ଭୁବନେଶ୍ବର: ‘ରାଜନୈତିକ ପାଣିପାଗର ଭାବିଷ୍ୟତ୍ୱବାଣୀ ଦେବା କଷ୍ଟକର। ରାଜନୀତିରେ ୨୦୨୪ରେ କ’ଣ ହେବ ଆକଳନ କରିହେବ ନାହିଁ। କିନ୍ତୁ ମୋର ଆଶା କଂଗ୍ରେସ ଅତୀତର ଦୋଷ ଦୁର୍ବଳତାକୁ ଭୁଲି ଆତ୍ମସମୀକ୍ଷା କରିବ। ଗୁରୁତ୍ବର ସହ ବିଚାର କରି ନିଷ୍ପତ୍ତି ନେବ। ଆମ ନେତା ଖାଲି ଭୁବନେଶ୍ୱରରେ ରହି ରାଜନୀତି କରି ଗଣମାଧ୍ୟମରେ ବାଇଟ ଦେଲେ କିଛି ଲାଭ ହେବନି ଦଳର।’ ୨୦୨୪ ନିର୍ବାଚନକୁ ନେଇ ଏକ ପ୍ରଶ୍ନରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଜି ଏଭଳି ମତ ଦେଇଛନ୍ତି।
ଏଥିସହ କଂଗ୍ରେସ ବିଜେଡି ସହ ଡିଲ୍ କରି ଭୋଟ ବିକ୍ରି କରିବା ପ୍ରସଙ୍ଗରେ ଶ୍ରୀ ମିଶ୍ର ମତ ରଖିଛନ୍ତି। ସେ କହିଛନ୍ତି, ‘କେନ୍ଦ୍ରର ଚାରି ମନ୍ତ୍ରୀ ଆସି ଏଠାରେ ଦୃଢୋକ୍ତି ପ୍ରକାଶ କଲେ କି ଆମେ ପଦ୍ମପୁରରେ ଜିତିବୁ, ହେଲେ ଜିତିଲେ କି ? ନବ ଦାସ ଆମ ଦଳ ସହ ବେଇମାନି କରି ଛାଡ଼ି ଚାଲିଗଲେ। ବନ୍ଧୁତା କୋଉଠି ରହିଲା ଯେ ଡିଲ କରିବେ? ୪୨ ହଜାର ଭୋଟରେ ହାରି ନିଜେ ଆତ୍ମସନ୍ତୋଷ ପାଇବା ପାଇଁ ଏଭଳି ଅବାସ୍ତବ କଥା ବିଜେପି ନେତା କହୁଛନ୍ତି। ପ୍ରଦୀପ ପୁରୋହିତ ବାଧ୍ୟବାଧ୍ୟକତାରେ ଏମିତି କଂଗ୍ରେସ ଭୋଟ ବିକ୍ରି କଥା କହୁଛନ୍ତି। ଆମେ ଭୋଟ ପାଇଲୁ ନାହିଁ ମାନେ ନୁହେଁ ଯେ ଭୋଟ ବିକିଦେଲୁ। ଲୋକ ପ୍ରତ୍ୟାଖ୍ୟାନ କଲେ ଆମକୁ। ଏଭଳି ସ୍ଥିତି ଜାରି ରହିଲେ ଆମ ଅବସ୍ଥା ଆଗକୁ ଆହୁରି ସାଙ୍ଘାତିକ ହେବ।’