ଆସନ୍ତାବର୍ଷ ହୋଇନପାରେ ପୌର ନିର୍ବାଚନ

ଭୁବନେଶ୍ୱର : ଆସନ୍ତାବର୍ଷ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟ ନିର୍ବାଚନ କମିସନ ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି କରିଛନ୍ତି। ହେଲେ କେନ୍ଦ୍ର ସରକାର ଆଗୁଆ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ପୌର ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଆଗୁଆ ପୌର ନିର୍ବାଚନ କରିବା ସମ୍ଭବ ନୁହେଁ। ଏଣୁ ପୌରସଂସ୍ଥାର ୫ବର୍ଷିଆ କାର୍ଯ୍ୟକାଳ ସରିବା ପରେ ସରକାର ସେଠାରେ ପ୍ରଶାସକ ନିଯୁକ୍ତି କରି, ନିର୍ବାଚନକୁ ଟାଳିପାରନ୍ତି। ବର୍ତମାନ ବିଜେଡି ଓ ବିଜେପି ମଧ୍ୟରେ ଯେଭଳି ଟକରାଟକରି ପରିସ୍ଥିତି ରହିଛି ଓ ପଞ୍ଚାୟତ ନିର୍ବାଚନର ଫଳାଫଳ ଯାହା ସଙ୍କେତ ଦେଇଛି, ସେଥିରେ ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବାଲାଗି ଆଗ୍ରହ ନ ଦେଖାଇବା ସ୍ୱାଭାବିକ। ଆଉ ଯେହେତୁ ଏବେ ଆଗୁଆ ନିର୍ବାଚନ କଥା ଉଠିଲାଣି, ଏଣୁ ସରକାର ଏ ଆଳରେ ପୌର ନିର୍ବାଚନକୁ ଏଡାଇଯିବା ବିଚିତ୍ର ନୁହେଁ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ସାଧାରଣ ନିର୍ବାଚନ ହେବା କଥା। ମାତ୍ର ପ୍ରାୟ ୬ମାସ ଆଗରୁ ଅର୍ଥାତ୍‌ ୨୦୧୮ ଅକ୍ଟୋବର ଅଥବା ନଭେମ୍ବର ବେଳକୁ ନିର୍ବାଚନ କରିବା ଲାଗି କେନ୍ଦ୍ର ସରକାର ଯୋଜନା ଚଳାଇଛନ୍ତି। ଗୁରୁବାର ଭାରତର ନିର୍ବାଚନ କମିସନ ଆଉ ଟିକିଏ ଆଗକୁ ଯାଇ ଏ ସମ୍ଭାବନାକୁ ଆହୁରି ବଢାଇଛନ୍ତି। କହିଥିଲେ, ୨୦୧୮ ସେପ୍‌ଟେମ୍ବର ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରିବା ଲାଗି ନିର୍ବାଚନ କମିସନ ପ୍ରସ୍ତୁତ। ଏଭଳି ସ୍ଥଳେ ପୌର ନିର୍ବାଚନ ବିଳମ୍ବ ସମ୍ଭାବନା ଚର୍ଚ୍ଚା ଜୋର ଧରିଛି।

ଇତିମଧ୍ୟରେ ଆସନ୍ତାବର୍ଷ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ରାଜ୍ୟ ନିର୍ବାଚନ କମିସନ। କମିସନଙ୍କ ସଚିବ ରବି ନାରାୟଣ ସାହୁ ରାଜ୍ୟ ସରକାରଙ୍କୁ ଗତ ଗୁରୁବାର ପତ୍ର ଲେଖି ପୌରସଂସ୍ଥା ଗୁଡିକର କାର୍ଯ୍ୟକାଳ ଶେଷ ହେଉଥିବା ସଂପର୍କରେ ସୂଚନା ଦେଇଛନ୍ତି। ଜଣାଇଛନ୍ତି, ବ୍ରହ୍ମପୁର ମହାନଗର ନିଗମ ସମେତ ୬୬ ଟି ପୌରସଂସ୍ଥାର କାର୍ଯ୍ୟକାଳ ଆସନ୍ତାବର୍ଷ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେଉଛି। ଅନ୍ୟ ୨୦ ଟି ପୌରସଂସ୍ଥାର କାର୍ଯ୍ୟକାଳ ଆସନ୍ତାବର୍ଷ ଡିସେମ୍ବର ୪ ତାରିଖରେ ପୂରିବାକୁ ଯାଉଥିବା ବେଳେ ଦୁଇଟି ପୌରସଂସ୍ଥାର କାର୍ଯ୍ୟକାଳ ମଧ୍ୟ ୨୦୧୮ ଡିସେମ୍ବର ୯ ତାରିଖରେ ସମାପ୍ତ ହେବ । ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟକାଳ ୨୦୧୯ ଜାନୁୟାରି ୧୭ ତାରିଖରେ ଶେଷ ହେଉଛି। କଟକ ମହାନଗର ନିଗମ ଓ ବାରିପଦା ପୌରସଂସ୍ଥାର କାର୍ଯ୍ୟକାଳ ୨୦୧୯ ଫେବୃୟାରି ୧୩ ତାରିଖରେ ପୂରିଯିବ । ବଲାଙ୍ଗୀର, ଟିଟିଲାଗଡ ପୌରସଂସ୍ଥାର କାର୍ଯ୍ୟକାଳ ୨୦୧୯ ଜୁଲାଇ ୧୧ ତାରିଖରେ ଶେଷ ହେଉଛି। ନିୟମ ଅନୁସାରେ, ପୌରସଂସ୍ଥା ଗୁଡିକର ପାଞ୍ଚବର୍ଷିଆ କାର୍ଯ୍ୟକାଳ ସରିବା ପୂର୍ବରୁ ଏଠାରେ ନିର୍ବାଚନ କରିବାକୁ ପଡିବ । ଏଣୁ ଜାନୁଆରି ୩୧ ତାରିଖ ସୁଦ୍ଧା ଓ୍ଵାର୍ଡ଼ ପୁନର୍ଗଠନ ଓ ସରଂକ୍ଷଣ କାର୍ଯ୍ୟ ସାରିବା ଲାଗି କୁହାଯାଇଛି।

