ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ତଥା ସପା ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ଗୌଡା, ବାରାବଙ୍କି, କୈରାନା ଏବଂ ସମ୍ଭଲ ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରାଯାଇଛି । ସମାଜବାଦୀ ପାର୍ଟି ତରଫରୁ ଆଜି ଗୌଡା ଲୋକସଭା ଆସନରେ ବିନୋଦ କମାର ସିଂହ ଓରଫ୍ ପଣ୍ଡିତ ସିଂହ, ବାରାବଙ୍କିରୁ ରାମ ସାଗର ରାଓତ, କୌରାନାରୁ ତବସ୍ମୁମ ହସନ ଏବଂ ସମ୍ଭଲରୁ ଶଫିକୁର ରହମାନ ବର୍କଙ୍କ ନାମ  ଘୋଷଣା କରାଯାଇଛି। ମାତ୍ର ସମ୍ଭଲ୍ ଆସନ ଲାଗି ସବୁଠାରୁ ବଡ଼ ଦାବିଦାର ଥିବା ମୁଲାୟମ୍ ସିଂ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବଙ୍କୁ ଟିକେଟ ନ ଦିଆଯିବା ଚର୍ଚ୍ଚାର ପରିସରକୁ ଆସିଛି। ମୁଲାୟମ୍ ସିଂ ଯାଦବଙ୍କ ଗଡ଼ କୁହାଯାଉଥିବା ସମ୍ଭଲରୁ ଅପର୍ଣ୍ଣା ପ୍ରାର୍ଥୀ ହେବେ ବୋଲି ଉତ୍ତର ପ୍ରଦେଶ ରାଜନୀତିରେ ଢ଼େର ଦିନ ହେବ ଆଲୋଚନା ଚାଲିଥିଲା।

Advertisment

ସମ୍ଭଲ ଏବଂ କୈରାନା ଆସନରେ ସପାର ସ୍ଥିତି ସୁଦୃଢ ବୋଲି କୁହାଯାଉଛି । କାହିଁକି ନା କିଛି ଦିନ ପୂର୍ବରୁ ହିଁ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କୈରାନାରୁ ତବସ୍ମୁନ ହସନ ବିଜୟ ହାସଲ କରି ସଂସଦରେ ପହଂଚିଥିଲେ । ସେହିପରି ଗୌଡାରୁ ପଣ୍ଡିତ ସିଂହ ମଧ୍ୟ ଶକ୍ତଶାଳୀ ପ୍ରାର୍ଥୀ ବୋଲି ପୂର୍ବ ସମୀକରଣ କହୁଛି ।

କିଛି ଦିନ ପୂର୍ବରୁ ସମାଜବାଦୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା । ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି ସହ ମେଂଟ କରିଥିବା ସମାଜବାଦୀ ପାର୍ଟି ନିକଟରେ ନିଜର ୬ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା । ତାଲିକାରେ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ମୈନପୁରୀ ଲୋକସଭା ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ । ଧର୍ମେନ୍ଦ୍ର ଯାଦବ ବନ୍ଦାୟୁ ଠାରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଛି ।