ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ କମିିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି। ବୈଠକରେ କଂଗ୍ରେସ ସଭାପତି ନିର୍ବାଚନ କାର୍ଯ୍ୟକ୍ରମ ସମ୍ପର୍କରେ ବିଚାରବିମର୍ଶ କରାଯାଇ ତାରିଖ ସମ୍ପର୍କରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। କଂଗ୍ରେସ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବାପାଇଁ ୧୦ରୁ ୧୫ ଦିନ ଲାଗିପାରେ। ଯଦି ଅନ୍ୟ କୌଣସି ନେତା ସଭାପତି ପଦ ପାଇଁ ନିର୍ଦ୍ଧାରିତ ସମୟ ଅବଧିରେ ନାମାଙ୍କନ ପତ୍ର ଦାଖଲ ନକରନ୍ତି ତାହାଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସଭାପତି ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏଆଇସିସି ସୂତ୍ର ଅନୁଯାୟୀ ସୋମବାର ଦିନ ପୂର୍ବାହ୍ନ ୧୦ଟା ବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତାଙ୍କ ୧୦ ଜନପଥ ସରକାରୀ ବାସଭବନରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକର ଅଧ୍ୟକ୍ଷତା କରିବେ। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଦ୍ୱାରା ନିଷ୍ପତ୍ତିକୁ ବୈଠକରେ ଗୃହୀତ କରାଯିବ। ସୁତ୍ର ଅନୁସାରେ କଂଗ୍ରେସ ଉପସଭାପତି ପ୍ରାର୍ଥୀ ପାଇଁ ରାହୁଲ ଗାନ୍ଧୀ ଏକମାତ୍ର ପ୍ରାର୍ଥୀ। ଦଳ ଅନୁସାରେ କଂଗ୍ରେସ ସଭାପତି ନିର୍ବାଚନର ତାରିଖ ଘୋଷଣା ପାଇଁ ସିଡବ୍ଲ୍ୟୁସି ବୈଠକ ଡାକିବା ସେଭଳି ଜରୁରୀ ନଥିବା ବେଳେ ସ୍ୱୟଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସିଡବ୍ଲ୍ୟୁସି ବୈଠକ ଡାକିବାର ନିଷ୍ପତ୍ତି ନେଇଛନ୍ତି। ସୁଚନାଯୋଗ୍ୟ କଂଗ୍ରେସ ଦଳ ଡିସେମ୍ବର ମାସ ଶେଷ ସୁଦ୍ଧା ଦଳର ସଭାପତି ନିର୍ବାଚନ ପାଇଁ ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରୀୟା ଶେଷ କରିବ ବୋଲି ପୂର୍ବରୁ ନିର୍ବାଚନ କମିସନଙ୍କୁ ଅବଗତ କରାଇ ସାରିଛି। ନିର୍ବାଚନ କମିସନ ଏନେଇ କଂଗ୍ରେସକୁ ଏକ ବର୍ଷର ସମୟ ପ୍ରଦାନ କରି ୨୦୧୭ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସାରିବାପାଇଁ ସମୟସୀମା ଦେଇଛନ୍ତି। ନିକଟରେ ଦିଲ୍ଲୀ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ଉତ୍ତରପ୍ରଦେଶ, ହରିଆଣା, ରାଜସ୍ଥାନ, ତାମିଲନାଡ଼ୁ, ପିସିସି ଦ୍ୱାରା ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଗ୍ରହଣ କରିବାପାଇଁ ପ୍ରସ୍ତାବ ପାରିତ କରାଯାଇଛି।

ସମ୍ବନ୍ଧିତ ଖବର