁ ଆଗାମୀ ଡିସେମ୍ବର ୯ରେ ପ୍ରଥମ ଓ ଡିସେମ୍ବର ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ମତଗ୍ରହଣ ହେଉଥିବାରୁ ସୁରତରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ପାଟିଦାର ନେତା ହାର୍ଦିକ ପଟେଲ ମଧ୍ୟ ରୋଡ ସୋ’ କରୁଛନ୍ତି। ନିର୍ବାଚନ ଫଳାଫଳ ଡିସେମ୍ବର ୧୮ରେ ପ୍ରକାଶ ପାଇବ।

କଂଗ୍ରେସ ଭାଇ-ଭାଇ ମଧ୍ୟରେ ବିଭାଜନ କରୁଛି: ମୋଦି

ମୋଦି କହିଛନ୍ତି, ଗୁଜରାଟରେ କଂଗ୍ରେସ ଭାଇ-ଭାଇ ମଧ୍ୟରେ ବିଭାଜନ କରିବାକୁ ଉଦ୍ୟମ କରୁଛି। କଂଗ୍ରେସ ଲୋକଙ୍କୁ ଅଲଗା ଅଲଗା କରିବା ସହିତ ଜାତିବାଦର ରାଜନୀତି କରୁଛି। କଂଗ୍ରେସକୁ ଜଣା ନାହିଁ ଯେ, ଗୁଜରାଟ ବିକାଶ ଦିଗରେ ଅଗ୍ରସର ହେଉଛି। ବିକାଶ ହେଉଛି ବିଜେପିର ମୂଳ ମନ୍ତ୍ର। ଭରୁଚ ଓ କଚ୍ଛରେ ସର୍ବାଧିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ରହୁଛନ୍ତି। ବିଜେପି ସରକାର ଅମଳରେ ଭରୁଚରେ ସର୍ବାଧିକ ବିକାଶ ମୂଳକ କାମ ହୋଇଛି।

ଭରୁଚରେ ଅନୁଷ୍ଠିତ ର‍୍ୟାଲିରେ ମୋଦି କହିଛନ୍ତି, ଉତ୍ତରପ୍ରଦେଶରେ କଂଗ୍ରେସ ଏକଛତ୍ରବାଦୀ ଶାସନ କରିଛି। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସୋନିଆ ଗାନ୍ଧିଙ୍କ କର୍ମଭୂମି ରହିଛି। କିନ୍ତୁ ବିଗତ ଦିନରେ ପ୍ରକାଶ ପାଇଥିବା ପୌର ନିର୍ବାଚନ ଫଳାଫଳ କ’ଣ ହୋଇଛି। ଏବେ କଂଗ୍ରେସ ପାଖରେ ବଞ୍ଚିବା ପାଇଁ କୌଣସି ରାସ୍ତା ନାହିଁ। ଡିସେମ୍ବର ୯ରେ ନିଜର ବଳ କେତେ ଅଛି ଜଣାପଡ଼ିବ।

ବିଗତ ଦିନରେ ବନାସକାଣ୍ଠାରେ ବନ୍ୟା ଆସିଥିବା ବେଳେ କଂଗ୍ରେସର ନେତାମାନେ ରାଜ୍ୟସଭା ନିର୍ବାଚନରେ ଅହମ୍ମଦ ପଟେଲଙ୍କୁ ବିଜୟୀ କରିବାକୁ ବେଙ୍ଗାଲୁରୁ ଯାଇ ବସି ଥିଲେ। ମୋଦି କହିଛନ୍ତି, ଅହମଦ କଂଗ୍ରେସର ବରିଷ୍ଠ ନେତା ଥାଇ ମଧ୍ୟ ନର୍ମଦା କିମ୍ବା ରୋ-ରୋ ଫେରି ପାଇଁ କିଛି କରିପାରି ନାହିଁ। ୨୦୧୮ ପର୍ଯ୍ୟନ୍ତ ନର୍ମଦା କୂଳରେ ସର୍ଦ୍ଦାର ପଟେଲଙ୍କ ପ୍ରତିମା ନିର୍ମାଣ କାମ ସଂପୂର୍ଣ୍ଣ ହୋଇଯିବ।

ସମ୍ବନ୍ଧିତ ଖବର