ଏମସ୍‌ ପରିଚାଳନା କମିଟି ନିର୍ବାଚନରେ ବାଜି ମାରିଲେ ଅମର ପଟ୍ଟନାୟକ

ଭୁବନେଶ୍ୱର: ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମସ୍‌) ପରିଚାଳନା କମିଟି ନିର୍ବାଚନରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବାଜି ମାରିଛନ୍ତି। ରାଜ୍ୟସଭା କୋଟାରୁ କମିଟି ସଦସ୍ୟ ପାଇଁ ବ୍ୟୁରୋକ୍ରାଟରୁ ରାଜନେତା ପାଲଟିଥିବା ଦୁଇ ସାଂସଦ ବିଜେଡିର ଅମର ପଟ୍ଟନାୟକ ଓ ବିଜେପିର ଅଶ୍ୱିନୀ ବୈଷ୍ଣବ ମଇଦାନରେ ଥିଲେ। ହେଲେ ଅମର ଶେଷରେ ବିଜୟୀ ହୋଇଛନ୍ତି। କାରଣ ଅଶ୍ୱିନୀ ଶେଷ ମୁହୂର୍ତ୍ତରେ ନିର୍ବାଚନରୁ ଓହରି ଯାଇଥିଲେ। ପୂର୍ବରୁ ଲୋକସଭା କୋଟାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ସାଂସଦ ଅନୁଭବ ମହାନ୍ତି, ଏମସ ପରିଚାଳନା କମିଟିକୁ ନିର୍ବାଚିତ ହୋଇଛନ୍ତି।

ଭୁବନେଶ୍ୱର ଏମସ କମିଟିର ଏକମାତ୍ର ସଦସ୍ୟ ପଦ ପାଇଁ ମୁହାଁମୁହିଁ ହୋଇଥିଲେ ଦୁଇ ବିଜେଡି-ବିଜେପି ନେତା। ରାଜ୍ୟସଭା କୋଟାରୁ ଏହି କମିଟିର ସଦସ୍ୟ ପାଇଁ ମଇଦାନରେ ଥିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ ବନାମ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ। ରାଜ୍ୟସଭାରେ ବିଜେଡିର ମାତ୍ର ୭ ଜଣ ସାଂସଦ ଥିବା ବେଳେ ଏନଡିଏର ସାଂସଦ ସଂଖ୍ୟା ଥିଲା ୧୦୨। ସଂଖ୍ୟା ଦୃଷ୍ଟିରୁ ଅମର ପଟ୍ଟନାୟକଙ୍କ ବିଜୟ ଆଶା କମ୍‌ ଥିଲା। ହେଲେ ନିର୍ବାଚନର ଠିକ୍‌ ପୂର୍ବରୁ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ଓହରି ଯିବାରୁ ଅମରଙ୍କ ବିଜୟ ରାସ୍ତା ସଫା ହୋଇଯାଇଥିଲା।

Photo: Kanak News

ସାଧାରଣ ନିର୍ବାଚନ ପରେ ଅନେକ ପ୍ରସଙ୍ଗରେ ଦୁଇ ଦଳ ଗୋଟିଏ ସରଳରେଖାରେ ଯାଉଥିବା ବେଳେ ଏମସ କମିଟି ନିର୍ବାଚନରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକଙ୍କ ବିରୋଧରେ ମଇଦାନକୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଓହ୍ଲାଇବାରୁ ରୋଚକ ମୋଡ ନେଇଥିଲା ରାଜନୀତି। ଦୁଇ ଜଣଙ୍କ ମଧ୍ୟରୁ କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରିବାରୁ ଏମସ ପରିଚାଳନା କମିଟି ନିର୍ବାଚନ ଅବଶ୍ୟମ୍ଭାବୀ ହୋଇପଡିଥିଲା। ତେବେ ଦୁଇ ଦଳ ମଧ୍ୟରେ ଆଲୋଚନା ହେବାପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ରାଜି ହୋଇଥିଲେ ଅଶ୍ୱିନୀ। ହେଲେ ଧାର୍ଯ୍ୟ ସମୟ ସୀମା ଅତିକ୍ରମ ହୋଇଥିବାରୁ ଶୁକ୍ରବାର ମତଦାନ ହୋଇଥିଲା।

ବିଜେପି, କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ହେବାରୁ ଅମର ପଟ୍ଟନାୟକ ଅନାୟାସରେ ବିଜୟୀ ହୋଇଛନ୍ତି। ଚର୍ଚ୍ଚା ହେଉଛି, ଏମସ କମିଟି ଭଳି ଅପେକ୍ଷାକୃତ କମ୍‌ ଗୁରୁତ୍ୱ ଥିବା ପ୍ରସଙ୍ଗରେ ବିଜେଡି ସହ ବିଜେପି ସିଧାସଳଖ ମୁକାବିଲା ଚାହିଁନଥିଲା। ସଂସଦର ଶୀତକାଳୀନ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆସିବାକୁ ଥିବାରୁ ବିଜେଡିକୁ ଦଳ ବାଟ ଛାଡିଛି।

ସମ୍ବନ୍ଧିତ ଖବର