୧୦ ଦିନ ପରେ ପୁଣି ଲଢ଼େଇ: ବରମୁଣ୍ଡା ବନାମ ବଲାଙ୍ଗୀର

ଭୁବନେଶ୍ୱର: ଓଡ଼ିଶାର ଜନତା ୧୦ ଦିନ ପରେ ପୁଣି ଥରେ ରାଜନୈତିକ ଲଢ଼ାଇ ଦେଖିବେ। ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଏହି ଭାଷଣ ଲଢ଼େଇ ହେବ। କେନ୍ଦ୍ରୀୟ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲଙ୍ଗୀରସ୍ଥିତ ପଥରଚେପା ପଡ଼ିଆ ଠାରେ ଆୟୋଜିତ ସମାବେଶରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ। ଠିକ୍‌ ସେହିଭଳି ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରୁିବେ। ନବୀନଙ୍କ କାର୍ଯ୍ୟକ୍ରମ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ଚାଲିବ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ ପାଇଁ ଭାରତୀୟ ଜନତା ପାର୍ଟି ବ୍ୟାପକ ପ୍ରସ୍ତୁତି କରୁଛି। ଏ ନେଇ ବିଜେପିର ନେତାମାନେ ଗୁରୁବାର ପଥରଚେପା ପଡ଼ିଆରେ ପ୍ରସ୍ତୁତ ବୈଠକ କରିଛନ୍ତି। ବୈଠକରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଓ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ଶତାଧିକ ଦଳୀୟ ନେତା ଉପସ୍ଥିତ ଥିଲେ। ମୋଦୀଙ୍କ ଗସ୍ତ ପାଇଁ ବଲାଙ୍ଗୀରର ସମସ୍ତ ପରିବାରକୁ ନିମନ୍ତ୍ରଣ କରାଯାଇଛି। ପାରଂପରିକ ବାଦ୍ୟ- ଢ଼ୋଲ, ତାସା, ନିଶାଣ ବଜାଇ ବିଜେପି କର୍ମୀମାନେ ଘରକୁ ଘର ଯାଇ ଲୋକଙ୍କୁ ନିମନ୍ତ୍ରଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ୫ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିଲେ। ଚଳିତ ମାସ ୫ତାରିଖରେ ମୋଦି ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ସରକାରୀ ଓ ଦଳୀୟ ସମାବେଶରେ ଯୋଗ ଦେଇଥିଲେ। ସେହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ପୁରୀରେ ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଉନ୍ନୟନ ମୂଳକ ଯୋଜନା ଘୋଷଣା କରିଥିଲେ।

ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି

ପ୍ରଧାନମନ୍ତ୍ରୀ ମୋଦି ୧୫ ତାରିଖ ସକାଳ ସାଢ଼େ ୬ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ବଲଙ୍ଗୀର ଯିବେ । ୧୦ଟା ୪୦ରେ ବଲଙ୍ଗୀର ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସେଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପଥରଚେପା ଯାଇ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମର ସମୟ ୧୧ଟା ୪୫ ମିନିଟ ରହିଛି । ପଥରଚେପାରେ ସାଢ଼େ ୧୨ଟାରେ ସଭା ସରିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ଝାରସୁଗୁଡ଼ା ଯିବେ । ଝାରସୁଗୁଡ଼ାରୁ ସେ ଅପରାହ୍ନ ୧.୪୫ ମିନିଟରେ କେରଳର ଥିରୁଅନନ୍ତପୁରମ୍ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର