ବିଜେପିକୁ ଗୁରୁତ୍ୱ ଦେଲେନି ନବୀନ

ବୈଜୟନ୍ତଙ୍କ ଅଭିଯୋଗକୁ ଭିତ୍ତିହୀନ କହି ଉଡ଼ାଇଦେଲେ

ଭୁବନେଶ୍ୱର : ସଂସଦରେ ତିନି ତଲାକ୍‌ ବିଲ୍‌କୁ ଆଜି ବିଜେଡି ସାଂସଦମାନେ ବିରୋଧ କରିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍‌ଡିଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସହିତ କୌଣସି ସଂପର୍କ ସମ୍ଭାବନାକୁ ରୋକ୍‌ଠୋକ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। କେବଳ ସେତିକି ନୁହେଁ, ବିଜେପିର ଉତ୍‌ଥାନ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ।

ଦୁଇ ଦିନ ତଳେ ବିଜେଡି ପ୍ରତିଷ୍ଠା ଉତ୍ସବ ସମାରୋହରେ କେନ୍ଦ୍ର ସରକାରଙ୍କ ବିରୋଧରେ ଉଁ କି ଚୁଁ ମୁହଁ ଖୋଲିନଥିବା ନବୀନଙ୍କର ଏଭଳି ଆଭିମୁଖ୍ୟ ଆଜି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେଉଁ କାରଣ ପାଇଁ ଦଳୀୟ ସମାବେଶରେ ସେ କେନ୍ଦ୍ର ବିରୋଧୀ କଥା ନ କହି ନିରବ ରହିଲେ ତଥା ଦଳୀୟ କର୍ମୀଙ୍କୁ ନିରାଶ କଲେ ଓ ପୁଣି କଣ ହେଲା ଯେ ସେ ନିଜ ପୁରୁଣା ମତକୁ ଫେରିଆସିଲେ, ତାହା ଏହି ମହଲ ଠଉରାଇପାରୁନାହାନ୍ତି।

ମୁଖ୍ୟମନ୍ତ୍ରୀ ଆଜି ସାକ୍ଷାତକାରରେ କହିଥିଲେ, ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଏକାକୀ ନିର୍ବାଚନ ଲଢିବ। ଜାତୀୟସ୍ତରରେ ଅନ୍ୟ ଆଞ୍ଚଳିକ ବା ଅଣବିଜେପି ଦଳ ସହିତ ମେଣ୍ଟ କରାଯିବ କି ନାହିଁ, ତାହା ନିର୍ବାଚନ ଫଳ ଦେଖିବା ପରେ ବିଚାର କରାଯାଇପାରେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କୌଣସି କଥାବାର୍ତା ହୋଇଥିବା ଚର୍ଚ୍ଚାକୁ ମଧ୍ୟ ସେ ଅସ୍ୱୀକାର କରିଥିଲେ। ସିଧା ସିଧା କହିଥିଲେ, ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦ୍ୱରତ୍ୱ ରକ୍ଷା କରିଆସୁଛି, କରିବ।

ନିଜକୁ ଦକ୍ଷ ପ୍ରଧାନମନ୍ତ୍ରୀ ହେବା ପାଇଁ ଭାବିଛନ୍ତି କି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଟିଭି ସଂସ୍ଥା ପକ୍ଷରୁ କରାଯାଇଥିବା ପ୍ରଶ୍ନରେ ନବୀନ ସଙ୍କେତ ଦେଇଛନ୍ତି ଯେ ଜାତୀୟ ରାଜନୀତି ପାଇଁ ତାଙ୍କ ମନରେ ସ୍ପୃହା ନାହିଁ। ଓଡ଼ିଶା ବିକାଶ ଲାଗି ସେ ପ୍ରତିଶ୍ରୁତିବଦ୍ଧ। ଏଠିକାର ବିକାଶ ତାଙ୍କର ପ୍ରାଥମିକତା। ସେହିପରି ଦଳୀୟ ଅନ୍ତଃକନ୍ଦଳ ପ୍ରସଙ୍ଗରେ ବି ସେ ଭିନ୍ନ ଢଙ୍ଗରେ ଉତ୍ତର ରଖିଥିଲେ। ତାଙ୍କୁ ପ୍ରଶ୍ନ କରାଯାଇଥିଲା, ପଞ୍ଚାୟତ ନିର୍ବାଚନ ପରେ ଦଳକୁ କେତେକ ସୁବିଧାବାଦୀ ଚଳାଇଛନ୍ତି ଓ ଆତ୍ମସମୀକ୍ଷା ହେବା ଦରକାର ବୋଲି ସାଂସଦ ବୈଜୟନ୍ତ ପଣ୍ଡା ସ୍ତମ୍ଭ ଲେଖିଥିଲେ। ମୁଖ୍ୟମନ୍ତ୍ରୀ କିନ୍ତୁ ଏହାକୁ ବାଏଁ ବାଏଁ ଉଡ଼ାଉ ଦେଇଥିଲେ। ଅମଲାତନ୍ତ୍ର ଦ୍ୱାରା ଶାସନ ଅଭିଯୋଗକୁ ଅସ୍ୱୀକାର କରିଥିଲେ। କହିଥିଲେ, ମୁଁ ଭାବୁଛି, ତାହା ଠିକ୍‌ ନୁହେଁ। ତଥ୍ୟ ଉପରେ ଆଧାରିତ ନୁହେଁ। ବିଜେଡିକୁ ଭାଙ୍ଗିବା ଲାଗି ବିଜେପି ଉଦ୍ୟମ କରୁଥିବା ପ୍ରଶ୍ନକୁ ଟାଳିଦେଇ ନବୀନ କହିଥିଲେ, ନା ନା, ଏଭଳି କୌଣସି ଭୟ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଲୋକଙ୍କ ସାମ୍ନାରେ ସେ ରଖିଥିବା ପ୍ରତିଶ୍ରୁତି ପୂରଣ ପାଇଁ ତାଙ୍କୁ ଭୋଟ ଦେଇଛନ୍ତି। ଦେଖାଯାଉ, ବର୍ତମାନ ବି ସମୟ ଅଛି, କଣ ଘଟୁଛି।

