ଦିଲ୍ଲୀରେ ନବୀନ-ନରସିଂହ ଭେଟ

ରାଜ୍ୟ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ୱର/ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ନବୀନଙ୍କ ଅବ୍‌ଦୁଲ କଲାମ ମାର୍ଗରେ ଥିବା ବାସଭବନରେ ଉଭୟଙ୍କ ମଧ୍ୟରେ ପ୍ରାୟ ୨୫ ମିନିଟ୍‌ ଧରି ଆଲୋଚନା ହୋଇଥିଲା। ଏହା କୌଣସି ରାଜନୈତିକ ଭେଟ୍‌ଘାଟ୍‌ ନ ଥିଲା ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ ବି ଓଡ଼ିଶାରେ ଏ ନେଇ କଳ୍ପନାଜଳ୍ପନା ଜୋର୍‌ ଧରିଛି। ତିନି ପ୍ରମୁଖ ଦଳର ନେତାଙ୍କ ବୟାନବାଜି ପ୍ରସଙ୍ଗଟିକୁ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇଛି।

ସାକ୍ଷାତ ସମ୍ପର୍କରେ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱ କପ୍‌କୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ସହଯୋଗ ଲୋଡ଼ିଥିଲେ। ସେ ମୋତେ ନିମନ୍ତ୍ରଣ କରିଥିଲେ ଓ ମୁଁ ତାଙ୍କୁ ଅଫିସିଆଲି ଭେଟିଛି। ଏହାକୁ ରାଜନୈତିକ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ। ସାକ୍ଷାତ ହେଲେ କ’ଣ ପଲିଟିକାଲ୍‌ ଡିଲ୍‌ ହୋଇଯାଏ କି ସେ ପାଲଟା ପ୍ରଶ୍ନ ପଚାରିଥିଲେ। କଥା ପ୍ରସଙ୍ଗରେ ଗତକାଲି ସେ ଜେଡିୟୁ(ବିଦ୍ରୋହୀ) ନେତା ଶରଦ ଯାଦବଙ୍କୁ ମଧ୍ୟ ଭେଟିଥିବା କହିଥିଲେ।

ନୂଆଦିଲ୍ଲୀରେ ଏହି ସାକ୍ଷାତ ପରେ ଭୁବନେଶ୍ୱରରେ ତୁରନ୍ତ ବୟାନବାଜି ଆରମ୍ଭ ହୋଇଯାଇଥିଲା। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଥିଲେ, ହକି ଇଣ୍ଡିଆ ଉତ୍ସବରେ ଯୋଗ ଦେବାକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ରକ୍ଷା କରି ବିରୋଧୀ ଦଳ ନେତା ଦିଲ୍ଲୀ ଯାଇ ଉତ୍ସବରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ତେଣୁ ଏହି ସାକ୍ଷାତକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ଉଚିତ ନୁହେଁ।

କିନ୍ତୁ ବିଜେଡିର ଏହି ଯୁକ୍ତିକୁ ଗ୍ରହଣ କରିପାରିନି କଂଗ୍ରେସ। ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ନରସିଂହ ବାବୁଙ୍କର ବାଡ଼ବତା ନାହିଁ। ବିଜେପୁର ଉପନିର୍ବାଚନରେ କଂଗ୍ରେସ ଦଳ ବିଜେଡି-ବିଜେପି ବିରୋଧରେ ଲଢ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ସାକ୍ଷାତ କରୁଛନ୍ତି। ଏହା ପଛରେ ରାଜନୀତି ଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି।

ସେହିପରି ଏହି ସାକ୍ଷାତକୁ ନେଇ ବିଜେପି ପକ୍ଷରୁ କଟାକ୍ଷ କରାଯାଇଛି। ଏଥିରୁ କଂଗ୍ରେସ ଓ ବିଜେଡି ମଧ୍ୟରେ ରହିଥିବା ସଂପର୍କ ସ୍ପଷ୍ଟ ହୋଇଛି। କଂଗ୍ରେସ ଯେ ବିଜେଡିର ଆଶାବାଡ଼ି, ତାହା ପ୍ରମାଣିତ ହୋଇଛି ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର