ନବକଳେବର ରାଜନୀତି : ବିଜେଡି-ବିଜେପି ମୁହାଁମୁହିଁ

୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ

ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ନବକଳେବର ହେବ। ପୁରୀରୁ ଏହି ନବକଳେବର ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମନ୍ତବ୍ୟ ଦେବା ପରେ ରବିବାର ଏହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ଦୋହରାଇ ରବିବାର ସକାଳେ ଭୁବନେଶ୍ୱରରେ ଗଣମାଧ୍ୟମକୁ ବିବୃତି ଦେଇଥିଲେ ଓଡ଼ିଶାର ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ। ସେ କହିଲେ, ରାଜ୍ୟରେ ନିଶ୍ଚିତ ଭାବେ ରାଜନୈତିକ ନବକଳେବର ହେବ। ବର୍ତ୍ତମାନ ଯେଉଁପରି ରାଜନୈତିକ ସ୍ଥିତି ରହିଛି, ତାହା ଆଉ ରହିବନି। ଓଡ଼ିଶାରେ ସରକାରକୁ ଆସିବା ପାଇଁ ବିଜେପିକୁ ଥରେ ସୁଯୋଗ ଦେବାକୁ ସେମାନେ ଚାହୁଁଛନ୍ତି। ରାଜନୈତିକ ନବକଳେବର ପୁରୀରୁ ଆରମ୍ଭ ହୋଇପାରେ କିମ୍ବା ସୁନ୍ଦରଗଡ଼ରୁ ବି ହୋଇପାରେ।

ଏହାର ବିରୋଧ କରି ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି, ବିଜେପି ନେତା କ’ଣ ନିଜକୁ ପ୍ରଭୁ ଜଗନ୍ନାଥଙ୍କ ସହ ନିଜକୁ ତୁଳନା କରୁଛନ୍ତି କି? ପ୍ରଭୁ ଜଗନ୍ନାଥଙ୍କ ନବକଳେବର ହୁଏ। ଏମାନଙ୍କର ରାଜନୈତିକ ଅହଙ୍କାର ବହୁତ ବଢ଼ିଗଲାଣି। ଓଡ଼ିଶାର ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିକୁ ୧୭ ବର୍ଷ ହେଲା ଦେଖି ଆସୁଛନ୍ତି। ତିନି ବର୍ଷ ହେଲା ଦେଶବାସୀଙ୍କୁ କେବଳ ପ୍ରତିଶ୍ରୁତି ଦେଉଥିବା ବିଜେପିକୁ ଦେଖୁଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରସ୍ତୁତ ହୁଅନ୍ତୁ, ସାରା ଦେଶ ଏବେ ପ୍ରଶ୍ନ କରିବ କେତେ ପ୍ରତିଶ୍ରୁତି କାର୍ଯ୍ୟକାରୀ କଲେ ଓ ଗଣମାଧ୍ୟମ ସାମ୍ନାରେ କେତେ ମିଛ କହିଲେ।

ସେହିପରି ଭୁବନେଶ୍ୱର ଗସ୍ତରେ ଥିବା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ବି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଭୁବନେଶ୍ୱରର ଏକ ବସ୍ତିରେ ଦଳୀୟ କାର୍ଯ୍ୟକ୍ରମ କରିବା ଅବସରରେ ସେ କହିଥିଲେ, ଓଡ଼ିଶା ସରକାର ଓ ନବୀନ ପଟ୍ଟନାୟକ ଗରିବ ବିରୋଧୀ। ବସ୍ତି ଉଚ୍ଛେଦ କରି ଗରିବ ଲୋକଙ୍କୁ ବାସହରା କରିବାକୁ ସରକାର ଚେଷ୍ଟା କରୁଛନ୍ତି। କିନ୍ତୁ ଏହାକୁ ସଫଳ କରିବାକୁ ବସ୍ତିବାସିନ୍ଦା ଦେବେ ନାହିଁ। ରାଜ୍ୟର ୧୭ ବର୍ଷର ଅପାରଗ ସରକାରକୁ ରାଜ୍ୟବାସୀ ହଟାଇବେ ଓ ବିଜେପିକୁ ଶାସନକୁ ଆଣିବେ।

ଜାଭଡ଼େକରଙ୍କ ଏପରି ମନ୍ତବ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି, ରାଜ୍ୟ ସରକାର ଓ ନବୀନ ବାବୁଙ୍କୁ ଗରିବ ବିରୋଧୀ ବୋଲି କହିବାକୁ ସେ କିଏ? ତାଙ୍କୁ ଏଠାରେ କିଏ ପଚାରୁଛି? ଯଦି ନବୀନ ବାବୁ ଗରିବ ବିରୋଧୀ, ତେବେ ଓଡ଼ିଶାବାସୀ ବୁଝିବେ। ମୁଖ୍ୟ କଥା ହେଲା, ବିଜେଡିର ଶାଳୀନତା ଓ ସିଷ୍ଟାଚାର ଅଛି। ଗଣତନ୍ତ୍ର ମୂଲ୍ୟବୋଧକୁ ବିଜେଡି ସମ୍ମାନ ଦେଉଛି। ତାହା ନ ହୋଇଥିଲେ କେନ୍ଦ୍ର ମନ୍ତ୍ରୀମାନେ ଏଠାରୁ ସିଧା ସିଧା ଯାଇପାରି ନ ଥା’ନ୍ତେ।

ସମ୍ବନ୍ଧିତ ଖବର