ମାତ୍ର ସମ୍ବିଧାନ ବିଶେଷଜ୍ଞଙ୍କ କହିବା କଥା ହେଉଛି, ପୂର୍ବରୁ ସରକାର ଯେତେବେଳେ ଚାହୁଁଥିଲେ ପୌର ଓ ପଞ୍ଚାୟତ ସଂସ୍ଥାକୁ ଭାଙ୍ଗିପାରୁଥିଲେ। ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନରେ ସରକାରଙ୍କ ଏ କ୍ଷମତା ଉପରେ କିଛି କଟକଣା ଲଗାଯାଇଛି। ତେବେ କୌଣସି ବି ପରିସ୍ଥିତିରେ ୫ ବର୍ଷ ପରେ ଏସବୁ ସଂସ୍ଥା ଆଉ ଦିନଟିଏ ବି ଚାଲିପାରିବ ନାହିଁ। ଅର୍ଥାତ୍‌ ଏସବୁର କାର୍ଯ୍ୟକାଳ ସରିବ। ଏଣୁ ସ୍ୱାଭାବିକ ଭାବେ ଏହା ପୂର୍ବରୁ ନିର୍ବାଚନ କରିବାକୁ କମିସନ ଆଗ୍ରହ ଦେଖାଇବାରେ ଅସ୍ୱାଭାବିକତା ନାହିଁ।

ମାତ୍ର ଥରେ ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲେ, ପୌର ନିର୍ବାଚନ କାଠିକର ପାଠ ହୋଇପଡିବ। ଏପରିସ୍ଥଳେ କମିସନ ଶେଷ ମୁହୂର୍ତରେ ନିର୍ବାଚନ କରାଯାଇ ପାରୁନଥିବା ସଂପର୍କରେ ସରକାରଙ୍କୁ ଜଣାଇପାରନ୍ତି। ଆଉ କମିସନଙ୍କ ଏ ଚିଠିକୁ ଆଧାର କରି ସରକାର ପୌରସଂସ୍ଥାରେ ପ୍ରଶାସକ ନିଯୁକ୍ତି କରିବାର କ୍ଷମତା ରହିଛି। ଏବେ ରାଜ୍ୟରେ ଏମିତି ପୌରସଂସ୍ଥା ରହିଛି, ଯେଉଁଠି କାର୍ଯ୍ୟକାଳ ସରିବା ପରେ ବି ନିର୍ବାଚନ ହୋଇନାହିଁ। ବରଂ ଉପଜିଲ୍ଲାପାଳ ପୌର ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି।

ଯେହେତୁ ପୌର ସଂସ୍ଥାକୁ ଆଗରୁ ଭଙ୍ଗାଯାଇପାରିବ ନାହିଁ, ଏଣୁ ଆଗରୁ ନିର୍ବାଚନ କଲେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ ଓ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ। କାରଣ ନବନିର୍ବାଚିତ ପ୍ରତିନିଧିମାନେ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ନ ହେବା ଯାଏ ଦାୟିତ୍ୱ ନେଇପାରିବେ ନାହିଁ। ଏପରିସ୍ଥଳେ ଗଣ୍ଡଗୋଳର ସୂତ୍ରପାତ ହେବ ଓ ନିର୍ବାଚନ କମିସନ କେବେ ବି ଏଭଳି ଏକ ପରିସ୍ଥିତିକୁ ଆମନ୍ତ୍ରଣ କରିନପାରନ୍ତି।

ସମ୍ବନ୍ଧିତ ଖବର