ଅସଲ ପରୀକ୍ଷା ବାଲେଶ୍ୱରରେ

ପୌର ଉପନିର୍ବାଚନରେ ବିଜେଡି ଆଶ୍ୱସ୍ତ

ସମସ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ
୧୯ରେ ହେବ ଉପନିର୍ବାଚନ

ଭୁବନେଶ୍ୱର : ପାରାଦୀପ, ପଟ୍ଟାମୁଣ୍ଡାଇ ଓ ଅନୁଗୁଳର ତିନିଟି ଓ୍ଵାର୍ଡରେ ଅନୁଷ୍ଟିତ ପୌର ଉପ ନିର୍ବାଚନରେ ବିଜେଡି ତାର ସ୍ଥିତି ବଜାୟ ରଖିବାରେ ସମର୍ଥ ହୋଇଛି। ତିନିଟି ଯାକ ଆସନ ବିଜୁ ଜନତା ଦଳ ହାତରେ ଥିଲା ଓ ଗତକାଲି ଉପନିର୍ବାଚନର ଏସବୁକୁ ବିରୋଧୀ ଛଡାଇ ନେବାରେ ବିଫଳ ହୋଇଛନ୍ତି। ଆଜି ଭୋଟଗଣତି ପରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି।

ତେବେ ପାରାଦୀପ ଓ ଅନୁଗୁଳରେ ବିଜେପି ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିବା ବେଳେ କେନ୍ଦ୍ରାପ଼ଡ଼ାର ପଟ୍ଟାମୁଣ୍ଡାଇରେ ଦଳ ଶୋଚନୀୟ ପ୍ରଦର୍ଶନ କରିଛି। ନିକଟରେ ଏଠାରେ ବିଜେପି ଶକ୍ତି ପ୍ରଦର୍ଶନ କରିଥିଲା। ମାତ୍ର ଗତକାଲି ନିର୍ବାଚନରେ ସମୁଦାୟ ଭୋଟର ୨୦% ମଧ୍ୟ ସ୍ଥାନୀୟ ନେତାମାନେ ହାତେଇ ପାରିନାହାନ୍ତି। ଆଶ୍ୱାସନାର କଥା ହେଲା, ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଗଡ଼ ପାରାଦୀପରେ ବିଜେପି ଧୀରେ ଧୀରେ ବିଜେଡିର ନିକଟତର ହେବାରେ ଲାଗିଛି। ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ଉପସ୍ଥିତି ଜାହିର କରିଥିଲା। ସେହିଭଳି ଅନୁଗୁଳ ଆସନକୁ ବିଜେପି ନିଜ କବ୍‌ଜାକୁ ଆଣିପାରିନାହିଁ।

ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନର ବିପର୍ଯ୍ୟୟ ପରେ ଏହି ତିନିଟି ଯାକ ଆସନର ଭୋଟ ଫଳାଫଳ ସ୍ୱାଭାବିକ ଭାବେ ବିଜେଡିକୁ ଆଶ୍ୱସ୍ତ କରିଛି। କିନ୍ତୁ ଏସବୁ ଆସନରେ ଭୋଟର ସଂଖ୍ୟା ଏତେ କମ୍‌ ଯେ ଏହାକୁ ଏକ ନମୁନା ବା ସଙ୍କେତ ହିସାବରେ ଗ୍ରହଣ କରାଯାଇପାରିବ ନାହିଁ କିମ୍ବା ଏଥିରେ ଯେ ପରିସ୍ଥିତି ବଦଳିଯିବ, ଏମିତି ଏକ ନିର୍ଣ୍ଣୟ କରାଯିବା ସମ୍ଭବ ନୁହେଁ।

ବରଂ ଆସନ୍ତା ୧୯ ତାରିଖରେ ବାଲେଶ୍ୱର ସଦର ଆସନ ଅନ୍ତର୍ଗତ ୨୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ହେବାକୁ ଥିବା ଉପନିର୍ବାଚନ ଏ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ବିଚାର କରୁଛନ୍ତି। କାରଣ ପାଖାପାଖି ୩୦ ହଜାର ଭୋଟର ଏଠାରେ ବିଜେଡି, ବିଜେପି ଓ କଂଗ୍ରେସର ମୂଲ୍ୟାୟନ କରିବେ। ଏହି ଆସନଟି ପୂର୍ବରୁ ବିଜେପି ହାତରେ ଥିଲା। ବିଜେଡି ଠାରୁ ପାଖାପାଖି ୩ ହଜାର ଅଧିକ ଭୋଟରେ ଏଥିରେ ପଦ୍ମ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏବେ ଏହି ଆସନଟିକୁ ବିଜେପି ନିଜ ପାଖେ ରଖିପାରୁଛି କି ନାହିଁ ତାହା ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଆହ୍ଵାନ ରଖୁଛି। ସମାନ୍ତରାଳ ଭାବେ ବିଜେଡ଼ି ସାଂସଦ ରବୀନ୍ଦ୍ର କୁମାର ଜେନା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହେବ ବୋଲି କୁହାଯାଉଛି। ଆସନଟିକୁ ବିଜେଡି ନ ହାତେଇଲେ, ସାଂସଦଙ୍କ ପତିଆରା କ୍ଷୁଣ୍ଣ ହୋଇପାରେ। ସମାନ୍ତରାଳ ଭାବେ ନିଜ ଅଞ୍ଚଳର ଜିଲ୍ଲା ପରିଷଦ ଆସନକୁ ଦଖଲ କରିନପାରିଲେ, କଂଗ୍ରେସ ଶିବିରରେ ଶ୍ରୀ ଜେନାଙ୍କ ଭାବମୂର୍ତିକୁ ନେଇ ଯେ କେହି ପ୍ରଶ୍ନ ଉଠାଇବା ଅସ୍ୱାଭାବିକ ନୁହେଁ।

ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇରେ ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶକ୍ତି ପ୍ରଦର୍ଶନ କରିଥିଲେ। ପୂର୍ବତନ ବିଧାୟକ ଅଲେଖ ଜେନାଙ୍କ ମିଶ୍ରଣ ପର୍ବରେ ଲୋକଙ୍କ ଉପସ୍ଥିତିକୁ ନେଇ ବେଶ୍‌ ଖୁସି ପ୍ରକଟ କରିଥିଲା ଦଳ। ହେଲେ ୧୭ ନମ୍ବର ଓ୍ଵାର୍ଡରେ ହୋଇଥିବା ଉପନିର୍ବାଚନ ଫଳାଫଳ ହେଲା, ପଟ୍ଟାମୁଣ୍ଡାଇରେ ବିଜେଡି ପ୍ରାର୍ଥୀ ରଞ୍ଜିତ କୁମାର ମଲ୍ଲିକ କଂଗ୍ରେସର ସୁବାସ ମଲ୍ଲିକଙ୍କୁ ୯୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ରଞ୍ଜିତ ୪୯୧ ଖଣ୍ଡ, ସୁବାସ ୩୯୯ ଖଣ୍ଡ ଓ ବିଜେପିର ବିପିନ ମଲ୍ଲିକ ସମୁଦାୟ ୧୫୯ ଖଣ୍ଡ ଭୋଟ ପାଇଥିଲେ। ମୋଟ ୧୦୫୦ ଜଣ ଭୋଟର ଏଠାରେ ମତଦାନ କରିଥିଲେ।

ପାରାଦୀପର ୬ ନମ୍ବର ଓ୍ଵାର୍ଡ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଶ୍ମିତା ଦାସ ନିକଟତମ ପ୍ରତିଦ୍ଵନ୍ଦ୍ୱୀ ବିଜେପିର ଗାୟତ୍ରୀ ନାୟକଙ୍କୁ ୫୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ରଶ୍ମିତା ୫୬୦ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଗାୟତ୍ରୀ ୫୦୨ ଖଣ୍ଡ ଭୋଟ୍‌ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ କଳ୍ପନା ବେହେରା ୪୩୦ ଖଣ୍ଡ ଭୋଟ୍‌ ପାଇଛନ୍ତି। ଗତକାଲି ଏସବୁ ଆସନରେ ଭୋଟଗ୍ରହଣ ହୋଇଥିଲା।

ସେହିଭଳି ଅନୁଗୁଳର ପୌରପାଳିକା ୧୦ନମ୍ବର ଓ୍ଵାର୍ଡ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଜିତ୍‌ କୁମାର ପ୍ରଧାନ ୧୮୫ଖଣ୍ଡ ଭୋଟ୍‌ରେ ବିଜେପିର ପାର୍ଥସାରଥୀ ରାୟଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଶ୍ରୀ ପ୍ରଧାନଙ୍କୁ ୪୭୬ଖଣ୍ଡ ଭୋଟ୍‌ ମିଳିଛି। ପାର୍ଥସାରଥୀଙ୍କ ଖାତାକୁ ଯାଇଛି ୨୯୧ଖଣ୍ଡ ଭୋଟ୍‌। କଂଗ୍ରେସ ପ୍ରାର୍ଥୀ ଅନୁପ୍‌ କୁମାର ମିଶ୍ରଙ୍କୁ ମିଳିଛି ମାତ୍ର ୧୬୭ଖଣ୍ଡ ଭୋଟ୍‌। ସମୁଦାୟ ୧୩୨୯ଜଣ ଭୋଟର୍‌ଙ୍କ ମଧ୍ୟରୁ ୯୩୪ଜଣ ମତଦାନ କରିଥିଲେ।

ସମ୍ବନ୍ଧିତ ଖବର