ମୁଜାଫରପୁର କାଣ୍ଡ : ଦିଲ୍ଲୀରେ ବିରୋଧୀ ମେଣ୍ଟର ପ୍ରତିବାଦ

ନୂଆଦିଲ୍ଲୀ : ବିହାର ମୁଜାଫରପୁର ଦୁଷ୍କର୍ମ କାଣ୍ଡ ନେଇ ଆରଜେଡି ସମେତ ବିଭିନ୍ନ ବିରୋଧୀ ଦଳ ନୀତୀଶ ସରକାର ବିରୋଧରେ ଆଜି ଦିଲ୍ଲୀରେ ଏକଜୁଟ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ଆରଜେଡି ନେତୃତ୍ୱରେ ଆଜି ଏହି ପ୍ରସଙ୍ଗରେ ଯନ୍ତର ମନ୍ତରଠାରେ ଧାରଣା ଏବଂ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ସମର୍ଥନ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆପ୍‌୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ବାମ ନେତା ଡି ରାଜା, ଟିଏମ୍‌୍‌ସି ନେତା ଦିନେଶ ତ୍ରିବେଦୀ, ଶରଦ ଯାଦବ, ସଂଜୟ ସିଂହ, ଜିତନରାମ ମାଂଝି, କହ୍ନେୟା କୁମାରଙ୍କ ସମେତ ବହୁ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିରୋଧ ଦୀଳ ନେତାମାନେ ବିହାର ସରକାର ଏବଂ ବିଜେପିକୁ କଡ଼ା ସମାଲୋଚନା କରି ଦୁଷ୍କର୍ମର ଶିକାର ହୋଇଥିବା ୪୦ ଝିଅଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଚାଲିବ ବୋଲି କହିଛନ୍ତି। ବିହାର ସରକାର ଏ ବାବଦରେ ହେଉଥିବା ଅଭିଯୋଗକୁ ଅଣଦେଖା କରିଚାଲିଥିଲେ ଏବଂ ଏଭଳି ବର୍ବରତାରେ ଲିପ୍ତ ଥିବା ଏନ୍‌୍‌ଜିଓକୁ ପାଣ୍ଠି ଯୋଗାଉଥିଲେ ବୋଲି ବିରୋଧୀ ନେତାମାନେ କହିଛନ୍ତି। ସରକାର ଯୋଗାଉଥିବା ପାଣ୍ଠି ବିନିଯୋଗ କରି ନିରୀହ ଝିଅଙ୍କ ଉପରେ ଅକଥନୀୟ ଅଚ୍ୟଚାର ଚାଲିଥିଲା ବୋଲି କେଜ୍ରିଓ୍ଵାଲ କହିଛନ୍ତି। ଏହି ମାମଲାର ୩ ମାସ ମଧ୍ୟରେ ଯାଞ୍ଚ ସଂପୂର୍ଣ୍ଣ କରି ଦୋଷୀମାନଙ୍କୁ ଫାଶୀଦଣ୍ଡ ଦେବାକୁ ସେ ଦାବି କରିଛନ୍ତି। କେଜ୍ରିଓ୍ଵାଲ କହିଥିଲେ ଯେ ଦିଲ୍ଲୀରେ ଜଣେ ନିର୍ଭୟା ସହିତ ଗଣ ଦୁଷ୍କର୍ମ ମାମଲା ୟୁପିଏ ସରକାରଙ୍କ ସିଂହାସନକୁ ଦୋହଲାଇ ଦେଇଥିବା ବେଳେ ବିହାରରେ ଏବେ ୪୦ ଜଣ ନିର୍ଭୟାଙ୍କ ସହିତ ଭୟଙ୍କର ଅନ୍ୟାୟ ହୋଇଛି । ତେଜସ୍ୱୀ ଏହି ମାମଲାରେ କହିଛନ୍ତି ଯେ ଶିଶୁ କମିସନଙ୍କ ରିପୋର୍ଟକୁ ସରକାର ଗୁରୁତ୍ୱର ସହ ଗ୍ରହଣ ନକରିବାରୁ ମାମଲା ଗମ୍ଭୀର ରୂପ ନେଇଥିଲା ଏବଂ ଟାଟା ଇନ୍‌୍‌ଷ୍ଟିଚ୍ୟୁଟର ରିପୋର୍ଟ ସାମ୍ନାକୁ ଆସିବାର ୨ ମାସ ପରେ ଏଫ୍‌ଆଇଆର୍‌ ଦାଖଲ ହୋଇଥିଲା।

ସମ୍ବନ୍ଧିତ ଖବର