ଭୁବନେଶ୍ୱର: ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ତିର୍ତ୍ତୋଲର ବିକାଶ ନେଇ ବିଷ୍ଣୁବାବୁ ମୋତେ ବହୁ ବାର ଭେଟୁଥିଲେ। ଗତ ବର୍ଷ ବିଷ୍ଣୁବାବୁଙ୍କୁ ଆପଣମାନେ ବହୁତ ଭୋଟରେ ବିଜୟୀ କରାଇଥିଲେ। ସେ ତିର୍ତ୍ତୋଲ ପାଇଁ ଭଲ କାମ କରିଥିଲେ। ତିର୍ତ୍ତୋଲବାସୀ ବିଜୁ ପରିବାର ସହ, ବିଜୁ ଜନତା ଦଳ ସହିତ ରହି ଆସିଛନ୍ତି। ବିଭିନ୍ନ ନିର୍ବାଚନରେ ଆମ ସରକାରକୁ ସମର୍ଥନ ଦେଇଛନ୍ତି। ନିକଟରେ ତିର୍ତ୍ତୋଲ ଅଂଚଳରେ ଯୋଗାଯୋଗ ପାଇଁ ମହାନଦୀ ଉପରେ ୨ଟି ବ୍ରିଜର କାମ ଆରମ୍ଭ ହୋଇଛି। ଏହି ଅଂଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସରକାର କାମ କରିଛନ୍ତି।
ତିର୍ତ୍ତୋଲ ଅଂଚଳରେ ମିଶନ ଶକ୍ତିର ମା’ମାନେ ବହୁତ ଭଲ କାମ କରିଛନ୍ତି। ସେମାନେ ବିକାଶମୂଳକ କାମ କରିଛନ୍ତି। ଆପଣମାନେ ଭଲ କାମ କରନ୍ତୁ। ମୁଁ ଆପଣମାନଙ୍କ ସହିତ ଅଛି। ବିକାଶକୁ ଆଗେଇ ନେବାଲାଗି ଆସନ୍ତୁ। ଶଙ୍ଖଚିହ୍ନରେ ଭୋଟ ଦିଅନ୍ତୁ। କୋଭିଡ-୧୯କୁ ଆଖି ଆଗରେ ରଖି କାମ କରନ୍ତୁ।
ବିଜେଡି ସୁପ୍ରିମୋ ନବୀନ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଏଥି ପାଇଁ କୋଭିଡ ଯୋଦ୍ଧା ଓ ଆପଣମାନଙ୍କ ସହଯୋଗ ରହିଛି। କୋଭିଡ କଟକଣା ମଧ୍ୟରେ ରାଜ୍ୟକୁ ଅନେକଗୁଡ଼ିଏ କଂପାନି ଆସିଛନ୍ତି। ସରକାର ଯୁବପିଢ଼ିଙ୍କ ରୋଜଗାର ପାଇଁ ଚିନ୍ତା କରୁଛନ୍ତି। ରାଜ୍ୟ ସରକାର ୧ ଟଙ୍କାରେ ଚାଉଳ ଯୋଗାଇ ଦେଉଛନ୍ତି।
ବିଜେଡି ସୁପ୍ରିମୋ ନବୀନ ଆଜି ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିଛନ୍ତି। ନବୀନଙ୍କ ପ୍ରଚାର ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ବେଳେ ନେତାମାନେ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଆୟୋଜନ କରିଥିଲେ।
ମୁଖ୍ୟମନ୍ତ୍ରୀ ୨୯ ଆସନ୍ତାକାଲି (ଗୁରୁବାର) ବାଲେଶ୍ୱର ସଦର ଆସନ ଲାଗି ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ଲାଗି ଅନୁରୂପ ଢଙ୍ଗରେ ପ୍ରଚାର କରିବେ। କୋଭିଡ୍ ନିୟମ ଅନୁଯାୟୀ ସମୁଦାୟ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସମାଗମ ପାଇଁ ବ୍ୟାପକ ଆୟୋଜନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/vertual-add28_Thumb.jpg)