‘ଟିଏମ୍‌ସି-କଂଗ୍ରେସ-ସିପିଏମ୍‌’ର ୧୦୭ ବିଧାୟକ ବିଜେପିରେ ସାମିଲ ହେବେ: ମୁକୁଲ ରାୟ

କୋଲକାତା: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମୁକୁଲ ରାୟ ଶନିବାର ଏଭଳି ଏକ ଦାବି କରିଛନ୍ତି, ଯାହାକି ପଶ୍ଚିମବଙ୍ଗର ରାଜନୀତିରେ ହଇଚଇ ସୃଷ୍ଟି ହୋଇପାରେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୁକୁଲ ରାୟ କହିଛନ୍ତି, ପଶ୍ଚିମବଙ୍ଗରେ ୧୦୭ ଜଣ ବିଧାୟକ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ। ସେ ଦାବି କରିଛନ୍ତି ଯେ, ଏହି ବିଧାୟକମାନେ ସିପିଏମ୍‌, କଂଗ୍ରେସ ଓ ତୃଣମୂଳ କଂଗ୍ରେସରୁ ବିଜେପିରେ ଯୋଗଦେବେ। ସେ କହିଛନ୍ତି, ଆମ ପାଖରେ ଏହି ବିଧାୟକ ମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି ଏବଂ ସେମାନେ ଆମ ସହିତ ନିୟମିତ ଭାବେ ସଂପର୍କରେ ଅଛନ୍ତି।

ସପ୍ତଦଶ ଲୋକସଭା ନିର୍ବାଚନରେ ବିଜେପିକୁ ବିପୁଳ ବିଜୟ ମିଳିଥିଲା। ବିଜେପି ପଶ୍ଚିମବଙ୍ଗର ୪୨ଟି ଆସନ ମଧ୍ୟରୁ ୧୮ଟିରେ ବିଜୟୀ ହୋଇଥିଲା। ତୃଣମୂଳ କଂଗ୍ରେସକୁ ୨୨ଟି ଆସନ ମିଳିଥିଲା। କଂଗ୍ରେସକୁ ମାତ୍ର ୨ଟି ଆସନରେ ବିଜୟ ମିଳିଥିବା ବେଳେ ସିପିଏମ୍‌ ଖାତା ଖୋଲି ନଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୁର୍ଗ ଭାଙ୍ଗିବାକୁ ଭାରତୀୟ ଜନତା ପାର୍ଟି ବହୁ ଉଦ୍ୟମ କରୁଛି। ନିକଟରେ କିଛି ତୃଣମୂଳ କଂଗ୍ରେସ ନେତା ବିଜେପିରେ ଯୋଗ ଦେଇଛନ୍ତି। ଟିଏମ୍‌ସିର ନେତାମାନେ ବିଜେପିରେ ସାମିଲ ହେବା ପ୍ରକ୍ରିୟା ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ କରିଦେଇଥିଲେ।

 

ସମ୍ବନ୍ଧିତ ଖବର