ସଫଳତା ପଛରେ ଦଳର ପ୍ରଦର୍ଶନ ନା ଆଖିଦୃଶିଆ ବିରୋଧୀ ନ ଥିବା ମୁଖ୍ୟ କାରଣ ବୋଲି ପଚରାଯିବାରେ ନବୀନ କହିଥିଲେ, ଦଳର ପ୍ରଦର୍ଶନ ପଛରେ ରହିଛି ରାଜ୍ୟରେ ଚାଲିଥିବା ବିକାଶ, ଗରିବ, ମହିଳାଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ବିଭିନ୍ନ ଜନକଲ୍ୟାଣ କାମ । ଏହା ହିଁ ବିଜେଡିକୁ ଚତୁର୍ଥ ଥର ପାଇଁ ଶାସନକୁ ଆଣିପାରିଛି।
ଏଠାରେ ପ୍ରକାଶଥାଉକି, ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାକ୍ଷାତାକାର ଦେବା ଆଳରେ ଆଞ୍ଚଳିକ ଦଳଗୁଡିକ ଏକାଠି ହେବା ଦରକାର ବୋଲି ମତ ରଖିଥିଲେ। ନିର୍ଦିଷ୍ଟ କେଉଁ ଆଭିମୁଖ୍ୟ ରଖି ସେ ଏଭଳି ଏକ ସମୀକରଣର ସଙ୍କେତ ଦେଇଥିଲେ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପୂର୍ବରୁ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ବିରୋଧୀ ଆଭିମୁଖ୍ୟ ରଖି ନବୀନ କହିଥିଲେ ଯେ କେନ୍ଦ୍ରରେ କଂଗ୍ରେସ ଥିବା ବେଳେ ପୋଲାଭରମ୍‌ ପ୍ରସଙ୍ଗରେ ଠକିଛନ୍ତି, ଏବେ ବିଜେପି ନେତୃତ୍ୱାଧୀନ ସରକାର ମହାନଦୀରେ ଠକୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ରାଜ୍ୟରେ ବିଜେପି ସପକ୍ଷରେ ହାଓ୍ଵା ବୋହୁଥିବା ବେଳେ ନବୀନ କିନ୍ତୁ ଭିନ୍ନ ଏକ ମନ୍ତବ୍ୟ ଦେଇଥିଲେ। ଜଣାଇଥିଲେ ଯେ କୌଣସି ବିରୋଧୀଙ୍କୁ ସେ ନ୍ୟୂନ ମଣନ୍ତିନାହିଁ। ବରଂ ରୋକ୍‌ଠୋକ୍‌ କହିଥିଲେ, କଂଗ୍ରେସକୁ ଅଣଦେଖା କରିହେବନି। ପଞ୍ଜାବ ଓ ଗୁଜୁରାଟରେ କଂଗ୍ରେସ ଯେପରି ସଫଳତା ପାଇଛି ସେଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନବୀନଙ୍କର ଏହି ଉତ୍ତରକୁ ରାଜନୈତିକ ମହଲ ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି। ବିଜେପି ପରିବର୍ତେ କଂଗ୍ରେସକୁ ଉଚ୍ଚା କରିବା ଲାଗି ନବୀନଙ୍କ କୌଶଳ ପଛର ରହସ୍ୟ ଉପରୁ ମଧ୍ୟ ଏଯାଏ ପର୍ଦା ହଟିପାରିନାହିଁ।

ସମ୍ବନ୍ଧିତ ଖବର